ମହାକୁମ୍ଭରେ ବୁଡ଼ ଦେଲେ ୧୦ କୋଟି
ପ୍ରୟାଗରାଜ: ମହାକୁମ୍ଭ ନଗର ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ବୁଡ଼ ପ୍ରକ୍ରିୟା । ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି । ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭରେ ଆଜି ସୁଦ୍ଧା ୧୦କୋଟିରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ଯାହା ମହାକୁମ୍ଭ ଇତିହାସରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଆଜି ଏହି ସୂଚନା ଦେଇଛନ୍ତି ଯୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଉଲ୍ଲେଖନୀୟ ଯେ ଯୋଗୀ ସରକାର ପୂର୍ବରୁ ଆକଳନ କରିଛନ୍ତି ଯେ ଏଥର ମହାକୁମ୍ଭରେ ୪୫ କୋଟିରୁ ଅଧିକ ଲୋକଙ୍କ ସମାଗମ ହେବ । ଏଣୁ ଗୁରୁବାର ସୁଦ୍ଧା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୧୦ କୋଟି ଛୁଇଁବା ପରେ ଯୋଗୀ ସରକାରଙ୍କ ଆକଳନ ଠିକ୍ ହେବ ବୋଲି ଆଶଙ୍କା କରାଯାଉଛି ।
ତେବେ ପ୍ରୟାଗରାଜକୁ ଲକ୍ଷାଧିକ ସଂଖ୍ୟାରେ ଆସୁଥିବା ଶ୍ରଦ୍ଧାଳୁଙ୍କ ରହଣି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । କେବଳ ଶ୍ରଦ୍ଧାଳୁ କାହିଁକି ଏମାନଙ୍କ ସହିତ ବିଭିନ୍ନ ସାଧୁସନ୍ଥମାନେ ମଧ୍ୟ ନିତିଦିନ ବୁଡ଼ ପକାଉଛନ୍ତି । ଶ୍ରଦ୍ଧାଳୁଙ୍କ ଆଗମନକୁ ଆଖି ଆଗରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଶିବିର ସାଙ୍ଗକୁ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ସେହିପରି ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ହୋଇଥିବା ପାଭିଲିୟନ୍ ଦର୍ଶନାର୍ଥୀଙ୍କ ଧ୍ୟାନ ଆକର୍ଷଣ କରୁଛି । ସୂଚନାଯୋଗ୍ୟ ମହାକୁମ୍ଭର ଦ୍ୱିତୀୟ ଦିନରେ ଅର୍ଥାତ ମକର ସଂକ୍ରାନ୍ତି ଅବସରରେ ସର୍ବାଧିକ ସାଢ଼େ ତିନିକୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ ।