ମହାଗିରି ଉଚ୍ଚ ବିଦ୍ୟାଳୟ ବିଦୁ୍ୟତ ବିଲ୍ ଭରୁଛନ୍ତି ଛାତ୍ରଛାତ୍ରୀ
ଯାଜପୁର: ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀ ବିଦୁ୍ୟତ ବିଲ ଭରୁଛନ୍ତି । ଏଭଳି ଖବର ଆଶ୍ଚର୍ଯ୍ୟ କରିବା ପରି ଲାଗୁଛି । କିନ୍ତୁ ସିଭିଲ ସୋସାଇଟ ଯାଜପୁର ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ କଥାଟି ପଦାକୁ ଆସିଛି । ସୋମବାର ସିଭିଲ ସୋସାଇଟି ଫୋରମ ଯାଜପୁରର ସମ୍ପାଦକ ବିଶ୍ୱନାଥ ପାତ୍ର, ଉପଦେଷ୍ଟା ସରଜ କୁମାର ନାୟକ, ରଞ୍ଜନ କୁମାର ମଲ୍ଲିକ ପ୍ରମୁଖ ଏଡିଏମ କଳିଙ୍ଗନଗରଙ୍କ ଜରିଆରେ ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି କି ଶିକ୍ଷାର ବିକାଶ ସହ ଶିକ୍ଷାପ୍ରତି ଆକୃଷ୍ଟ କରିବାକୁ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସୁକିନ୍ଦା ବ୍ଲକ କୁହିକା ମହାଗିରି ଉଚ୍ଚ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କୋମଳମତି ଛାତ୍ରଛାତ୍ରୀଙ୍କ ଠାରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଖୋଦ ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଠାରୁ ବିଦୁ୍ୟତ ବାବଦ ବିଲ ଆଦାୟ କରି ପଇଠ କରୁଛନ୍ତି । ସିଭିଲ ସୋସାଇଟ ପକ୍ଷରୁ କୁହାଯାଇଛି ମହାଗିରି ଉଚ୍ଚ ବିଦ୍ୟାଳୟରେ ବିଦୁ୍ୟତ ସଂଯୋଗିକରଣ କରାଯାଇଛି । ବିଦୁ୍ୟତ ବିଲ ସରକାର ପୈଠ କରିବା କଥା । ହେଲେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାସମାସ ଧରି ବିଦୁ୍ୟତ ବକେୟା ବିଲ ପ୍ରଦାନ କରି ଚାଲିଛନ୍ତି । ମହାଗିରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ତତ୍ତ୍ୱ୍ୱାବଧାନରେ ଏଭଳି ବେନିୟମ ଅର୍ଥ ଆଦାୟ ପ୍ରତି ମାସରେ ହେଉଥିବା କିଛି ଅଭିଭାବକ ନିଜର ନାମ ଗୋପନ ରଖି କହିଛନ୍ତି । ସମ୍ପର୍କରେ ଛାତ୍ରଛାତ୍ରୀ ମୁହଁ ଖୋଲିଲେ ମାର୍କ କାଟି ଦେବାର ଧମକ ମଧ୍ୟ ଦିଆଯାଉଛି ବୋଲି ସିଭିଲି ସୋସାଇଟ ପକ୍ଷରୁ ଅଭିଯୋଗ କରାଯାଇଛି । ଛାତ୍ରୀଛାତ୍ରୀ ମାନସିକ ଚାପରେ ରହି ଏଭଳି ବେନିଅମ ଅର୍ଥ ପୈଠ କରୁଥିବା ବେଳେ ଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଭିତିରି ବୁଝାବଣା କରି ଘଟଣାକୁ ଚାପି ଦେଉଛନ୍ତି । ଉକ୍ତ ବିଦ୍ୟାଳୟରେ ସରକାରଙ୍କ ପକ୍ଷରୁ ଏସସି,ଏସଟି ଛାତ୍ରୀମାନଙ୍କ ପାଇଁ ଆବାସିକ ସେଣ୍ଟର କରାଯାଇଛି । ଉକ୍ତ ଆବାସିକ ସେଣ୍ଟର ସହ ବିଦ୍ୟାଳୟର ବିଲ ବର୍ତ୍ତମାନ ୯୩ ରୁ ୯୬ ହଜାର ଟଙ୍କା ବାକିଆ ଥିବା କୁହାଯାଇଛି । ଏହାର ତଦନ୍ତ କରାଯାଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଯଦି ଅଭିଯୋଗ ସତ ହୋଇଥାଏ ତେବେ ଶିକ୍ଷା ବିଭାଗ ଦାୟିତ୍ୱହିନତା ଛଡ଼ା ଆଉ କିଛି ନୁହେଁ ବୋଲି କୁହାଯାଇପାରେ । ଡିଇଓ ନିବେଦିତା ପାଣି ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମତବ୍ୟକ୍ତ କରିଛନ୍ତି ।