ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ
ଯାଜପୁର ଟାଉନ : ଶନିବାର ଜିଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲାସ୍ତରୀୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିବସରେ ଅତିଥି ଭାବେ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ଯୋଗ ଦେଇ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କ ଅବଦାନକୁ ଉଲ୍ଲେଖ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ କରିବାର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରି ବର୍ତମାନ ପରିପ୍ରେକ୍ଷୀରେ ତାଙ୍କ ଅବଦାନକୁ ମନେ ପକାଇବା ଏବଂ ଆମ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ରବି ଶତପଥୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୀବନୀ ଉପରେ ଉଲ୍ଲେଖ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ଆଗକୁ ବଢେଇବାରେ କର୍ଣ୍ଣଧାର ସାଜିଥିଲେ । ବରପୁତ୍ରଙ୍କ ଜୀବନୀ ଜାଣିବାରେ କୁଣ୍ଠାବୋଧ ନ କରିବାକୁ ବର୍ତ୍ତମାନର ଯୁବପିଢୀକୁ ଉପଦେଶ ଦେଇଥିଲେ । କୃଷ୍ଣଚନ୍ଦ୍ର ଗଜପତି ଖଣ୍ଡ ବିଖଣ୍ଡିତ ଓଡିଶାକୁ ଏକତ୍ରିକରଣର ବୀଜ ବୁଣିଥିଲେ ।
ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକରି ରାଜ୍ୟରେ ଶିକ୍ଷା, କୃଷି, ଗମନାଗମନ ଓ ସାଂସ୍କୃତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପ ଜିଲାପାଳ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲାପରିଷଦ ଲମ୍ୱୋଦର ଖୁଣ୍ଟିଆ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୀବନୀ ଓ ଅବଦାନ ଉପରେ ଆଲୋକପାତ କରିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ୱାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ ।