ମହିମାଧାମରୁ ପୁରୀକୁ ବସ୍ ଚଳାଚଳ ଦାବି

 ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଧର୍ମପୀଠ ଯୋରନ୍ଦାର ମହିମା ଧାମରୁ ଧାର୍ମିକ ପର୍ଯ୍ୟଟନ ଜଗନ୍ନାଥ ଧାମ  ପୁରୀକୁ ଏକ ସିଧାସଳଖ ବସ୍ ସେବା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ପକ୍ଷରୁ ଦାବି ହୋଇଛି । ଏ ନେଇ ଏକ ଦାବିପତ୍ର ଢେଙ୍କାନାଳ ସଦର ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ପ୍ରଦାନ କରାଯାଇଛି । ଯୋରନ୍ଦା ଅଞ୍ଚଳର ଅମ୍ବିକା ପ୍ରସାଦ ମିଶ୍ର, ପ୍ରତୁ୍ୟଷ ହରି ପ୍ରଧାନ, ଧର୍ମାନନ୍ଦ ରାଉତ, ବ୍ରଜକିଶୋର ସ୍ୱାଇଁ, ସମରେନ୍ଦ୍ର ମହାନ୍ତି, ରାଜେନ୍ଦ୍ର ପରିଡ଼ା ପ୍ରମୁଖ ଏହି ଦାବି ପୂରଣ ପାଇଁ ଭୁବନେଶ୍ୱର ଠାରେ ମନ୍ତ୍ରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ ।  
ସୂଚନାଥାଉକି, ଅଶି ଦଶକରେ ଯୋରନ୍ଦାରୁ ପୁରୀକୁ ଗୋଟିଏ ସରକାରୀ ବସ୍ ଚଳାଚଳ କରୁଥିଲା । ଫଳରେ ପ୍ରତ୍ୟେକ ଦିନ ସକାଳୁ ଯୋରନ୍ଦା ଅଞ୍ଚଳରୁ ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀ ଭକ୍ତମାନେ ଗୋଟିଏ ବସ୍ରେ ବସି ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ସେହି ବସ୍ରେ ପୁଣି ଯୋରନ୍ଦାକୁ ଫେରି ଆସୁଥିଲେ । ଏହା ସହିତ ପୁରୀ, ନୟାଗଡ, ଖୋର୍ଦ୍ଧା ଆଦି ବିଭିନ୍ନ ଅଞ୍ଚଳର ମହିମା ଧର୍ମାବଲମ୍ବୀମାନେ ମହିମାଗାଦିକୁ ସିଧା ସଳଖ ଆସି ପାରୁଥିଲେ । ଦୀର୍ଘ ୨୦ ବର୍ଷ ଏହି ରୁପ୍ରେ ବସ୍ ଚାଲିବା ପରେ ପ୍ରାୟ ୨୦୦୦ମସିହାରୁ ବନ୍ଦ ହୋଇଯାଇଛି । ଯୋରନ୍ଦା ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଏ ସମ୍ପର୍କରେ ଦାବି ହୋଇ ଆସୁଥିଲେ ମଧ୍ୟ କେହି ଶୁଣୁନଥିଲେ । ମାନ୍ୟବର ମନ୍ତ୍ରୀ ଦାବି ସମ୍ପର୍କରେ ଯଥା ଶୀଘ୍ର ଏହା ଉପରେ ବିଚାର କରାଯିବ ବୋଲି କହିଛନ୍ତି । ବର୍ତ୍ତମାନ ସରକାରଙ୍କ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ବସ୍ ସେବା ବ୍ୟବସ୍ଥା କରାଯାଉଥିବାବେଳେ ଯୋରନ୍ଦା ମହିମା ଧାମରୁ ପୁରୀ ଧାମକୁ ବସ୍ ସେବା ଯୋଗାଇ ଦେବା ପାଇଁ ମହିମା ଧର୍ମଧାମ ବିକାଶ ପରିଷଦ ସଭାପତି ପୀତବାସ ରାଉତ, ଯୋରନ୍ଦା ଆଞ୍ଚଳିକ ବିକାଶ ପରିଷଦ ସଭାପତି ନିତ୍ୟାନନ୍ଦ ବାବା, ସମ୍ପାଦକ ଅବିନାଶୀ ବାବା, ବରିଷ୍ଠ ସଭ୍ୟ, ଯୁଧିଷ୍ଠିର ମହାନ୍ତି, ବେଣୁଧର ପାତ୍ର, ପଞ୍ଚାନନ ସ୍ୱାଇଁ, ପ୍ରକାଶ ନାୟକ, ଦେବେନ୍ଦ୍ର ମହାନ୍ତି, ଆଲୋକ ରାଉତ, ସନ୍ତୋଷ ବିଶ୍ୱାଳ, ପ୍ରସାନ୍ତ ରାଉତ, ସର୍ବେଶ୍ୱର ନାୟକ, ପ୍ରକାଶ ରାଉତ, ଆନନ୍ଦ ମହାନ୍ତି, ବିଜୟ ପ୍ରଧାନ ପ୍ରମୁଖ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।