ମାଈହାତୀର ଗଳିତ ମୃତଦେହ ଠାବ 

 ହିନେ୍ଦାଳ : ହିନେ୍ଦାଳ-ଢେଙ୍କାନାଳ ବନଖଣ୍ଡ ହିନେ୍ଦାଳ ବନାଞ୍ଚଳର କର୍ଣ୍ଣପୂର୍ ବିଟ୍ ଅନ୍ତର୍ଗତ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲର ପାର୍ଶ୍ୱ ବର୍ତ୍ତି ଅଞ୍ଚଳ ଏକ ପରିତ୍ୟକ୍ତ ଗାଈ ଫାର୍ମ  ନିକଟରୁ ସ୍ଥାନୀୟ ବନ ବିଭାଗ ଆଜି ଏକ ମାଈ ହାତୀର ଗଳିତ ମୃତ ଦେହ ଉଦ୍ଧାର କରିଛି ।  ଖବର ପାଇ ସ୍ଥାନୀୟ ବନବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମାଇ ହାତୀର ଗଳିତ ସବ ଠାବ ଜବତ କରିଥିଲେ । ଘଟଣା ସମ୍ପର୍କରେ ଜାଣିବାକୁ ପାଇ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ମାନେ ମୃତ ହାତୀର ଫଟୋ ସହିତ ମୃତୁ୍ୟର କାରଣ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରି ଥିଲେ ମଧ୍ୟ ସେମାନଙ୍କୁ ବିଭାଗ ପକ୍ଷରୁ ସୁଯୋଗ ଦିଆ ଯାଇ ନଥିଲା । ସେପଟେ ନିକଟସ୍ଥ ଗ୍ରାମର କେତେକ ଗ୍ରାମବସୀଙ୍କ କହିବା ଅନୁଯାୟୀ ମୃତ ହାତୀଟି କୁଆଡେ ଦୁଇ ସପ୍ତାହ ପୂର୍ବେ ସେହି ଅଞ୍ଚଳରେ ବିଚରଣ କରି ଧାନ ଫସଲ ନଷ୍ଟ କରି ଆସୁଥିଲା । ତେବେ ଗତ ଏକ ସପ୍ତାହରୁ ଊର୍ଦ୍ଧ୍ୱ ହେବ ହାତୀଟିକୁ ଆଉ ଦେଖିବାକୁ ମିଳି ନଥିଲା । ସମ୍ଭବତଃ ଉକ୍ତ ମାଇ ହାତୀଟି କୌଣସି କାରଣରୁ ମୃତୁ୍ୟ ବରଣ କରିଥାଇ ପାରେ ବୋଲି ସେମାନେ ମତ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଅଞ୍ଚଳରେ ବିଭାଗ ପକ୍ଷରୁ ଆଦୌ ପାଟ୍ରୋଲିଂ କରା ଯାଉ ନଥିବା ପ୍ରକାଶ କରିଛନ୍ତି । ବିଭାଗ ପକ୍ଷରୁ ଡିଏଫ୍ଓଙ୍କ ଉପସ୍ଥିତିରେ କଡା ସୁରକ୍ଷା ବଳୟ ମଧ୍ୟରେ ମୃତ ହାତୀଟିର ବ୍ୟବଚ୍ଛେଦ କରା ଯାଇ ସେହି ସ୍ଥାନରେ ପୋତି ଦିଆ ଯାଇ ଥିବା ଜଣା ପଡିଛି । ହିନ୍ଦୋଳ ବନାଞ୍ଚଳରେ ସମୟେ ସମୟେ ଏହି ଭଳି ହାତୀ ମୃତୁ୍ୟ ଘଟୁ ଥିଲେ ହେଁ ସେଥିପ୍ରତି ରୋକିବା ଦିଗରେ ବିଭାଗୀୟ ପଦକ୍ଷେପ ସନ୍ତୋଷ ଜନକ ହେଉ ନାହିଁ । ଘଟଣା ସଂକ୍ରାନ୍ତରେ ସବିଶେଷ ତଥ୍ୟ ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରୁ ଦୁରେଇ ରଖା ଯାଇଥିଲା । ଏନେଇ ଘଟଣାସ୍ଥଳରେ ଅସନ୍ତୋଷ ପ୍ରକାଶ ପାଇ ଥିଲା ।