ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର : ବିଦୁ୍ୟତ୍ ସଂଯୋଗ କରି ହାତୀକୁ ହତ୍ୟା, ୩ ଅଟକ
କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ସେକ୍ସନ ରାଣିବେଡା ସଂରକ୍ଷିତ ଜଙ୍ଗଲରେ ବିଦୁ୍ୟତ୍ ଫାସ ଦ୍ୱାରା ଏକ ମାଈ ହାତୀକୁ ହତ୍ୟା କରାଯାଇଛି । ସ୍ଥାନୀୟ କାଉବସା ନାଳ ନିକଟରୁ ଆଜି ଏକ ମାଈ ହାତୀର ଗଳିତ ମୃତ ଦେହ ଉଦ୍ଧାର ହେବା ପରେ ହାତୀ ହତ୍ୟା ସ୍ପଷ୍ଟ ହୋଇଛି । ମୃତ ହାତୀର ବୟସ ୮ ରୁ ୧୦ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ଜଣେ ଅଭିଯୁକ୍ତ ଆତ୍ମସମର୍ପଣ କରିଥିବା ବେଳେ ବନ ବିଭାଗ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖିଥିବା ଜଣା ପଡ଼ିଛି । ଅଭିଯୁକ୍ତ ଗୋକୁଳ ଜୁଆଙ୍ଗ(୪୨) ଆତ୍ମ ସମର୍ପଣ କରିଥିବା ବେଳେ ଇନ୍ଦ୍ରମଣି ଜୁଆଙ୍ଗ(୫୬) ଓ ଗଣେଶ ଜୁଆଙ୍ଗ(୨୫)କୁ ବନ ବିଭାଗ ଅଟକ ରଖିଛି । ସମସ୍ତଙ୍କ ଘର ଟାଙ୍ଗିରୀ ଗ୍ରାମ ଦୁବନାଳୀ ସାହିରେ ହୋଇଥିବା ସୂଚନା ରହିଛି । ସୋଲାର ହାତୀ ବାଡ ସ୍ଥାନରେ ବିଦୁ୍ୟତ୍ ସଂଯୋଗ କରାଯାଇଥିବା ଯୋଗୁଁ ବିଦୁ୍ୟତ୍ ଆଘାତରେ ମାଈ ହାତୀର ମୃତୁ୍ୟ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି । ଅନ୍ୟପଟେ ହାତୀଟୀ ମୃତୁ୍ୟ ବରଣ କରି ଗଳିତ ଅବସ୍ଥାରେ ପହଞ୍ଚିଥିଲେବି ବନ ବିଭାଗ କୌଣସି ଟେର ପାଇ ନଥିବା ବିଭାଗୀୟ ତତ୍ପରତା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ସ୍ଥାନୀୟ ବିମଳା ଫରେଷ୍ଟ ସେକ୍ସନର ବନପାଳ ଓ ବନରକ୍ଷୀ କିଭଳି ଦାୟିତ୍ୱ ତୁଲାଉଛନ୍ତି ଏହି ଘଟଣାରୁ ଜଳ ଜଳ ବାରୀ ହୋଇ ପଡ଼ୁଛି । ହାତୀଙ୍କୁ ନିରୀକ୍ଷଣ ସରକାର ଜିପିଏସ ଟ୍ରାକିଂ, ଡ୍ରୋନ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ସାଙ୍ଗକୁ ଓ ପାଦଚଲା ଟ୍ରାକିଂର ନିୟମ କରିଥିବା ବେଳେ ବିମଳା ସେକ୍ସନରେ ସବୁ ଫେଲ ମାରିଥିବା ଅଭିଯୋଗ ହୋଇଛି ।ମୋଟା ଅଙ୍କର ଦରମା ପାଇ ବନ କର୍ମଚାରୀ ମାନେ ଏତେ ପ୍ରଭାବ ଶାଳୀ ହୋଇ ପଡିଛନ୍ତି ଯେ କାର୍ଯ୍ୟରେ ଅବହେଳା କରିବା ସହିତ ବିଭାଗୀୟ ନୀତି ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ।ଯାହାକୁ ନେଇ ତେଲକୋଇ ଅଞ୍ଚଳର ପରିବେଶବିତ୍ ଓ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।