ମାଗଣା ଯୋଜନା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ


ଜୀବ- ବିଜ୍ଞାନ ଭାଷାରେ ପରଜୀବୀ ଏମିତି ଜୀବାଣୁ ବା କୀଟାଣୁ ଯେଉଁମାନେ କୌଣସି ଅନ୍ୟ ଜୀବଙ୍କ ଭିତରେ ରହି ସେମାନଙ୍କଠାରୁ ଖାଦ୍ୟ ଗ୍ରହଣ କରିଥାନ୍ତି ।  ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ମାଗଣା ଜିନିଷ ଉପରେ ଆଶ୍ରିତ ଲୋକ ଏବଂ ସରକାରଙ୍କ ଉପରେ ଦେଶର ସର୍ବୋଚ୍ଚ ଅଦାଲତ ଏମିତି କିଛି କଟାକ୍ଷପୂର୍ଣ୍ଣ ମନ୍ତବ୍ୟ  ଦେଇଛନ୍ତି । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କ ଦ୍ୱାରା ନଗଦ ଧନରାଶି ଏବଂ ମାଗଣା ସୁବିଧା ଦେବା ପାଇଁ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଉଛି ତା ଉପରେ ସର୍ବୋଚ୍ଚ ଅଦାଲତ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ “ରାଷ୍ଟ୍ରୀୟ ବିକାଶ ପାଇଁ ଲୋକଙ୍କୁ ମୁଖ୍ୟ ଧାରାରେ ସାମିଲ କରିବା ପରିବର୍ତ୍ତେ କ’ଣ ଆମେ ପରଜୀବୀଙ୍କ  ଏକ ବର୍ଗ ସୃଷ୍ଟି କରୁନାହେଁ କି?” ସର୍ବୋଚ୍ଚ ଅଦାଲତର ବିଚାରପତି ବି.ଆର.ଗବଇ  କହିଥିଲେ ଯେ ମାଗଣା ରାସନ ଏବଂ ଅର୍ଥ ମିଳିବାରୁ ଏହି ଲୋକମାନେ କାମ କରିବା ପାଇଁ ପ୍ରସ୍ତୁତ ହେଉନାହାଁନ୍ତି । ସହରାଞ୍ଚଳ ବିଶେଷ କରି ଦିଲ୍ଲୀର ବାସହରାଙ୍କ ଆଶ୍ରୟର ଅଧିକାର ସହ ଜଡ଼ିତ ପ୍ରସଙ୍ଗ ଉପରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣିବେଳେ ବିଚାରପତି ଗବଇ ଏଭଳି ମନ୍ତବ୍ୟ ଦେଇଛନ୍ତି ।  ଜନସ୍ୱାର୍ଥ ମାମଲାର ଶୁଣାଣି କରୁଥିଲେ ବିଚାରପତି ଗବର ଓ ବିଚାରପତି ଅଗଷ୍ଟିନ ଜର୍ଜ ମଶୀହ । ମାମଲାର ଶୁଣାଣି ବେଳେ କେନ୍ଦ୍ରସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଓକିଲଙ୍କୁ ଏଭଳି ପ୍ରଶ୍ନ କରିଥିଲେ ବିଚାରପତି ଗବଇ । ସର୍ବୋଚ୍ଚ ଅଦାଲତଙ୍କ ଏଭଳି ଚିନ୍ତା ରାଷ୍ଟ୍ରୀୟ ସ୍ୱାର୍ଥ ପରିପ୍ରେକ୍ଷୀରେ ଠିକ୍ ବୋଲି କୁହାଯାଇପାରେ । ଏକଥା ମଧ୍ୟ ସତ୍ୟ ଯେ ମାଗଣା ରାସନ ଏବଂ ଅର୍ଥ ମିଳିବାରୁ ଲୋକ ଆଳସ୍ୟ ପରାୟଣ ଏବଂ କାମଚୋର ହୋଇଯାଉଛନ୍ତି । ଦେଶରେ ଏଭଳି ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଭାରତ ସରକାର ଦେଶର ୮୧ କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ଦେଉଛନ୍ତି । ବିଧାନସଭା ନିର୍ବାଚନ ପୁର୍ବରୁ ମଧ୍ୟପ୍ରଦେଶ ରାଜ୍ୟ ସରକାର ଲାଡ଼ଲି ବହନ ଯୋଜନାରେ ପ୍ରତିମାସରେ ୧୨୫୦ ରୁ ୩ହଜାର ଟଙ୍କା ନଗଦ ଦେବାପାଇଁ ଲାଳସା ଦେଖାଇ ଭୋଟର ମାନଙ୍କୁ ଆକର୍ଷିତ କରିଥିଲେ । ଫଳସ୍ୱରୂପ ଭୋଟର ମାନଙ୍କର ଏକ ବଡ଼ ଭାଗ ମାଗଣାରେ ଟଙ୍କା ପାଇବା ଆଶାରେ ଭୋଟ ଦେଇଥିଲେ । ଏହା ସାମ୍ବିଧାନିକ ଗଣତନ୍ତ୍ର ପାଇଁ ଠିକ୍ ନୁହେଁ । ନିର୍ବାଚନ ଲୋକ-ପର୍ବ ଅବସରରେ ମାଗଣାରେ ଉପହାର ବାଣ୍ଟିବାର ଘୋଷଣା ସବୁ ରାଜନୈତିକ ଦଳମାନେ କରୁଛନ୍ତି । କିନ୍ତୁ ନିର୍ବାଚନ ପରେ ଅନେକ ପ୍ରତିଶୁ୍ରତି ପୂରଣ ହୁଏନାହିଁ । ଏସବୁ ସତ୍ତ୍ୱେ ଭୋଟରଙ୍କୁ ପ୍ରଲୋଭନ ଦେଇ ରାଜନୈତିକ ଦଳ ଏବଂ ପ୍ରାର୍ଥୀ ନିଜର ସ୍ୱାର୍ଥ ହାସଲ କରିବାରେ ସଫଳ ହୋଇଥାନ୍ତି । କିନ୍ତୁ ଏବେ ଦେଶର ସର୍ବୋଚ୍ଚ ଅଦାଲତ ଏହି ନିର୍ବାଚନୀ (ମାଗଣା) ପ୍ରତିଶ୍ରୁତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ମାଗଣାରେ ଦିଆଯିବାର ପ୍ରତିଶ୍ରୁତିକୁ ନେଇ ଅନେକବାର ମନ୍ତବ୍ୟ ଦେଇଛନ୍ତି କିନ୍ତୁ ବିଜେପି ମଧ୍ୟ ନିର୍ବାଚନରେ ଲୋକଙ୍କୁ ମାଗଣାରେ ଅନେକ କିଛି ଦେବାର ପ୍ରତିଶ୍ରୁତିରୁ ପଛରେ ନାହିଁ । ଲୋକସଭା ନିର୍ବାଚନ ପରେ ହରିଆଣା, ମହାରାଷ୍ଟ୍ର ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ କାରଣ ପଛରେ ମଧ୍ୟ ମାଗଣା ଦେବାର ପ୍ରତିଶ୍ରୁତିର ଭୂମିକା ରହିଛି । ରାଜନୈତିକ ଦଳ ମାନଙ୍କର ଏଭଳି ପ୍ରତିଶ୍ରୁତି ଉପରେ ପ୍ରତିବନ୍ଧ ଲଗାଯିବା ଜରୁରି କାରଣ ଏସବୁ ଲୋକଙ୍କୁ ଆକର୍ଷିତ କରିବାର ପ୍ରତିଶ୍ରୁତିର ଦୁଇ ପ୍ରକାରର ପ୍ରଭାବ ଦେଖିବାକୁ ମିଳିଛି । ପ୍ରଥମତଃ ଏଭଳି ପ୍ରତିଶ୍ରୁତି କାରଣରୁ ଭୋଟରମାନେ ନିରପେକ୍ଷ ନିଷ୍ପତ୍ତି ନେଇପାରି ନଥାନ୍ତି ଏବଂ ଦ୍ୱିତୀୟତଃ ଲୋକଙ୍କୁ ଦିଆଯାଉଥିବା ପ୍ରତିଶ୍ରୁତିି କାରଣରୁ ଅର୍ଥବ୍ୟବସ୍ଥା ଉପରେ ଅତିରିକ୍ତ ବୋଝ ମଧ୍ୟ ପଡିଥାଏ । ଦୁର୍ଭାଗ୍ୟପୁର୍ଣ୍ଣ କଥା ହେଉଛି ଏବେ ନିର୍ବାଚନରେ ନୀତି ବା ଲୋକଙ୍କ ପ୍ରସଙ୍ଗ କଥା ପରିବର୍ତ୍ତେ ପ୍ରଲୋଭନର କଥା ହିଁ ଅଧିକ ଦେଖାଯାଉଛି । ଆଦର୍ଶ ନିର୍ବାଚନ ସଂହିତାଙ୍କୁ ଠିକ୍ ଭାବରେ କେହି ମାନୁନାହାଁନ୍ତି । ରାଜନୈତିକ ଦଳମାନଙ୍କ ପ୍ରତିଶ୍ରୁତି ନିର୍ବାଚନ ପ୍ରକ୍ରିୟାକୁ ପ୍ରଦୂଷିତ କରୁଛି ।  ଯଦି ଏହି ମାଗଣା/ପ୍ରଲୋଭନକୁ ଆଦର୍ଶ ବୋଲି ଗ୍ରହଣ କରାଯିବ ତେବେ ଏହାକୁ ନିର୍ବାଚନ ଆଚରଣ ସାମିଲ କରାଗଲେ କ୍ଷତି ବା କ’ଣ?
ପ୍ରକୃତରେ ଯଦି ରାଜନୈତିକମାନେ ନିର୍ବାଚନ ବେଳେ ଦେଉଥିବା ପ୍ରତିଶ୍ରୁତି ପୁରଣ କରୁଥାନ୍ତେ ତେବେ ପଞ୍ଜାବରେ ୭ହଜାରରୁ ଅଧିକ କୃଷକ ଆତ୍ମହତ୍ୟା କରିନଥାନ୍ତେ । ରାଜନୈତିକ ଦଳମାନଙ୍କ ପ୍ରତିଶ୍ରୁତିର ଓଲଟା ପ୍ରକୃତପକ୍ଷେ ଏବେ ଅଧିକ ଜରୁରି ହୋଇପଡିଛି ଶାସନ-ପ୍ରଶାସନକୁ ଭ୍ରଷ୍ଟାଚାର ମୁକ୍ତ କରାଯିବା । ରାଜନୈତିକ ଦଳମାନେ ଦେଉଥିବା ପ୍ରତିଶ୍ରୁତି ଦଳର ଇସ୍ତାହାରରେ ପ୍ରାୟତଃ ନଥାଏ । ଦିଲ୍ଳୀରେ ଆମ ଆଦ୍ମୀ ପାର୍ଟି ଏକ ସମୟରେ ଭ୍ରଷ୍ଟାଚାର ମୁକ୍ତ ସରକାରର କଥା କହିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଆମ୍ଆଦ୍ମୀ ପାର୍ଟି ଏକଥାକୁ କାର୍ଯ୍ୟରେ ପରିଣତ କରିପାରିନଥିଲେ । ଆମ୍ଆଦ୍ମୀ ପାର୍ଟିର ୩ୟ କାର୍ଯ୍ୟାକାଳରେ ମଦନୀତି ଦୁର୍ନୀତି ଏବଂ ଶୀଶ ମହଲ ଭଳି ପ୍ରସଙ୍ଗ ଦଳ ନିର୍ବାଚନରେ ହାରିବାର ଏକ ପ୍ରମୁଖ କାରଣ ଥିଲା । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହ ଅତିଗରିବ ପରିବାରକୁ ମାଗଣାରେ ଏକ ବଲ୍ବ(ବିଦୁ୍ୟତ୍) କନେକସନ ଦେବାର ପ୍ରତିଶ୍ରୁତି ଦେଇଥଲେ । ଏହା ହେଉଛି ୮୦ ଦଶକର କଥା । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ନିର୍ବାଚନ ବେଳେ ପ୍ରତିଶ୍ରୁତିର ବର୍ଷା କରି ଦେଇଥିଲେ । ଜୟ ଲଳିତାଙ୍କ ଏହି ପ୍ରତିଶ୍ରୁତିକୁ ନେଇ ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା । ଦାଏର କରାଯାଇଥିବା ଜନସ୍ୱାର୍ଥ ମାମଲାରେ ଅନ୍ନାଦ୍ରମୁକର ନିର୍ବାଚନୀ ପ୍ରତିଶ୍ରୁତିିକୁ ଭ୍ରଷ୍ଟ ଆଚରଣ ଓ ଏହାକୁ ଅଣସାମ୍ବିଧାନିକ ବୋଲି ଗ୍ରହଣ କରିବା ପାଇଁ ଆବେଦନକର୍ତ୍ତା ମାନ୍ୟବର ଅଦାଲତଙ୍କୁ ନିବେଦନ କରିଥିଲେ । କିନ୍ତୁ ସେତେବେଳେ ସେହି ଜନସ୍ୱାର୍ଥ ମାମଲାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଥିଲେ । ସେ ସମୟରେ ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଦଳର ଇସ୍ତାହାରରେ ଉଲ୍ଲେଖ କରାଯାଇଥିବା ପ୍ରତିଶ୍ରୁତିି (ପ୍ରଲୋଭନ)କୁ ଭ୍ରଷ୍ଟ ଆଚରଣ କୁହାଯାଇ ପାରିବ ନାହିଁ । ନିର୍ବାଚନର ନିୟମ ଓ ଜନପ୍ରତିନିଧିତ୍ୱ ଆଇନ୍ରେ ଏଭଳି କୌଣସି ପ୍ରାବଧାନ ନାହିଁ ଯେଉଁ ପ୍ରାବଧାନ ପାଇଁ ନିର୍ବାଚନ ପ୍ରତିଶ୍ରୁତିିକୁ ବେଆଇନ୍ ବା ଭ୍ରଷ୍ଟ ଆଚରଣ ବୋଲି କୁହାଯାଇ ପାରିବ  । ସର୍ବୋଚ୍ଚ ଅଦାଲତ ସେତେବେଳେ ମଧ୍ୟ କହିଥିଲେ ଯେ ଏଭଳି ମାମଲାରେ ହସ୍ତକ୍ଷେପ କରିବା ଅଦାଲତଙ୍କ ଅଧିକାର କ୍ଷେତ୍ର ମଧ୍ୟରେ ନାହିଁ । କିନ୍ତୁ ଏସବୁ ପ୍ରସଙ୍ଗ ଉପରେ ବିଚାର କରି ସଠିକ୍ ନିର୍ଣ୍ଣୟ ବିଧାୟିକା (ସଂସଦ/ ବିଧାନସଭା) ହିଁ ନେଇ ପାରିବେ । ମାନ୍ୟବର ଅଦାଲତ ଯଦିଓ ନିର୍ବାଚନ କମିଶନଙ୍କୁ ନିର୍ଦେଶ ଦେଇଥିଲେ ନିର୍ବାଚନୀ ଘୋଷଣା ପତ୍ରକୁ ମର୍ଯ୍ୟାଦାପୂର୍ଣ୍ଣ କରିବା ପାଇଁ ଯାହାଦ୍ୱାରା ଆଦର୍ଶ ନିର୍ବାଚନ ସଂହିତାର ପାଳନ ହୋଇପାରିବ । ଏହି ପରିପ୍ରେକ୍ଷୀରେ ଏକ ଅସୁବିଧା ହେଉଛି ରାଜନୈତିକ ଦଳମାନଙ୍କ ଉପରେ ନିର୍ବାଚନ କମିଶନଙ୍କ ଅନୁଶାସନାତ୍ମକ ନିୟନ୍ତ୍ରଣ ନିର୍ବାଚନର ଅଧିସୂଚନା ଜାରି ହେବା ପରେ ହିଁ ହୋଇଥ୍ାଏ । କିନ୍ତୁ ଦଳମାନଙ୍କ ନିର୍ବାଚନୀ  ଇସ୍ତାହାର ଅନେକାଂଶରେ ଏହି ଅଧିସୂଚନା ଜାରି ହେବା ପୂର୍ବରୁ ଜାରି କରାଯାଇଥାଏ । କିନ୍ତୁ ନିର୍ବାଚନୀ ସଭାରେ ରାଜନୈତିକ ଦଳମାନେ ଇସ୍ତହାରରେ ନଥିବା  ଅନେକ ପ୍ରତିଶ୍ରୁତିି ଲୋକଙ୍କୁ ଦେଇଥାନ୍ତି ଯାହା ଆଦର୍ଶ ନିର୍ବାଚନ ସଂହିତାର ଉଲଂଘନ । ବିଡ଼ମ୍ବନା ହେଉଛି ଆଦର୍ଶ ନିର୍ବାଚନ ସଂହିତାରେ ନା କୌଣସି ଦଣ୍ଡାତ୍ମକ ବା ଦଣ୍ଡିତ କରାଯିବା ପାଇଁ ଆଇନ୍ ରହିଛି ନା ସଂହିତାରେ ବୈଧ-ଅବୈଧର ଅବଧାରଣା ପରିଭାଷିତ କରଯାଇଛି । ରାଜନୈତିକ ଦଳମାନେ ସହଯୋଗ କଲେ ହିଁ ନିର୍ବାଚନ କମିଶନ ଆଦର୍ଶ ନିର୍ବାଚନ ସଂହିତାକୁ ଲାଗୁ କରାଇ ପାରନ୍ତେ କିନ୍ତୁ ପ୍ରଶ୍ନ ଉଠୁଛି ରାଜନୈତିକ ଦଳମାନେ ଯଦି ଅସହଯୋଗ କରୁଛନ୍ତି ତେବେ ନିର୍ବାଚନ କମିଶନ ଚୁପ୍ ହୋଇ ରହୁଛନ୍ତି କେମିତି? ପ୍ରାର୍ଥୀମାନେ ମଧ୍ୟ ଜାଣିଛନ୍ତି ଯେ ତାଙ୍କ ପ୍ରାର୍ଥୀତ୍ୱକୁ ନିର୍ବାଚନ କମିଶନ ତୁରନ୍ତ ରଦ୍ଦ କରିପାରିବେ ନାହିଁ, ଏଣୁ ସେମାନେ ନିର୍ବାଚନ କମିଶନଙ୍କୁ ଅଧିକ ଗୁରୁତ୍ୱ ଦେଉନାହାଁନ୍ତି । ମାନ୍ୟବର ସର୍ବୋଚ୍ଚ ଅଦାଲତ ଫେବୃୟାରୀ ୧୨ ତାରିଖରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତା ପୂର୍ବରୁ ଅନେକବାର ଏଭଳି ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ୨୦୨୪ ମସିହା ଅକ୍ଟୋବର ଏବଂ ଡିସେମ୍ବର ମାସରେ ମଧ୍ୟ ଅଦାଲତ ଏଭଳି ପ୍ରଶ୍ନ କରିଥିଲେ । ୨୦୨୪ ଅକ୍ଟୋବରରେ ମାନ୍ୟବର ଅଦାଲତ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରି ପ୍ରଶ୍ନ କରିଥିଲେ ଯେ ନିର୍ବାଚନ ପୂର୍ବରୁ ଦଳମାନେ ଘୋଷଣା କରୁଥିବା ମାଗଣା ଯୋଜନାକୁ ଲାଞ୍ଚ ବୋଲି କାହିଁକି ଗ୍ରହଣ କରାନଯିବ? ୨୦୨୪ ଡିସେମ୍ବରରେ ଅଦାଲତ ମାଗଣା ରାସନ ବିତରଣ ଉପରେ ମନ୍ତବ୍ୟ ଦେଇ ସରକାର ରୋଜଗାର ସୃଜନ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି କହିଥିଲେ । ୨୦୧୩ ମସିହାରେ ମଧ୍ୟ ମାନ୍ୟବର ଅଦାଲତ ମାଗଣା ଉପହାରର ଏହି ରାଜନୀତି ବିରୋଧରେ ନିର୍ବାଚନ କମିଶନଙ୍କୁ ଦିଶା ନିର୍ଦେଶ ଜାରି କରିବାକୁ କହିଥିଲେ । ଏମିତି ଅନେକବାର ଅଦାଲତ ମନ୍ତବ୍ୟ ଦେଉଛନ୍ତି କିନ୍ତୁ ରାଜନୈତିକ ଦଳମାନଙ୍କ ଚରିତ୍ରରେ ତିଳେମାତ୍ର ପରିବର୍ତ୍ତନ ଦେଖାଯାଉନାହିଁ ।
ରାମଚନ୍ଦ୍ରପୁର, ରଣପୁର
 ମୋ:୯୪୩୮୪୮୫୦୯୪