ମାଟିରୁ ଆକାଶର ସ୍ୱପ୍ନ ପାଇଲଟ୍ ସୋନାଲିକା

ନରସିଂହପୁରର ଝିଅ  । ପିଲାବେଳେ ଆକାଶରେ ଉଡ଼ାଜାହାଜର ଶବ୍ଦ ଶୁଭିଲେ ଘରୁ ପଦାକୁ ପଳାଇ ଆସେ  । ଆଖିଆଗରୁ ଅପସରି ଯିବା ପର୍ଯ୍ୟନ୍ତ ସେମିତି ଚାହିଁରହେ  । ହେଲେ ସେଦିନ ସେ କେବେ ଭାବିନଥିଲେ, ଦିନେ ସେ ବି ପାଇଲଟ ହୋଇ ଆକାଶରେ ବିମାନ ଉଡ଼ାଇବେ  । କିନ୍ତୁ ବଡ଼ ହେଲା ପରେ...ଖାଲିଯେ, ଏମିତି ସ୍ୱପ୍ନ ଦେଖିଲେ ତାହା ନୁହେଁ, ବରଂ ତାକୁ ସାକାର କରିବା ପାଇଁ ହରଦମ୍ ଲାଗିପଡ଼ିଲେ  । ଝିଅଟେ ହେଲେ ବି କ’ଣ ହେଲା ? ଆକାଶରେ ସେ ବି ବିମାନ ଉଡ଼ାଇପାରିବ  । କୋଟିକୋଟି ଝିଅଙ୍କ ପାଇଁ ଓଡ଼ିଆ ଝିଅ ସୋନାଲିକା ମିଶ୍ର ଆଜି ପ୍ରେରଣା ପାଲଟି ଯାଇଛନ୍ତି  । ‘ସୂର୍ଯ୍ୟପ୍ରଭା’ କାର୍ଯ୍ୟାଳୟକୁ ଆସିଥିବାବେଳେ ତାଙ୍କୁ ସାକ୍ଷାତ କରିଥିଲେ ଆମ ପ୍ରତିନିଧି ହେନାମଞ୍ଜରୀ ସ୍ୱାଇଁ  ।

ସୂର୍ଯ୍ୟପ୍ରଭା : ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ  । ଆପଣ ଆମ ଝିଅମାନଙ୍କ ପାଇଁ ପ୍ରେରଣାର ଆଉ ଏକ ଉତ୍ସ ପାଲଟିଗଲେ  । 
ସୋନାଲିକା : ସୂର୍ଯ୍ୟପ୍ରଭାକୁ ଧନ୍ୟବାଦ  ।
ସୂର୍ଯ୍ୟପ୍ରଭା : ଦିନ ଥିଲା, ଝିଅମାନେ ବାଇକ୍ ଚଳାଇ ପାରିବେନି ବୋଲି ବିନା ଗିଅର ସ୍କୁଟର ବାହାରିଥିଲା  । ହେଲେ ଆଜି ଝିଅଟେ ଆକାଶରେ ବିମାନ ବି ଉଡ଼ାଉଛି  । ଏନେଇ କ’ଣ କହିବେ ?
ସୋନାଲିକା : ହଁ, ସେଇଟା ସତ କଥା  । କିନ୍ତୁ ଆଜିର ଜେନେରେସନ୍ ବଦଳି ଯାଇଛି  । ଆପଣ ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସହରକୁ ଗଲେ ଝିଅମାନେ ବୁଲେଟ୍, ସ୍ପିଡ଼ ବାଇକ୍ ଚଳାଉଥିବା ବି ଦେଖିବାକୁ ପାଇବେ  । ଏବେ ପରୀକ୍ଷା ଫଳ ବାହାରିଲା  । ପୁଅଙ୍କୁ ଝିଅମାନେ ବି ପଛରେ ପକାଇଦେଲେ  । ଏମିତି କିଛି ନାହିଁ, ଝିଅମାନେ କରିପାରିବେନି  । ଆକାଶ ଉଡ଼ାଣ ଭରିବା ପାଇଁ ହୋଇଛି  । ଆଜିକା ଦିନରେ କୌଣସି କାମ ପାଇଁ ପୁଅ କି ଝିଅ ବଡ଼ କଥା ନୁହେଁ, ବରଂ ପରିଶ୍ରମ, ନିଷ୍ଠା, ଜିଦ୍ ହିଁ ସଫଳତାର ମାପକାଠି  । ‘ଅପରେସନ୍ ସିନ୍ଦୂର’ର ପ୍ରେସବିବୃତ୍ତି ବେଳେ ଆପଣମାନେ ଆମ ଝିଅଙ୍କ ସାହସ, ଶକ୍ତିର ନିଦର୍ଶନ ଦେଖିଥିବେ  । 
ସୂର୍ଯ୍ୟପ୍ରଭା : ଏଥିପାଇଁ ଆପଣ ନିଜକୁ କେମିତି ପ୍ରସ୍ତୁତ କରିଥିଲେ ? ଆପଣ କ’ଣ ପାଇଲଟ୍ ହେବାକୁ ଚାହୁଁଥିଲେ ?
ସୋନାଲିକା : ବାସ୍ତବରେ ମୁଁ ପ୍ରଥମେ ପାଇଲଟ୍ ହେବାକୁ ଭାବିନଥିଲି  । ଏୟାର କ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟରିଂ ପାଠ ପଢ଼ିବା ପରେ ମୁଁ କୋଲକାତା ଏୟାର ଇଣ୍ଡିଆର ଏଏମଇରେ ଟ୍ରେନିଂ କରିଥିଲି  । ସେଠାରେ ଏୟାର କ୍ରାଫ୍ଟର ମେଣ୍ଟେନାନ୍ସ କରୁକରୁ ଆକାଶରେ ବିମାନ ଉଡ଼ାଇବା ପାଇଁ ଆଗ୍ରହ ହେଲା  । ଏନେଇ ବାପାମା’ଙ୍କୁ କହିଲି  । ତା’ପରେ ଟ୍ରେନିଂ ନେଇ ଏବେ କମର୍ସିଆଲ ପାଇଲଟ୍ ପାଇଁ ଲାଇସେନ୍ସ ପାଇଛି  । 
ସୂର୍ଯ୍ୟପ୍ରଭା : ଆପଣଙ୍କ ବାପା କ’ଣ ଏ ପ୍ରସ୍ତାବରେ ରାଜି ହୋଇଗଲେ ? କାହିଁକିନା ଖର୍ଚ୍ଚ, ସଫଳତାର ସମ୍ଭାବନା କିମ୍ବା ଆଶଙ୍କା, ଏମିତି ଅନେକ କଥା ତାଙ୍କୁ ଭାବିବାକୁ ପଡ଼ିଥିବ  ।
ସୋନାଲିକା : ବାପାଙ୍କର ମୋ ଉପରେ ବିଶ୍ୱାସ ଥିଲା  । ହେଲେ ମୋ ଜେଜେବାପା, ଜେଜେମା’ ମୁଁ ପାଇଲଟ ହୁଏ ବୋଲି ବେଶୀ ଚାହିଁଲେ  । କାହିଁକିନା ଆମ ଅଞ୍ଚଳର କୌଣସି ଝିଅ ପାଇଲଟ୍ ହୋଇନଥିଲେ  । ମାମା ବି ରାଜି ହେଲା  । ଶେଷରେ ମୁଁ ପାଇଲଟ୍ ହେବାକୁ ଅଣ୍ଟା ଭିଡ଼ିଲି  । ସମସ୍ତଙ୍କ ଆଶୀର୍ବାଦ ଓ ସହଯୋଗରେ ଆଜି ମୁଁ ପାଇଲଟ୍ ହୋଇପାରିଛି  । ମୋଟାମୋଟି କହିଲେ, ବାପାଙ୍କ ଆର୍ଥିକ ଶକ୍ତି, ମା’ଙ୍କ ମନୋବଳ ଓ ଜେଜେବାପା, ଜେଜେମା’ଙ୍କ ଆଶୀର୍ବାଦ ପାଇଁ ମୁଁ ସଫଳ ହୋଇଛି  । 
ସୂର୍ଯ୍ୟପ୍ରଭା : ଏଥିପାଇଁ କିଭଳି ପ୍ରସ୍ତୁତି କରିବାକୁ ପଡ଼େ ? ପାଇଲଟ୍ ହେବା ପାଇଁ ଆଶାୟୀଙ୍କୁ ଆପଣ କି ପରାମର୍ଶ ଦେବେ ?
ସୋନାଲିକା : ଏଥିପାଇଁ ଡିଜିସିଏର ୬ଟା ପେପର ପରୀକ୍ଷା ଦେବାକୁ ପଡ଼େ  । ଏଥିପାଇଁ ସ୍ୱତନ୍ତ୍ର କମ୍ପୁ୍ୟଟର ନମ୍ବର ମିଳେ  । ଡିଜିସିଏ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଆରମ୍ଭ ହୁଏ ଫ୍ଲାଇଂ ଟ୍ରେନିଂ  । ୨୦୦ ଘଣ୍ଟାର ଉଡ଼ାଣ ଭରିବା ପରେ ହିଁ ପାଇଲଟ୍ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡ଼େ  ।  ଟ୍ରେନିଂ ଶେଷ କରିବା ପରେ ଲାଇସେନ୍ସ ଆବେଦନ କରାଯାଏ  । ଅପ୍ରେଲ ୨୦୨୫ରେ ମୁଁ ଲାଇସେନ୍ସ ପାଇଁ ଆବେଦନ କରିଥିଲି, ମେ’ରେ ମୋତେ ଲାଇସେନ୍ସ ମିଳିଲା  ।
ସୂର୍ଯ୍ୟପ୍ରଭା : ଏଥିପାଇଁ ତ ବହୁତ ଖର୍ଚ୍ଚ କରିବାକୁ ପଡ଼ିଥିବ  । ଜଣେ ଗରିବ ପିଲା କ’ଣ ଏହି ସ୍ୱପ୍ନ ଦେଖିପାରିବ ? ସରକାରଙ୍କ ପାଖରେ କି ଦାବି କରିବେ ?
ସୋନାଲିକା : ଦେଖନ୍ତୁ ନିଶ୍ଚିତ ଭାବେ ଏଥିପାଇଁ ବହୁତ ଖର୍ଚ୍ଚ କରିବାକୁ ପଡ଼ିବ  । ପାଖାପାଖି ୪୨ ଲକ୍ଷରୁ କୋଟିଏ ଟଙ୍କା ବି ଖର୍ଚ୍ଚ ହେଉଛି  । ତାହା ପୁଣି ଟ୍ରେନିଂ ଦେଉଥିବା ବିମାନ କମ୍ପାନୀ ହିସାବରେ ଭିନ୍ନ ଭିନ୍ନ ହୋଇଥାଏ  । ମୋ ସହ କର୍ଣ୍ଣାଟକର ମନ୍ଦିର ପୂଜାରୀଙ୍କ ଝିଅ ବି ଟ୍ରେନିଂ ନେଉଥିଲେ  । ସେ ତାଙ୍କ ଘର ବନ୍ଧା ପକାଇ ଝିଅକୁ ଟ୍ରେନିଂ ଦେଉଥିଲେ  । ଓଡ଼ିଶାରେ ଏଥିପାଇଁ ବେଶୀ ସୁବିଧା ନାହିଁ  । ଗୋଟିଏ ମାତ୍ର ଫ୍ଲାଇଂ ସ୍କୁଲ୍ ଅଛି, ସେ ସ୍କୁଲ ବି ସେତେ ଦକ୍ଷ ନୁହେଁ  । ସରକାର ସେ ଦିଗରେ ବି ପଦକ୍ଷେପ ନେବା କଥା  । କାହିଁକିନା ଏବେ ରାଜ୍ୟରେ ବିମାନ ଯୋଗାଯୋଗ ବେଶ୍ ବଢ଼ିଗଲାଣି  । ଅନ୍ୟ ପାଠ୍ୟକ୍ରମ ପାଇଁ ଯେଭଳି ସରକାରୀ ପ୍ରୋତ୍ସାହନ ମିଳୁଛି, ଏକ୍ଷେତ୍ରରେ ବି ସରକାର ପିଲାମାନଙ୍କୁ ପ୍ରୋତ୍ସାହନ ଦେଲେ ଆହୁରି ଅନେକ ପାଇଲଟ୍ ସୃଷ୍ଟି ହୋଇପାରନ୍ତେ  । 

କ’ଣ କହନ୍ତି ସୋନାଲିକାଙ୍କ ବାପା?
ପ୍ରଥମେ ଝିଅ ମୋତେ ପାଇଲଟ୍ ହେବା ପାଇଁ କହିବାରୁ ମୁଁ ହଠାତ୍ ରାଜି ହୋଇପାରିନଥିଲି  । ମାନସିକସ୍ତରରେ ବି ଦୁର୍ବଳ ଥିଲି  । ହେଲେ ମୋ ବାପା’ ବୋଉଙ୍କ ଉତ୍ସାହ, ପ୍ରୋତ୍ସାହନ, ପନôୀଙ୍କ ପ୍ରେରଣା ପାଇବା ପରେ ମୁଁ ରାଜି ହୋଇଥିଲି  । କାହିଁକିନା ମୁଁ ଭାବିନଥିଲି, ଝିଅଟେ ବି ପାଇଲଟ୍ ହୋଇପାରେ  । ନରସିଂହପୁରରୁ ଆକାଶରେ ଉଡ଼ାଣ, ଏଭଳି ସ୍ୱପ୍ନ ମୁଁ କେବେ ଦେଖିନଥିଲି  । ହେଲେ ଝିଅ ଉପରେ ମୋର କନଫିଡ଼େନ୍ସ ଥିଲା  । ସେ ଭାରି ଜିଦିଆ  । ପ୍ରତିଟି କାମକୁ ନିଷ୍ଠାର ସହ କରେ  । ତେଣୁ ମୁଁ ଭାବିଦେଲି ଝିଅ ନିଶ୍ଚିତ ସଫଳ ହେବ  । ପରିବାର ଲୋକମାନେ ବି ରାଜି ହେବାରୁ ମୁଁ ସହମତ ହେଲି  । ତା’ପରେ ମୋ ବାପା ଜଣେ ସୁନାମଧନ୍ୟ ଆଡ଼ଭୋକେଟ୍ ଥିଲେ  । ମୋ ବୋଉ ମଧ୍ୟ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ  । ୧୯୭୫ ମସିହାରେ ବି ବହୁବାର ମୋ ବାପା ଇଣ୍ଡିଆନ୍ ଏୟାର ଲାଇନ୍ସରେ ଯାଇଥିଲେ  । ମୋ ବାପା ମୋତେ ସାହାସ ଦେବାରୁ ମୁଁ ଝିଅକୁ ପାଇଲଟ୍ କରିବାକୁ ଚାହିଁଲି  । ଆଜି ମୁଁ ବହୁତ ଖୁସି  । ମୋ ଝିଅ ପାଇଁ ମୁଁ ଆଜି ଗର୍ବିତ  ।