ମାତଃ ଲକ୍ଷ୍ମୀଦେବୀ ନମୋସ୍ତୁତେ

ମାତଃ ଲକ୍ଷ୍ମୀଦେବୀ ନମୋସ୍ତୁତେ

ଅନୀତା ପଟ୍ଟନାୟକ : ଆଜି ମାର୍ଗଶୀର ମାସର ଗୁରୁବାର, ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ବାର। ଗୃହିଣୀମାନେ ବନମାଟି, ଗୋବରରେ ଘରଦ୍ୱାର ଲିପାପୋଛା କରି ସଫା ସୁତୁରା କରନ୍ତି । ଅରୁଆ ଚାଉଳ ବଟା ପିଠଉରେ ଛୋଟି, ଧାନଶିଶା, ଆଙ୍ଗୁଠି ଚିତା ପକାନ୍ତି । ମାର୍ଗଶୀରରେ ପଡ଼ୁଥିବା ଚାରି କିମ୍ବା ପାଞ୍ଚ ପାଳି ଗୁରୁବାରରେ ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ଧାନମାଣଟିଏ ସ୍ଥାପନ କରି ବିଧି ଅନୁସାରେ ପୂଜା କରାଯାଏ । ମାଣବସା ଗୁରୁବାର ଓଷା, ଧାନ ମାଣିକା ଓଷା ଭାବେ ମଧ୍ୟ କଥିତ । ଓଡ଼ିଆ ମାନଙ୍କର ଏହା ନିଜସ୍ୱ ପର୍ବ । ବ୍ରତ ପାଳନରେ ଜାତି-ଅଜାତି, ଭେଦ-ଭାବ ନାହିଁ । ଲକ୍ଷ୍ମୀ ଠାକୁରାଣୀ ନିଷ୍ଠା, ପବିତ୍ରତା ଯେଉଁଠି ଦେଖନ୍ତି, ସନ୍ତୁଷ୍ଟ ହୋଇ ଆପେ ଯାଚି ବରଦାନ କରନ୍ତି । ନିଷ୍ଠାର ସହ ବ୍ରତ ପାଳି ଲକ୍ଷ୍ମୀ ଠାକୁରାଣୀଙ୍କ କୃପା ଲାଭ କରିଥିବା ଅଛୁଅାଁ ଭକ୍ତ ଶ୍ରିୟା ଜଣେ ପ୍ରତୀକାତ୍ମକ ଦୃଷ୍ଟାନ୍ତ । ଏ ବାବଦରେ ବଳରାମ ଦାସ ରଚିତ ଲକ୍ଷ୍ମୀପୁରାଣରେ ବର୍ଣ୍ଣନା କରାଯାଇଛି । ଶ୍ରୀୟା ଘରୁ ବୁଲିଆସି ବଡ଼ ଦେଉଳକୁ ପ୍ରବେଶ କରିବାରୁ, ମହାଲକ୍ଷ୍ମୀଙ୍କୁ ବଳରାମ ଭତ୍ସନା କରିଥିଲେ ଓ ଅପମାନିତା ହୋଇ ଲକ୍ଷ୍ମୀ ବଡ଼ଦେଉଳ ପରିତ୍ୟାଗ କରିଥିଲେ । ଲକ୍ଷ୍ମୀଙ୍କ କୋପରୁ ବଳରାମ ଓ ଜଗନ୍ନାଥଙ୍କୁ ବାର ବର୍ଷ ଧରି ଅନ୍ନ ଜଳ ମିଳିନଥିଲା । ଦୁଇ ଭାଇ ଲକ୍ଷ୍ମୀଛଡ଼ା ହୋଇବୁଲିଥିଲେ । ଶେଷରେ ସେମାନଙ୍କ ଭ୍ରାନ୍ତି ଦୂର ହୋଇଥିଲା ଏବଂ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ସାମାଜିକ ଚଳଣି, ପରିବାରରେ ନାରୀର ଦାୟିତ୍ୱ ଓ ଆଦର୍ଶ ଆଚରଣ, ମନ୍ତ୍ରପାଠ ପରିବର୍ତ୍ତେ ବ୍ୟବହାର, ସୁରୁଚି, ପରିଚ୍ଛନ୍ନତା ଓ ଅନ୍ତରରେ ଭକ୍ତିର ପ୍ରାଧାନ୍ୟ ଆଦି ମାର୍ଗଶୀର ଗୁରୁବାର ମାହାତ୍ମ୍ୟ ।

 
     ଭାରତର ସମ୍ବିଧାନର ୧୭ତମ ନିୟମରେ ଅସ୍ପୃଶ୍ୟତାକୁ ଏକ ଅପରାଧ ରୂପେ ଗଣନା କରାଯାଇଛି । ଅସ୍ପୃଶ୍ୟତା ଅପରାଧ ଆଇନ ୧ଜୁନ ୧୯୫୫ରେ ପ୍ରଣୟନ କରାଯାଇଅଛି ହେଲେ ଆଜି ପର୍ଯ୍ୟନ୍ତ ଓଡ଼ିଶାରୁ ଏ ରୋଗ ସଂପୂର୍ଣ୍ଣ ରୂପେ ବିଲୁପ୍ତ ହୋଇପାରିନାହିଁ । ମାଣବସା ଗୁରୁବାର ଅସ୍ପୃଶ୍ୟତା ଦୂରୀକରଣର ନାରୀ ସଶକ୍ତିକରଣ ଓ ପୁରୁଷ ପ୍ରାଧାନ୍ୟ ହୀନମନ୍ୟତାକୁ ଲୋକଲୋଚନକୁ ଆଣିଥାଏ । ଲକ୍ଷ୍ମୀପୁରାଣରେ ମାଣବସା ଗୁରୁବାରର ମହତ୍ୱ ପ୍ରଦାନ କରାଯାଇଅଛି । କଥାରେ ଅଛି ମହାଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀର ଭକ୍ତିରେ ଆକୃଷ୍ଟ ହୋଇ ଗୃହକୁ ଆଗମନ କରିଥିଲେ । ବଳରାମ ଓ ଜଗନ୍ନାଥ ଏଥିରେ କ୍ଷୁବ୍ଧ ହୋଇ ମହାଲକ୍ଷ୍ମୀକୁ ଶ୍ରୀମନ୍ଦିରରୁ ନିର୍ବାସିତ କରିଥିଲେ । ଏଥିପାଇଁ ମହାଲକ୍ଷ୍ମୀଙ୍କର କୋପ ଓ ଅଭିଶାପର ଶିକାର ହୋଇଥିଲେ । ଏପରିକି ସେମାନଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ଖାଦ୍ୟ ଓ ପାନୀୟ ଜନିତ କ୍ଳେଶ ଭୋଗ କରିବାକୁ ପଡ଼ିଥିଲା । ମହାଲକ୍ଷ୍ମୀ ଚଣ୍ଡାଳୁଣୀର ଘରକୁ ଯାଇ ଅସ୍ପୃଶ୍ୟତାର ଦୂରୀକରଣର କେବଳ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ତାହା ନୁହେଁ ବରଂ ଭଗବାନଙ୍କ ସର୍ବବ୍ୟାପକତାର ପ୍ରମାଣ ଓ ନିଦର୍ଶନ ମଧ୍ୟ ଦେଇଥିଲେ । ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଭଗବାନ ବିଦ୍ୟମାନ ତାହା ସେ ପ୍ରମାଣ କରାଇ ଦେଖାଇଥିଲେ । ମାଣବସା ଗୁରୁବାର ଓଡ଼ିଆ ହିନ୍ଦୁ ନାରୀ ମାନଙ୍କର ଏକ ପର୍ବ ଯାହାକୁ କି ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ବଙ୍ଗଳା ପ୍ରଭୃତି ରାଜ୍ୟରେ ମଧ୍ୟ ପାଳନ କରାଯାଏ । ଯାହାକୁ ବିବାହିତା ନାରୀମାନେ ପାଳନ କରିଥାନ୍ତି । ଏହି ପୂଜାର ଅଧିଷ୍ଠାତ୍ରୀ ଦେବୀ ମା'ମହାଲକ୍ଷ୍ମୀ ଯେ କି ସମୁଦ୍ର (ରତ୍ନାକର)ଙ୍କର କନ୍ୟା । ସେ ଆସିଥାନ୍ତି ଆମର ଦୁଃଖ ଯନ୍ତ୍ରଣାକୁ ସଂପୂର୍ଣ୍ଣ ରୂପେ ଲାଘବ କରିବା ପାଇଁ । କାର୍ତ୍ତିକ ପୂର୍ଣ୍ଣିମା ପରେ ପରେ ମାର୍ଗଶୀରରେ ଏହା ପଡ଼ିଥାଏ ଓ ଚାରଟି ଗୁରୁବାର ଏହା ପାଳିତ ହୋଇଥାଏ । 


      ଏହା ଚାଷ ଓ ଅମଳର ଏକ ମୁଖ୍ୟ ପର୍ବ । ଖରିଫ ଧାନ ଅମଳ ପରେ ନୂଆ ଧାନରେ ପରିବାରର ଉନ୍ନତି ପାଇଁ ପୂଜା କରା ଯାଇଥାଏ । ଲକ୍ଷ୍ମୀ ପୁରାଣରେ ମାଣବସା ଗୁରୁବାରର ମହତ୍ୱ ବର୍ଣ୍ଣନା କରାଯାଇଅଛି । ହେଲେ ସୂର୍ଯ୍ୟୋଦୟ ପୂର୍ବରୁ ଶୁଦ୍ଧପୂତ ହୋଇ ନାରୀମାନେ ଲକ୍ଷ୍ମୀଙ୍କର ଉପାସନା କରିଥାନ୍ତି । ପାନପତ୍ର, ଗୁଆ, ପନିପରିବା, ରଙ୍ଗୀନ କପଡ଼ାରେ ଏକ ଖଟୁଲିକୁ ସୁସଜ୍ଜିିତ କରି ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରାଯାଇଥାଏ । ଖଟୁଲି ଉପରେ ଧାନର ଏକ ଆବରଣ ଦେବା ସହିତ ବାଉଁଶ ବତାରେ ତିଆରି ମାଣରେ ଧାନ ଭର୍ତ୍ତି କରି ଏହା ଉପରେ ସ୍ଥାପନ କରାଯାଏ । ସେ ଦିନ କାକରା, ମଣ୍ଡାପିଠା, କ୍ଷିରୀ, ଖେଚୁଡ଼ି, ଶାଗ, ଚିତୋଉ ପିଠା, ଡାଲମା ଏସବୁ ଭୋଗ କରାଯାଇଥାଏ । ବଳରାମ ଦାସଙ୍କ ଲିଖିତ ଲକ୍ଷ୍ମୀପୁରାଣକୁ ଓଡ଼ିଶା ଘରର ନାରୀମାନେ ପଠନ ଓ ଶ୍ରବଣ କରିଥାନ୍ତି । ସାଧାରଣତଃ ନୂତନ ଧଳାବସ୍ତ୍ରରେ ନାଲି ପଡ଼ିଥିବା ବସ୍ତ୍ର ପରିଧାନ କରିଥାନ୍ତି । ମହାଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନତା ଭଲ ଲାଗେ । ତେଣୁ ସେ ଦିନ ଗୃହକୁ ପରିଷ୍କାର ରଖାଯାଏ । ଘରର ଏରୁଣ୍ଡି ବନ୍ଧରେ ଲକ୍ଷ୍ମୀଙ୍କର ପାଦ ଓ ପଦ୍ମଫୁଲ ଝୋଟି ପକା ଯାଇଥାଏ । ଏହାର କାରଣ ହେଉଛି ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ଏକ ଐଶ୍ୱରିକ ସାତ୍ତ୍ୱିକ ଭାବ ।  “ତ୍ରୈଲୋକେ ପୂଜିତେ ଦେବୀ କମଳେ ବିଷ୍ଣୁବଲ୍ଳବେ ଯଥାତ୍ୱଂ ସୁସ୍ଥିରେ କୃଷ୍ଣେ ତଥାଭବ ମୟିସ୍ଥିରେ” ଏହା ପଢ଼ି ଲକ୍ଷ୍ମୀଙ୍କୁ ସ୍ତୁତି କରାଯାଏ । ସେହିପରି ଏହି ମନ୍ତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଏ । “ନମସ୍ତେ ସର୍ବଦେବାନାଂ ବରଦାସି ହରିପ୍ରୀୟେ ଯା ଗତ ସ୍ତ୍ୱଂ ପ୍ରସନ୍ନାନାଂ ସାମେଭୂୟାତ୍‌ଦର୍ଚ୍ଚନାତ୍‌ । ବିଶ୍ୱରୂପସ୍ୟ ଭାର୍ଯ୍ୟାସି ପଦ୍ମେ ପଦ୍ମାଳୟେ ଶୁଭେ ସର୍ବତେ । ପାହି ମାଂ ମାତଃ ଲକ୍ଷ୍ମୀଦେବୀ ନମୋସ୍ତୁତେ ।” ଏହି ମନ୍ତ୍ରରେ ମା'ଲକ୍ଷ୍ମୀଙ୍କୁ ପ୍ରଣାମ କରାଯାଏ । ଏହା ମଧ୍ୟ କଥାରେ ଅଛି ନାରଦଙ୍କ ମଧ୍ୟସ୍ଥତାରେ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କର ବିବାଦ ତ୍ରୁଟି ଥିଲା । ମହାପ୍ରଭୁ ସର୍ବତ୍ର ବିଦ୍ୟମାନ ଏହାକୁ ଉପଲବ୍ଧି କରି ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ କ୍ଷମା ପ୍ରାର୍ଥନା କରି ବଡ଼ଦେଉଳକୁ ଫେରାଇ ଆଣିଥିଲେ । ଏହିପରି ନାରୀ ସଶକ୍ତିକରଣର ପ୍ରାରମ୍ଭ ହୋଇଥିଲା । ଅସ୍ପୃଶ୍ୟତା ଦୂରୀକରଣର ମୂଳଦୁଆ ପଡ଼ିଥିଲା ଓ ପୁରୁଷ ପ୍ରାଧାନ୍ୟର ହୀନମନ୍ୟତାର ପଦାରେ ପଡ଼ିଥିଲା । 


 ମୋ : ୯୮୬୧୧୧୮୬୭୩