ମାର୍କେଟ କମ୍ପ୍ଲେକ୍ସ ଗୃହର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ
ନିଶ୍ଚିନ୍ତକୋଇଲି : କୃଷି ଓ କୃଷକର ଉନ୍ନତି ପାଇଁ ସରକାର ସଦାସର୍ବଦା ଯତ୍ନଶୀଳ ହେଉଥିବାବେଳେ କୃଷି କାର୍ଯ୍ୟ କରି ବ୍ୟବସାୟ କରୁଥିବା ଚାଷୀମାନଙ୍କ ପାଇଁ ବିଭାଗୀୟ କର୍ମଚାରୀ ପାଷାଣ ପାଲଟିଯାଇଥିବା ଅତ୍ୟନ୍ତ ପରିତାପର ବିଷୟ । ସୂଚନାଯୋଗ୍ୟ ଯେ, ଚାଷୀମାନଙ୍କର ଉନ୍ନତି ପାଇଁ ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟରେ କେନ୍ଦୁପାଟଣାଠାରେ ଏକ ବଜାର ନିୟନ୍ତ୍ରଣ ଅଫିସ ଖୋଲାଯାଇଥିଲା । ଏହି ଅଫିସ ଅଧିନରେ ଚାନେ୍ଦାଳ, ନିଶ୍ଚିନ୍ତକୋଇଲି, ସାଲେପୁର, ପାଗା, ଗୋପୀନାଥପୁର, ଟାଙ୍ଗୀ ଆଦି ବହୁ ହାଟ ସ୍ଥାନ ପାଇବା ସହ ଖରିଫ ଓ ରବି ଫସଲ କରୁଥିବା ଚାଷୀଙ୍କ ଠାରୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ କିଣି ଚାଷୀମାନଙ୍କୁ ଠିକ୍ ସମୟରେ ଅର୍ଥ ପଇଠ କରିବା ପାଇଁ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଏହି ଚାଷୀମାନେ ବ୍ୟବସାୟ କରି ଚଳିବା ପାଇଁ ବହୁ ସ୍ଥାନରେ ଗୃହ ନିର୍ମାଣ କରାଯାଇଛି । ଏଥିମଧ୍ୟରୁ ନେମାଳ ମାର୍କେଟ କମ୍ପ୍ଲେକ୍ସ ଅନ୍ୟତମ । ପ୍ରାୟ୧ କୋଟିରୁ ଉଦ୍ଧ୍ୱର୍ ଟଙ୍କା ବିନିମୟରେ ନେମାଳ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ କରାଯାଇଥିଲେ ବି ସେହି ଗୃହ ଗୁଡିକୁ ଚାଷୀ କିମ୍ବା ବ୍ୟବସାୟୀମାନଙ୍କୁ ଦିଆନଯିବା ପଛରେ କେଉଁ ରାଜନୈତିକ ଅଭିସନ୍ଧି ରହିଛି ତାହା ତଦନ୍ତ ସାପେକ୍ଷ ବୋଲି ବ୍ୟବସାୟୀମାନେ ଦାବି କରିଛନ୍ତି । ଏଥିସହ ବିଭାଗୀୟ କର୍ମଚାରୀଙ୍କ ପକ୍ଷରୁ ଦାୟିତ୍ୱ ନେଇଥିବା ଠିକାଦାର ଏହି କାମ ଠିକ୍ ଭାବେ କରିନଥିବାରୁ ଘରଟି କେତେ ବେଳେ ଭୁଶୁଡି ପଡିବ ତାହା ଅବସମ୍ଭାବୀ ହୋଇ ପଡିଥିବାରୁ ଠିକାଦାରଙ୍କ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ହେବା ସହ ନିର୍ମାଣ କରାଯାଇଥିବା ଗୃହ ଗୁଡିକୁ ଠିକାଦାରୀ ମାଧ୍ୟମରେ ହେଉ କିମ୍ବା ଲିଜ୍ ମାଧ୍ୟମରେ ହେଉ ବ୍ୟବସାୟୀମାନଙ୍କ ବଣ୍ଟନ କରିବା ପାଇଁ ଦାବି ହେଉଛି ।