ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ବୈଠକ
ଆନନ୍ଦପୁର: ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସାଧାରଣ, ପୁଲିସ ଓ ଖର୍ଚ୍ଚ ଉପରେ ଆଲୋଚନା ହୋଇଥିଲା । ଉପ ଜିଲାପାଳ ଫାଲଗୁନି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦୁଝର ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଆଶିଷ ମୋଦି, ଖର୍ଚ୍ଚ ପର୍ଯ୍ୟବେକ୍ଷକ ରାଜ କମଲ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ଓ ଏଥି ସହିତ ଉକ୍ତ ବୈଠକରେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି, ଆଇଏସ ପ୍ରୋବେସନର ପ୍ରେକ୍ଷା ଅଗ୍ରୱାଲ, ଅତିରିକ୍ତ ଉପ ଜିଲାପାଳ ତଥା ଘଷିପୁରା ରିଟର୍ଣ୍ଣିଂ ଅଫିସର କିଶୋର କୁମାର ପଣ୍ଡା ଓ ସହକାରୀ ଜିଲାପାଳ ବନଜା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ପରାମର୍ଶ ଦେଇଥିଲା ବେଳେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିର୍ବାଚନ ଖର୍ଚ୍ଚ ପରିଚାଳନା ସମ୍ପର୍କିତ ଆଇନଗତ ବ୍ୟବସ୍ଥା, ନିର୍ଭୁଲ ଓ ଠିକ୍ ସମୟରେ ହିସାବ ଦାଖଲ ଏବଂଏହାକୁ ପାଳନ ନକରିବା ଫଳରେ ଉପୁଜୁଥିବା ପରିସ୍ଥିତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଶେଷରେ ନିର୍ବାଚନ ପରିଚାଳନା ନିୟମ ଅନୁଯାୟୀ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଉପ ଜିଲାପାଳ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରାର୍ଥୀଙ୍କ ସହଯୋଗ କାମନା କରିଥିଲେ ।