ମା’ ମଙ୍ଗଳାଙ୍କ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ
କୁଆଖିଆ: ବିଶ୍ୱ କଲ୍ୟାଣାର୍ଥେ ମା ମଙ୍ଗଳା ଦେବୀଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ବଡ଼କଇଁଚି ମଧୁବନ ହାଟସ୍ଥିତ ପାଳସାହି ମଙ୍ଗଳା ପୀଠରେ ଅନୁଷ୍ଠିତ ହେଉଛି । ପ୍ରତ୍ୟୁଷରୁ କାୟଶୁଦ୍ଧି, ଦୀକ୍ଷା ଗ୍ରହଣ, ଅଙ୍କୁରାରୋପଣ, ଓ ମଙ୍ଗଳାଧିବାସ ପରେ ମଙ୍ଗଳବାର ଗ୍ରାମ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା ବାହାରି ନିକଟସ୍ଥ ପୁସ୍କରିଣୀରୁ ଜଳ ଆଣି ପାର୍ବତ୍ୟାଗ୍ନୀ ସ୍ଥାପନ ସହିତ ମଣ୍ଡଳାଦି ପୂଜନ ହୋଇଥିଲା । ଗାୟିକା ସୁଲୋଚନା ଦାସ ଓ ସହଯୋଗୀଙ୍କ ଦ୍ୱାରା ପାଲା ପରିବେଷଣ ହୋଇଥିଲା । ବୁଧବାର ଗୁରୁପୂଜା, ସୂର୍ଯ୍ୟ ପୂଜା, ଗୋ-ପୂଜା, ଦେବୀଙ୍କ ଶୋଢଶ ଉପଚାର ଓ ଗୀତାଯଜ୍ଞ ସହିତ ଗ୍ରାମର ମାଆ ମଙ୍ଗଳା ନାଟ୍ୟ ସଂସଦ ଆନୁକୂଲ୍ୟରେ ପ୍ରଥମ ରଜନୀର ନାଟକ "କହ୍ନେଇ ରଜା ମୋ ବାଇଦ ବଜା’ ପରିବେଷଣ କରାଯାଇଥିଲା । ସେହିପରି ଗୁରୁବାର ମଙ୍ଗଳା ଦେବୀଙ୍କ ଶୋଢଶ ଉପଚାର ପୂଜା ଓ ଚଣ୍ଡୀଯଜ୍ଞ କାର୍ଯ୍ୟ ସମାପନ ପରେ ନାଟ୍ୟ ସଂସଦର କଳାକାର ମାନଙ୍କ ଦ୍ୱାରା ଦିତୀୟ ରଜନୀ ନାଟକ "ଏ ଆଖି କାନ୍ଦୁଛି ତୋରି ପାଇଁ ମଞ୍ଚସ୍ଥ ହୋଇଥିଲା । ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ମହାଯଜ୍ଞର ଶେଷ ଦିନ ଶୁକ୍ରବାର ମାଆଙ୍କ ପୂର୍ଣ୍ଣାହୂତୀ ସାଙ୍ଗକୁ ବେଦପାଠ ହେବା ସହିତ ସନ୍ଧ୍ୟାରେ ମହାଆଳତୀ କରାଯାଇଥିବା ବେଳେ, ପ୍ରତ୍ୟେକ ଦିନ ଏହି ପୀଠରେ ବିଭିନ୍ନ କଳାକାରଙ୍କ ଦ୍ୱାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।