ମୁଦ୍ରାସ୍ଫୀତିକୁ ନେଇ ଶୀର୍ଷକ ପାଠଚକ୍ର

 ଦଶରଥପୁର: ବ୍ଲକ୍ ଅନ୍ତର୍ଗତ ସାଧୁ ଗୌରେଶ୍ୱର କଲେଜର ଅର୍ଥନୀତି ବିଭାଗ ତରଫରୁ ଦେଶର ବିକାଶ ଓ ମୁଦ୍ରାସ୍ଫୀତି ପରିଚାଳନାରେ ଆରବିଆଇର ଭୂମିକା’ ଶୀର୍ଷକ ରାଜ୍ୟସ୍ତରୀୟ ପାଠଚକ୍ର ଅନଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ମହାପାତ୍ର ପାଠଚକ୍ରକୁ ଉଦ୍ଘାଟନ କରିବା ସହିତ ଏହାର ସ୍ୱତନ୍ତ୍ରତା ଉପରେ ମତ ପ୍ରକାଶ କରିଥିଲେ । ଏଥିରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. ଆଲୋକ ରଞ୍ଜନ ବେହେରା ଓ ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ସହକାରୀ ପ୍ରଫେସର ଡ.ଜ୍ଞାନରଞ୍ଜନ ମହାନ୍ତି ନିଜ ନିଜର ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ । ବିଭାଗୀୟ ମୁଖ୍ୟ ଡ. ରଶ୍ମୀରେଖା ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ । ପାଠଚକ୍ରର ସମ୍ପାଦକ ଡ.ସତ୍ୟରଞ୍ଜନ ନାୟକ ଆଲୋଚନାର ଉଦେ୍ଦଶ୍ୟ ଓ ଅଭିପ୍ରାୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ରୂପେ ବାଣିଜ୍ୟ ବିଭାଗର ମୁଖ୍ୟ ଡ.ସୁଧାଂଶୁ କୁମାର ଦାସ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ମତ ରଖିଥିଲେ । ପାଠଚକ୍ରକୁ ପରିଚାଳନା କରିବାରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଗଣେଶ ଚନ୍ଦ୍ର ପଣ୍ଡା ସହାୟତା କରିଥିଲେ । ପ୍ରାଧ୍ୟାପକ ଉଜ୍ଜଳକାନ୍ତ ଦାସ, ସୁବାସ ଚନ୍ଦ୍ର ସାହୁ, ସ୍ମିତାରାଣୀ ଭଂଜ, ସୁକାନ୍ତ କୁମାର ପାଢ଼ୀ ପ୍ରଭୃତି ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ପୂର୍ଣିମାରାଣୀ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ ।