ମୁଖ୍ୟମନ୍ତ୍ରୀଙ୍କୁ ବହୁଜନ ମହାସଂଘର ଦାବିପତ୍ର 

 ଭବାନୀପାଟଣା : ମୂଳନୀବାସୀ ବହୁଜନ ମିଳିତ ମହାସଂଘ ପକ୍ଷରୁ ୧୦ଦଫା ଦାବି ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି । ବହୁଜନ ସମାଜର ବିକାଶ ପାଇଁ ମେଡିକାଲ, ଇଞ୍ଜିନିୟରିଂ ଭଳି ସମସ୍ତ ବୃତ୍ତିଗତ ଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ତଥା ସମସ୍ତ ପ୍ରକାର ନିଯୁକ୍ତିରେ ପଛୁଆ ବର୍ଗ ପାଇଁ ୫୪ ପ୍ରତିଶତ, ଜନଜାତିଙ୍କ ପାଇଁ ୨୨.୫୦% ଓ ଅନୁସୂଚିତ ଜାତିଙ୍କ ପାଇଁ ୧୬.୨୫ % ସ୍ଥାନ ସଂରକ୍ଷଣ ଦିଆଯିବା ସହିତ ଚଳିତ ଶିକ୍ଷାବର୍ଷରୁ ଏହାକୁ କଡାକଡି ଭାବେ ଲାଗୁ କରାଯିବାକୁ ଦାବି କରିଛି ମୂଳନିବାସୀ ବହୁଜନ ମିଳିତ ମହାସଂଘ । ସେହିପରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଜମିକୁ ସରକାର କିଣିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା, ଦଳିତ, ଆଦିବାସୀଙ୍କ ଉପରେ ଜାତି ନିର୍ଯାତନା ବନ୍ଦ କରାଯିବା ସହିତ ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ କରି ପୀଡିତ ବ୍ୟକ୍ତି/ପରିବାରକୁ ତ୍ୱରିତ ନ୍ୟାୟ ଓ  କ୍ଷତିପୂରଣ ଦିଆଯିବା, ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ଥିବା ଆଶ୍ରମ ସ୍କୁଲଗୁଡ଼ିକରେ ୧୦ % ବଦଳରେ ଅତିକମରେ ୩୦% ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଆଯିବା ଓ ରାଜ୍ୟର ସବୁ ଛାତ୍ରୀ ନିବାସକୁ ସାବିତ୍ରୀ ବାଇ ଫୁଲେଙ୍କ ନାମରେ ନାମିତ କରାଯିବା ଉପରେ ମହାସଂଘ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆସନ୍ତା ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ମୁ୍ୟନସିପାଲଟି ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ୫୪% ସ୍ଥାନ ସଂରକ୍ଷଣ ଲାଗୁ କରାଯିବା, ଏଥିପାଇଁ ରାଜ୍ୟ ବଦଳରେ ଜିଲ୍ଲାକୁ ଏକକ ଭାବେ ଗ୍ରହଣ କରାଯିବାକୁ ଦାବି କରାଯାଇଛି । ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାରେ ଚାଲୁଥିବା ସମସ୍ତ କ୍ରସର, ପଥର କ୍ୱାରୀ, ବାଲିଘାଟ ଆଦିର ପରିଚାଳନା ସ୍ୱଚ୍ଛତା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି । ମହାସଂଘର ଜିଲ୍ଲା ସଭାପତି ସଚ୍ଚିଦାନନ୍ଦ ମହାଖୁଡ଼ଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି କମଳିନୀ ଯାଦବ, ଯତୀନ୍ଦ୍ର କର, ଉପ-ସଭାପତି କୁବେର ସାହୁ, ଜୟପ୍ରକାଶ ଜାଲ, ସାଧାରଣ ସମ୍ପାଦକ କୀର୍ତ୍ତନ ନାୟକ ଯାଦବ, ରମଣୀ ଦୁରିଆ, ସତ୍ୟ ମାହାର, ଯୁବ ସଭାପତି ଡାକେଶ୍ୱର ଲହଜଲ, ଜିଲ୍ଲା ମହିଳା ସଭାନେତ୍ରୀ ସ୍ନେହଲତା ଦୁର୍ଗା, ସଂପାଦକ ରତନ ନାଏକ, ହୃଦାନନ୍ଦ ମାଝୀ, ଦିଗାମ୍ବର ଲୁହା, ଉପଦେଷ୍ଟା ଜଗଦୀଶ ଯାଦବ, ଦିଗାମ୍ବର ଦୁରିଆ, ଆଇନଜୀବୀ ପୃଥ୍ୱୀରାଜ ତାଣ୍ଡି, ଲକ୍ଷ୍ମୀ ରଞ୍ଜନ ବାଗଙ୍କ ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମହାସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ସାକ୍ଷାତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏହି ୧୦ ଦଫା ଦାବିପତ୍ର ପ୍ରଦାନ କରିଥିଲେ ।