ମେଗା ପ୍ରକଳ୍ପ ପାଇଁ କାଟିଦେଲେ ଗଛ
ନବରଙ୍ଗପୁର : ଡାବୁଗାଁ ବ୍ଲକର ୧୨ଟି ଗ୍ରାମପଞ୍ଚାୟତର ୬୬ ଗ୍ରାମରେ ବସବାସ କରୁଥିବା ୬୨ ହଜାର ୨୫୧ ଜଣ ଓ ଝରିଗାଁ ବ୍ଲକର ୧୨ଟି ଗ୍ରାମପଞ୍ଚାୟତର ୬୮ ଗ୍ରାମରେ ବସବାସ କରୁଥିବା ୭୫ ହଜାର ୭୪୪ ଜଣଙ୍କ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଚାଲିଛି । ଏହି କାର୍ଯ୍ୟ ଏଲ୍.ଏଣ୍ଡ.ଟି କମ୍ପାନି କରୁଛି । ତେବେ ଏହି ମେଗା ପାନୀୟ ଜଳ ପ୍ରକଳ୍ପର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । ପାଇପ ବିଛାଇବା ପାଇଁ ବର୍ଷ ବର୍ଷ ଧରି କାଜୁ ଚାଷ କରୁଥିବା ଚାଷୀଙ୍କ ଗଛ କଟାଯାଇଥିବା ବେଳେ ଗ୍ରାମର ମୁଖ୍ୟ ରାସ୍ତାକୁ ଲାଗି ପାନୀୟ ଜଳ ପାଇପ୍ ବିଛାଯାଉଛି । ବହୁ ସ୍ଥାନରେ ପାଇପ୍ ଅଙ୍କାବଙ୍କା ବିଛା ଯାଇଥିବାରୁ ପ୍ରକଳ୍ପ ଦୀର୍ଘସ୍ଥାୟୀ ନେଇ ସନେ୍ଦହ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ମେ ୨୦୨୩ ମସିହାରେ ଡାବୁଗାଁ ବ୍ଲକର ଫୁଲଭଟ୍ଟା ଗ୍ରାମରେ ଏଲ୍.ଏଣ୍ଡ.ଟି କମ୍ପାନି ଦ୍ୱାରା ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୪୮.୧୬ କୋଟି ବ୍ୟୟରେ ନିର୍ମାଣ ହେଉଥିବା ଏହି ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ ଅବଧି ୦୮/୦୫/୨୩ରୁ ୦୭/୦୫/୨୫ ପର୍ଯ୍ୟନ୍ତ ରହିଥିଲା । ତେବେ ଅବଧି ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ମାତ୍ର ୫୦ ପ୍ରତିଶତ କାର୍ଯ୍ୟ ସରିଛି । କମ୍ପାନି ତରଫରୁ ପାଣି ପାଇପ୍ ବିଛାଇବା ଆଳରେ ଦୀର୍ଘ ବର୍ଷ ଧରି କାଜୁ ଚାଷ କରୁଥିବା ବଡ଼ଓଲମା ଓ ଜୁନାପାଣି ପଞ୍ଚାୟତର କିଛି ଚାଷୀଙ୍କ ୩୦ରୁ ଊର୍ଦ୍ଧ୍ୱ କାଜୁ ଗଛ କାଟି ଦିଆଯାଇଛି । ସେହିପରି ବୋରିଗାଁ ପଞ୍ଚାୟତ ମେଣ୍ଡରା ଗ୍ରାମରେ ମୁଖ୍ୟ ରାସ୍ତାକୁ ଲାଗି ପାଇପ୍ ବିଛାଯାଇଛି । ଯାହାଫଳରେ ଭବିଷ୍ୟତରେ ଡ୍ରେନ ଓ ରାସ୍ତା ପ୍ରଶସ୍ତୀକରଣ ହେଲେ ଅସୁବିଧା ସୃଷ୍ଟି ହେବ । ଏପରିକି ଫିଟନେସ୍ ଓ ଇନସୁ୍ୟରାନ୍ସ ସରିଥିବା ଏକ ଜେସିବି (ଓଡି- ୨୩ଏଚ୍-୯୩୫୩)କୁ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଗାଁ ଗହଳିରେ ଓଭରଲୋଡ୍ କରି ପାଇପ୍ ନିଆଯାଉଛି । ତେବେ ମେଗା ଜଳ ଯୋଗାଣ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ହେଲେ ଡାବୁଗାଁ ଓ ଝରିଗାଁ ବ୍ଲକର ଲକ୍ଷାଧିକ ଲୋକ ଉପକୃତ ହେବାକୁ ଥିବା ବେଳେ ଏଲ୍.ଏଣ୍ଡ.ଟି କମ୍ପାନି ତରଫରୁ ମନ୍ଥର ଗତିରେ କାର୍ଯ୍ୟ କରାଯାଉଥିବା ବେଳେ କାର୍ଯ୍ୟର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି ।