ପାଇପ ଫାଟି ରାସ୍ତା ସାରା ପାଣି

 ଖଣ୍ଡପଡା : ମେଗା ପାନୀୟ ଜଳ ପ୍ରକଳ୍ପ ଜରିଆରେ ମହାନଦୀରୁ ନୟାଗଡ ଜିଲ୍ଲାବାସୀଙ୍କୁ ପାଇପ ଲାଇନ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଗତ ୩ ବର୍ଷରୁ ଅଧିକ ସମୟ ଧରି ପାଇପ ଲାଇନ ବିଛାଇବା କାର୍ଯ୍ୟ ଚାଲୁ ରହିଛି । ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ହାତେଇଥିବା ଠିକା ସଂସ୍ଥା ମୁଖ୍ୟ ରାସ୍ତା ପାଶ୍ୱର୍କୁ ଜେସିବ ମେସିନ ଯୋଗେ ଖୋଳତାଡ କରି ପାଇପ ପକାଇବା କାର୍ଯ୍ୟ ଚାଲୁ ରଖିଛି । ତେବେ  ରାସ୍ତା ପାଶ୍ୱର୍ ଖୋଳିବା ବେଳେ ଖଣ୍ଡପଡା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ବାସଗୃହକୁ ପାନୀୟ ଜଳ ଯୋଗାଣ ନିମନ୍ତେ ସଂଯୋଗ କରାଯାଇଥିବା ପାଇପ ଲାଇନ ଭାଙ୍ଗି ନଷ୍ଟ ହୋଇ ଯାଉଛି । ଫଳରେ ବାସଗୃହକୁ ପାନୀୟ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହେବା ସହ ପାଇପ ଲାଇନ ଫାଟି ରାସ୍ତା ସାରା ପାଣି ମାଡୁଛି । ଖଣ୍ଡପଡା ସହରର ତ୍ରିନାଥ ଛକରେ ରବିବାର ସକାଳେ ପାଇପ ଲାଇନ ଫାଟିଯିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ପାଇପ ଯୋଗେ ପାନୀୟ ଜଳ ପାଇବାରୁ ବଂଚିତ ହୋଇଥିବା ଜଣାପଡିଛି । ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଦାୟୀତ୍ୱରେ ଥିବା ଠିକା ସଂସ୍ଥାର ମନମାନୀକୁ ନେଇ ଖଣ୍ଡପଡା ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ଜନସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।