ମେଜର ଓ ବାନ୍ଧବୀଙ୍କୁ ଥାନାରେ ନିର୍ଯ୍ୟାତନା ଘଟଣା



  1. ଭରତପୁର ଥାନା ଅଧିକାରୀଙ୍କ ସମେତ ୫ ପୁଲିସ ନିଲମ୍ବିତ
    ଭୁବନେଶ୍ୱର, ୧୮ା୯ : ଥାନାକୁ ନ୍ୟାୟ ଆଶାରେ ଯାଇଥିବା ସେନାର ଜଣେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯ୍ୟାତନା ମାମଲାରେ ଥାନା ଅଧିକାରୀ ସମେତ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ପୁଲିସ ଡିଜି ୱାଇ.ବି ଖୁରାନିଆ । ସେମାନେ ହେଲେ, ଭରତପୁର ଥାନାର ତକ୍ରାନୀନ ଆଇଆଇସି ଦୀନକୃଷ୍ଠ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଏଏସଆଇ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା । ଏହି ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି । ଗତକାଲି ରାତାରାତି ଭରତପୁର ଥାନା ଅଧିକାରୀ ସମେତ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ ପୁଲିସ ଡ଼ିଜି । ହେଲେ ସେନା ସଂଘ ଏତିକିରେ ଥମିନଥିଲେ । ଆଜି ରାଜରାସ୍ତାକୁ ଓହ୍ଲାଇ ପୁଲିସ କମିଶନରଙ୍କ ମୁଖ୍ୟାଳୟ ଆଗରେ ଧାରଣା ଦେବା ସହ ପୁଲିସ ଉପରେ ଅପରାଧୀକ ମାମଲା ରୁଜୁକରାଯାଇ ସେମାନଙ୍କ ବିରୋଦ୍ଧରେ କାର୍ଯାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ । ଅନ୍ୟ ପଟେ ଭରତପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇବେ ପୁଲିସ ମୁଖ୍ୟାଳୟରେ ଥିବା ଦିପକ୍ କୁମାର ଖଣ୍ଡାୟତରାୟ ।
      ସୂଚନା ଯୋଗ୍ୟଯେ, ଗତ ରବିବାର ଅବା ୧୫ ତାରିଖ ବିଳମ୍ବିତ ରାତିରେ ଭାରତୀୟ ସ୍ଥଳ ସେନାର ମେଜର ଗୁରୁୱନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆରୁ ଭରତପୁର ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଥାନା ଅଞ୍ଚଳର କିଛି ଯୁବକ ତାଙ୍କ ଗାଡ଼ି ଅଟକାଇ ଉଭୟଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏନେଇ ଅଭିଯୋଗ କରିବାକୁ ଅଙ୍କିତା ଏବଂ ମେଜର ଥାନାକୁ ଆସିଥିଲେ ମଧ୍ୟ ଥାନାରେ ତାଙ୍କ କଥା କେହି ଶୁଣି ନଥିଲେ । ବରଂ ଅଭିଯୋଗ କରିବାକୁ ଆସିଥିବା ମେଜର ଏବଂ ତାଙ୍କ ବାନ୍ଧବୀ ନିଶା ସେବନ କରି ଆସି ଥାନାରେ ପାଟିତୁଣ୍ଡ କରିବା ସହ ଗଣ୍ଡଗୋଳ କରିଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏ ଖବର ଜଣାପଡ଼ିବା ପରେ ସେନାର ସେଣ୍ଟ୍ରାଲ କମାଣ୍ଡର ଅଧିକାରୀମାନେ ଏଥିରେ ହସ୍ତକ୍ଷେପ କରିବା ସହ କମିଶନରେଟ ପୁଲିସ ମିଥ୍ୟା ଖବର ପ୍ରସାରିତ କରୁଥିବା ଅଭିଯୋଗ ଆଣିଥିଲେ । ଏପରିକି ଓଲଟା ପୁଲିସ ଘଟଣା ଦିନ ଅଭିଯୋଗକାରୀଙ୍କୁ ଥାନାରେ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ସଦ୍ୟ ନିର୍ମିତ ଭରତପୁର ଥାନାରେ ସିସିଟିଭି ନଥିବା କଥା ଥାନାଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯାହାକି ହାସ୍ୟାସ୍ପଦ ବୋଲି ସେନା ପକ୍ଷରୁ କୁହାଯାଇଛି । ଏଥିସହ ପୁଲିସ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବେ ଅନ୍ୟାୟ କରିବା ସହ ଅଯଥାରେ ଭାରତୀୟ ସେନାର ଜଣେ ଦାୟିତ୍ୱସମ୍ପନ୍ନ ଅଧିକାରୀଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରାଯିବା ପରେ ମଙ୍ଗଳବାର ରାତିରେ ଥାନା ଅଧିକାରୀ ସମେତ ୫ ଜଣ ପୁଲିସ କର୍ମଚାରୀଙ୍କୁ ବଦଳି କରାଯିବା ସହ ଆଜି ୫ ଜଣଙ୍କୁ ନିଲମ୍ବିତ କରିଛନ୍ତି ଡ଼ିଜିପି ।