ମେଧାବୀ ସମ୍ବର୍ଦ୍ଧନା ସମାରୋହ
ନବରଙ୍ଗପୁର : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମାଟ୍ରିକ୍ ଓ ଦ୍ୱାଦଶ ପରୀକ୍ଷାର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ହୋଟେଲ୍ ରକିସାନ ପ୍ରିମିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦୃଢ଼ ଇଛା ଶକ୍ତି ଓ ଲକ୍ଷ୍ୟ ସ୍ଥିର ଥିଲେ ସବୁ ସମ୍ଭବ ବୋଲି ମନ୍ତ୍ରୀ ନିଜ ଭାଷଣରେ କହିଥିଲେ । ସହିଦ୍ ଲକ୍ଷ୍ମଣ ନାୟକ, ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ନିତୀ ଆୟୋଗ ପକ୍ଷରୁ ୩କୋଟି ଅନୁଦାନ ମିଳିଛି । ଏଥିସହ ନବରଙ୍ଗପୁର ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଓ ଚରିତ୍ରବାନ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଏଡିଇଓ କେଶବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ୬ ଶ୍ରେଷ୍ଠ ଛାତ୍ରଛାତ୍ରୀ ବିଜ୍ଞାନରେ ବିଦ୍ୟାର୍ଥୀ କଲେଜର ନିବେଦିତା ମହାରାଣା, କଳାରେ ଇନ୍ଦ୍ରାବତୀର ଆକାଶ ନାୟକ, ବାଣିଜ୍ୟରେ ଧୋଡିପାଣିର ସୁଶିଲା ଶବର, ସିବିଏସଇ ଦଶମ ଟପର ସମୃଦ୍ଧି ଗାମି, ଦ୍ୱାଦଶ ଟପର ଚିରଞ୍ଜିବୀ ପରିଡ଼ାଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଦଶମ ଓ ଦ୍ୱାଦଶ ମେଧା ତାଲିକାର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଇଂ. ଚନ୍ଦନା ମଲ୍ଲିକ୍ ମଞ୍ଚ ସଂଯୋଜନା କରିଥିଲେ । ବିଜ୍ଞାନ ପରିଦର୍ଶକ ଚିତ୍ତ ପଟ୍ଟନାୟକଙ୍କ ସହ ଅନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଜେପିର ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ବରିଷ୍ଠ ନେତା କାହ୍ନୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।