ମେଧା ବୃତ୍ତି ପରୀକ୍ଷାରେ ପ୍ରିୟଙ୍କାଙ୍କ କୃତିତ୍ୱ
ବଡ଼ସାହି: ଓଷ୍ଟା ମେଧା ବୃତ୍ତି ପରୀକ୍ଷାରେ ଶାଳଗାଁ ସ୍କୁଲ ଛାତ୍ରୀ ପ୍ରିୟଙ୍କା ବେହେରା କୃତିତ୍ୱ ହାସଲ କରିଛନ୍ତି । ଚଳିତ ବର୍ଷ ବଡ଼ସାହି ବ୍ଲକର ବୃନ୍ଦାବନ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ମୂଷାଗଡ଼ିଆ ଠାରେ ଓଷ୍ଟା ମେଧା ବୃତ୍ତି ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହାର ପରୀକ୍ଷା ଫଳ ବିଧିବଦ୍ଧ ଭାବେ ଆଜି ରାଜ୍ୟ ସଂଗଠନ ଓଷ୍ଟା ପକ୍ଷରୁ ପ୍ରକାଶିତ ହୋଇଛି । ଏଥିରେ ମାତ୍ର ୧୦୦ ଜଣଙ୍କୁ ମେଧା ବୃତ୍ତି ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ କେତେକ କୃତୀ ଛାତ୍ରଛାତ୍ରୀ ସମାନ ନମ୍ୱର ରଖିଥିବା ଦୃଷ୍ଟିରୁ ୧୧୮ଜଣଙ୍କୁ ପୁରସ୍କୃତ କରାଯାଇଛି । ସମଗ୍ର ବଡ଼ସାହି ବ୍ଲକରେ ଶାଳଗାଁ ଗ୍ରାମ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା ବେହେରା ୧୧୨ କ୍ରମାଙ୍କରେ ରହି ମେଧା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇ ବିଦ୍ୟାଳୟ ପ୍ରତି ଗୌରବ ଆଣି ପାରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା ଓ ଜିଲ୍ଲା ଯୁଗ୍ମ ସଂପାଦକ ଓଷ୍ଟା ପ୍ରଭାସ କୁମାର ନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।