ଯାହା ଚାଲିଥିଲା ବିଜେଡି ଅମଳରେ ତାହା ଚାଲିଛି : ବିଜେପି ସରକାରରେ  ଟ୍ରକ ମାଲିକଙ୍କ ସମର୍ଥନରେ ୩ ବିଧାୟକ, ମନ୍ତ୍ରୀ-ଜିଲ୍ଲାପାଳ କଥା ରଖିବେ ତ ? 

 ଯାଜପୁର: ସରକାର ବଦଳିଗଲେ ବ୍ୟବସ୍ଥାରେ ପରିବର୍ତନ ଘଟିବ ଏଭଳି ବିଶ୍ୱାସ ଅନେକଙ୍କ ରହିଛି । କିନ୍ତୁ ଏହା ଆର୍ଥିକ ସ୍ୱାର୍ଥ କ୍ଷେତ୍ରରେ ସହଜ ବ୍ୟାପାର ନୁହେଁ ତାହା କ୍ରୋମାଇଟ ପରିବହନ କ୍ଷେତ୍ରରେ ସ୍ପେଶାଲ ଲୋଡ଼ିଂ ପ୍ରତିବାଦରେ ଟ୍ରକ ମାଲିକ ସଂଘ ପକ୍ଷରୁ ୩ଦିନ ଧରି ଚାଲିଥିବା ଆନେ୍ଦାଳନ ପ୍ରମାଣିତ କରୁଛି । କାଳିଆପାଣି ଖଣି ଅଞ୍ଚଳରୁ କ୍ରୋମାଇଟ ପରିବହନ କ୍ଷେତ୍ରରେ ଫାଷ୍ଟ କମ ଫାଷ୍ଟ ଲୋଡ଼ ନିୟମ ଲାଗୁ ଏବଂ ସ୍ପେଶାଲ ଲୋଡ଼ିଂ ବିରୁଦ୍ଧରେ ୨୦ନଂ ଜାତୀୟ ରାଜପଥର ନୂଆଗଡ଼ ନିକଟରେ ଯାଜପୁର ରୋଡ଼ ଟ୍ରକ ମାଲିକ ସଂଘ, ୫୩ନଂ ଜତୀୟ ରାଜପଥର ବାହ୍ମଣୀବ୍ରିଜ ନିକଟ କନ୍ତପଡ଼ାରେ ଟ୍ରକ ମାଲିକ ସଂଘ ଏବଂ ଚଣ୍ଡିଖୋଲ ଠାରେ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ଶାନ୍ତିପୂର୍ଣ୍ଣ ଭାବେ ଆନେ୍ଦାଳନରେ ବସିରହି କ୍ରୋମ ବୋଝେଇ ଟ୍ରକ ଗୁଡ଼ିକୁ ଅଟକାଉଛନ୍ତି । ରାଜ୍ୟରେ ସରକାର ବଦଳିବା ପରେ କ୍ରୋମ ବୋଝେଇରେ ପକ୍ଷପାତିତା ବିରୁଦ୍ଧରେ ଏହା ପ୍ରଥମ ଆନେ୍ଦାଳନ । ଜୀବନ-ଜୀବିକା ପାଇଁ ଆନେ୍ଦାଳନକୁ ଓହ୍ଲାଇଥିବା ଟ୍ରକ ମାଲିକ କେତେ ଦିନ ଏହାକୁ ଚଲାଇ ରଖିବେ ତାହା ତ ସମୟ କହିବ କିନ୍ତୁ ବିଜେଡ଼ି ଅମଳରେ ଯାହା ଚାଲିଥିଲା, ବିଜେପି ସରକାରରେ ତାହା ଚାଲିଛି ବୋଲି କୁହାଯାଇପାରେ ।
୨୪ବର୍ଷର ବିଜେଡ଼ି ସରକାର ଅମଳରେ ସ୍ପେଶାଲ ଲୋଡ଼ିଂ ଏକ ପ୍ରଥା ପାଲଟିଯାଇଥିଲା । ଯାହା ବିରୁଦ୍ଧରେ ଟ୍ରକ ମାଲିକ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ମାନ୍ୟବର କୋର୍ଟ ଖଣି ଅଞ୍ଚଳରେ ଫାଷ୍ଟ କମ ଫାଷ୍ଟ ଲୋଡ଼କୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଜିଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । କୋର୍ଟଙ୍କ ନିଦେ୍ର୍ଦଶ ମତେ କ୍ରୋମ ବୋଝେଇ ଠିକଠାକ ଚାଲିବା ଭିତରେ ସ୍ପେଶାଲ ଲୋଡ଼ିଂ ବ୍ୟବସ୍ଥା ଲାଗୁ ହୋଇଯାଉଛି । ତଦାରକ କରିବାକୁ ପ୍ରଶାସନ ପକ୍ଷରୁ ଯେଉଁ କାଳିଆପାଣି ପୁଲିସକୁ ଦାୟିତ୍ୱ ଦିଆଯାଇଛି, ସେହି ଥାନା ପୁଲିସ ହାଇକୋର୍ଟଙ୍କ ନିୟମ ଉଲ୍ଲଘଂନକୁ ଆଖିବୁଝି ଦେଉଛି । ଯଦି ଦେଖିବା ତେବେ ଫାଷ୍ଟ କମ ଫାଷ୍ଟ ଲୋଡ୍ ନିୟମକୁ ଉଲ୍ଲଙ୍ଘନ କରି ଶତାଧିକ ଟ୍ରକ କ୍ରୋମ ପରିବହନ କରୁଥିବାର ଅଭିଯୋଗ ବାରମ୍ବାର ଜିଲ୍ଲାପାଳ, ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ ଆଣିଛନ୍ତି । ପରିବହନ କ୍ଷେତ୍ରରେ ରାଜନୈତିକ ଅଭିସନ୍ଧି ରଖାଯାଇ ଟ୍ରକ ପ୍ରବେଶ କରାଯାଉଥିବାର ଅଭିଯୋଗ ବିଜେଡ଼ି ସରକାର ଅମଳରେ ମାଲିକ ସଂଘ ପକ୍ଷରୁ କରାଯାଇଛି । ସରକାର ବଦଳିବା ପରେ ସ୍ପେଶାଲ ଲୋଡ଼ିଂରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ମାଲିକ ମାନେ ଯେଉଁ ବିଶ୍ୱାସ ରଖିଥିଲେ ତାହା ଭୁଲ ପ୍ରମାଣିତ ହୋଇଛି । ଆର୍ଥିକ ସ୍ୱାର୍ଥ ରଖୁଥିବା କ୍ରୋମ ପରିବହନରେ ଫାଷ୍ଟ କମ ଫାଷ୍ଟ ବଦଳରେ ୩୦ ପ୍ରତିଶତ ସ୍ପେଶାଲ ଲୋଡ଼ିଂ ବିରୁଦ୍ଧରେ ଆନେ୍ଦାଳନକୁ ଓହ୍ଲାଇଥିବା ଟ୍ରକ ମାଲିକଙ୍କ ଦାବିକୁ ସମର୍ଥନ କରିଛନ୍ତି କୋରେଇ ବିଧାୟକ ଆକାଶ ଦାସନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ବଡ଼ଚଣା ବିଧାୟକ ଅମର ନାୟକ । ଦୁଇ ଜଣ ବିଜେପି ଏବଂ ଜଣେ ସରକାରୀ ଦଳର ସହଯୋଗୀ ବିଧାୟକ । ଅତଏବ ଟ୍ରକ ମାଲିକ ସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଉପରୋକ୍ତ ୩ ବିଧାୟକ ବିଶ୍ୱାସକୁ ନେଇଥିବା ଏବଂ ତାଙ୍କ ଦାବି ଯଥାର୍ଥ ବୋଲି ସ୍ପଷ୍ଟ କରି ଦେଇଛନ୍ତି । 
ଟ୍ରକ ମାଲିକ ସଂଘ ଆନେ୍ଦାଳନରେ ସାମିଲ ହୋଇଥିବା ବିଧାୟକ ମଧ୍ୟରୁ କିଏ ମନ୍ତ୍ରୀ, ତ କିଏ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାର ପ୍ରତିଶ୍ରୁତି ଦେଇଛନ୍ତି ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟ୍ରକ ମାଲିକ ସଂଘକୁ । କିନ୍ତୁ ପ୍ରଶ୍ନ ଉଠୁୁଛି, ବିଧାୟକଙ୍କ କଥା ମନ୍ତ୍ରୀ-ଜିଲାପାଳ ରଖିବେ ତ? ବିଜେପି ସରକାରରେ ଯାଜପୁର ଜିଲ୍ଲାରୁ ଏକମାତ୍ର ମନ୍ତ୍ରୀ ହେଉଛନ୍ତି ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ । ଯିଏକି ଦୀର୍ଘବର୍ଷ ଧରି ଖଣି ଅଞ୍ଚଳ ସହ ଓତଃପ୍ରୋତ ଭାବେ ଜଡ଼ିତ । କ୍ଷମତାକୁ ଆସିନଥିବା ବେଳେ ବିଜେଡ଼ି ଅମଳରେ ଚାଲିଥିବା ସ୍ପେଶାଲ ଲୋଡିଂକୁ ବିରୋଧ କରୁଥିଲେ । ତାଙ୍କର ଖାସ ଅନୁଗତ ଫାଷ୍ଟ କମ ଫାଷ୍ଟ ଲୋଡ଼ିଂ ସପକ୍ଷରେ ମତ ରଖୁଥିଲେ । ହେଲେ ସରକାର ବଦଳିବା ପରେ ସ୍ପେଶାଲ ଲୋଡିଂ ଏବଂ ତା ବିରୁଦ୍ଧରେ ରାଜପଥରେ ଟ୍ରକ ମାଲିକ ଆନେ୍ଦାଳନ ଚଲାଇଥିବା କଥା ଯେ, ତାଙ୍କୁ ଅଗୋଚର ଥିବ, ତାହାକୁ ବିଶ୍ୱାସ କରାଯାଇପାରେନା । ହେଲେ ମନ୍ତ୍ରୀ ଏଯାବଦ ନିରବ ରହିଛନ୍ତି । ନିରବତା ପଛରେ ଯାହାବି କାରଣ ଥାଉନା କାହିଁକି ହେଲେ ୩ ବିଧାୟକ ଟ୍ରକ ମାଲିକଙ୍କ ସମର୍ଥନରେ ବାହାରିବା ନିଶ୍ଚିନ୍ତ ଭାବେ ଗୁରୁତ୍ୱ ରଖୁଛି । ଏକଥା ମନ୍ତ୍ରୀଙ୍କୁ ତ ଅଜଣା ନଥିବ? ଟ୍ରକ ମାଲିକ ସଂଘ ଆନେ୍ଦାଳନକୁ ଖୋଲା ସମର୍ଥନ ଦେଇଥିବା ବିଧାୟକ ଆକାଶ, ହିମାଂଶୁ ଏବଂ ଅମରଙ୍କ ଫାଷ୍ଟ କମ ଫାଷ୍ଟ ଲୋଡ଼ ଏକ ସମ୍ମାନର ପ୍ରଶ୍ନ ହୋଇପଡ଼ିଛି । ମନ୍ତ୍ରୀ ଏହାକୁ କେମିତି ନେବେ ତାହା କେବଳ ସମୟକୁ ହିଁ ଅପେକ୍ଷା । ଦେଖିବାର ଅଛି ମନ୍ତ୍ରୀ ଏବଂ ଜିଲାପାଳଙ୍କ ସହ ଆଲୋଚନା କରି ଟ୍ରକ ମାଲିକ ସଂଘର ଦାବିକୁ ପୂରଣ କରିପାରୁଛନ୍ତି କି ନାହିଁ ବିଧାୟକ ଆକାଶ, ହିମାଂଶୁ ଏବଂ ଅମର ।