ପାନୀୟଜଳ ପ୍ରକଳ୍ପ ଅଚଳ
ଧର୍ମଶାଳା : ଏହି ବ୍ଲକ୍ ତରଞ୍ଜିଆ ପଞ୍ଚାୟତ ପୋବଳ ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଛି । ଫଳରେ ମାସେ ହେଲା ଗ୍ରାମବାସୀ ପାଣିପାଇବାରୁ ବଂଚିତ ରହିଛନ୍ତି । ଗ୍ରାମବାସୀଙ୍କ କହିବାକଥା୫ବର୍ଷ ତଳେ ବସୁଧା ଯୋଜନାରେ ପ୍ରାୟ ୭୪ ଲକ୍ଷ ଟଙ୍କା ବ୍ୟୟରେ ମେଲଣ ପଡ଼ିଆରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା । ୨୦୨୨ରେ ପ୍ରକଳ୍ପ ନିର୍ମାଣ ସରିବା ପରେ ବୋରିଂରୁ ମୋଟର ଯୋଗେ ଟାଙ୍କିରେ ପାଣିଭର୍ତି କରାଯାଇ ପାଇପ ଯେଗେ ଲୋକଙ୍କୁ ପାଣି ଯୋଗଇ ଦିଆଯାଇଥିଲା । କିଛି ଦିନ ଚାଲିବା ପରେ ଓଭରହେଡ୍ ପାଣିଟାଙ୍କି ଭାଙ୍ଗିପଡିବାର ଆଶଙ୍କା ଦେଖାଦେଇଥିଲା । ଫଳରେ ପାଣିକୁ ଖଲାସକରି ଦିଆଯାଇ ଏହାକୁ ମରାମତି କରାଯାଇ ପାଣି ଯୋଗଇ ଦିଆଯାଉଥିଲା । ତେବେ ନିମ୍ନମାନର କାମ ଯୋଗୁ ଗତମାସ ୧୬ତାରିଖରୁ ଆଉ ବୋରିଂରୁ ପାଣି ବାହାରୁନାହିଁ । ଚୁକ୍ତି ଅନୁସାରେ ଗଭୀର ଖନନ ହୋଇନଥିବାରୁ ଖରା ମାସରେ ମୋଟର ପାଣି ଉଠାଉନାହିଁ । କିଛିଦିନ ପୂର୍ବରୁ ବିଦୁ୍ୟତ୍ ଟ୍ରାନ୍ସଫରମର ଖରାପ ହୋଇଯିବାରୁ ମାସେ ପାଣିଯୋଗାଣ ବନ୍ଦ ରହିଥିଲା । ଏବେ ପାଖାପାଖି ମାସେ ହେଲା ମୋଟର ଖରାପ ହୋଇଯିବାରୁ ପାଣି ଯୋଗାଣ ବନ୍ଦ ହୋଇଛି ଫଳରେ ଗ୍ରାମବାସୀ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ପୋବଳ ଗ୍ରାମର୫ଟି ୱାର୍ଡ଼ରେ ବସବାସ କରୁଥିବା୧ହଜାରରୁ ଅଧିକ ଲୋକେ ପ୍ରତିବର୍ଷ ଗ୍ରୀଷ୍ମଋତୁରେ ପିଇବା ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଠାରେ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁଟ୍ୟାଙ୍କରରେ ପାଣିଯୋଗାଇ ଦିଆଯାଉଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ହେଉନାହିଁ । ବାଧ୍ୟହୋଇ ପରିବାର ବ୍ୟକ୍ତିଗତ ଉଦ୍ୟମରେ ବୋରିଂକରି ପାଣିବ୍ୟବହାର କରୁଥିବା ବେଳେ ଗରିବ ଲୋକ ମାନେ କୂଅ ପୋଖରୀରୁ ପାଣି ସଂଗ୍ରହ କରୁଛନ୍ତି । ହେଲେ ଏସବୁଜଳ ଉତ୍ସ ଶୁଖି ଯାଇଥିବାରୁ ଲୋକ ମାନେ ବହୁସମସ୍ୟାର ସମ୍ମୁଖିନ ହେଉଛନ୍ତି । ଗୋରୁଗାଈ ଓ ଅନ୍ୟ ପଶୁପକ୍ଷୀ ପଣି ପାଇଁ ଡହଳ ବିକଳ ହେଉଛନ୍ତି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଅଚଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ଦାବି କରିଛନ୍ତିି ।