ଯୁବକଙ୍କୁ ଛୁରୀରେ ଆକ୍ରମଣ ; ଅଭିଯୁକ୍ତ ଗିରଫ

ଯୁବକଙ୍କୁ ଛୁରୀରେ ଆକ୍ରମଣ ; ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୨୯ା୪ : ଦୃର୍ଘଟଣା ହୋଇଥିବା ଗାଡିର ମରାମତି ପାଇଁ ଦେବାକୁ ଥିବା  ୫ ହଜାର ଟଙ୍କା ମାଗିବାରୁ ଯୁବକଙ୍କୁ ରାସ୍ତାରେ ଅଟକାଇ ଛୁରୀରେ ଆକ୍ରମଣ । ଏନେଇ ଥାନାରେ ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ୨୯୮ରେ ମାମଲା ରୁଜୁକରି ଅଭିଯୋଗର ୩ ଦିନ ପରେ ଆଜି ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ସାହୁକୁ ଗିରଫ କରିଥିବା ବେଳେ ବାକି ୨ ଜଣ ସହଯୋଗୀ ଫେରାର ରହିଛନ୍ତି ।
 ସୂଚନାଯୋଗ୍ୟଯେ, ଅଭିଯୁକ୍ତ ଦୁଷ୍ମନ୍ତ ସାହୁ ଓ ଅଭିଯୋଗକାରୀ ଦିନେଶ ରଞ୍ଜନ ଦାସ ଖଣ୍ଡଗିରି ଥାନା ଅଧିନ ମଧୁସୂଦନ ସମବାୟ ନଗରରେ ରୁହନ୍ତି । ଗତ ୨୪ ତାରିଖ ଦିନ ଅଭିଯୁକ୍ତ ଦୁଷ୍ମନ୍ତର ଭାଇ ଅଭିଯୋଗକାରୀ ଦିନେଶଙ୍କ ଠାରୁ ତାଙ୍କ ବାଇକକୁ ମାଗିକି କେଉଁଆଡେ ଯାଇ ଗାଡିଟିକୁ ଦୃର୍ଘଟଣା କରିଦେଇଥିଲା । ପରେ ଗାଡିର ମରାମତି ପାଇଁ ଅଭିଯୋଗକାରୀ ଓ ଅଭିଯୁକ୍ତ ଭିତରେ ୫ ହଜାର ଟଙ୍କା ଦେବାକୁ କଥା ଛିଣ୍ଡିଥିଲା । ହେଲେ ଅଭିଯୁକ୍ତ ୫ ହଜାର ବଦଳରେ ୨୫୦୦ ଟଙ୍କା ଦେବାକୁ କହିଥିଲା । ହେଲେ ଆଜି କାଲି କହି ଅଭିଯୋଗକାରୀକୁ ଦୌଡ଼ାଉଥିଲା ପରେ ଆଉ ଟଙ୍କା ଦେବାକୁ ମନା କରିଥିଲା । ଏନେଇ ଅଭିଯୋଗକାରୀ ଖଣ୍ଡଗିରି ଥାନାରେ ଅଭିଯୋଗକାରିବାକୁ ଅଭିଯୁକ୍ତକୁ କହି ଥାନାକୁ ବାହାରିଥିଲେ । ଏହି ସମୟରେ ଅଭିଯୁକ୍ତ ଓ ତାର ୨ ଜଣ ସହଯୋଗୀ ମିଶି ରାସ୍ତାରେ ଅଭିଯୋଗକାରୀଙ୍କୁ ଅଟକାଇ ଏକ ଛୁରୀରେ ତାଙ୍କ ପଛପଟୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଫଳରେ ଅଭିଯୋଗକାରୀ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେବା ସହ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ବାକି ଫେରାର ୨ ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରିରହିଥିବା ଥାନା ଅଧିକାରୀ ଅଭିମନୁ୍ୟ ଦାସ ସୂଚନା ଦେଇଛନ୍ତି ।