ଯୁବତୀଙ୍କ ଫଟୋ ଭାଇରାଲ କରି ଯୁବକ ଗିରଫ
।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର, ୧୭ା୧୦ : ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କ ଫଟୋକୁ ଏଡିଟ୍ କରି ତାଙ୍କ ସାଙ୍ଗ ମାନଙ୍କୁ ଭାଇରାଲ କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ଯାଜପୁର ଜିଲ୍ଲାର ପ୍ରଦୀପ କୁମାର ଦାସ ।
ସୂଚନା ଯୋଗ୍ୟଯେ, ପୀଡ଼ିତା ଗତ ୨୦୧୭ ମସିହାରେ ଏକ ଘରୋଇ ହସ୍ପିଟାଲ ନର୍ସିଂ ଅଫିସର ଭାବରେ କାର୍ଯ୍ୟ କରୁଥିବା ସମୟରେ ଅଭିଯୁକ୍ତ ପ୍ରଦୀପ ଓ ପୀଡ଼ିତା ଉଭୟେ ପରସ୍ପରଙ୍କର ସମ୍ପର୍କରେ ଆସିଥିଲେ । ପରବର୍ତ୍ତୀ ସମୟରେ ଉଭୟେ ଫୋନ ମାଧ୍ୟମରେ କଥା ଆରମ୍ଭ କରିଥିବାରୁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଟଙ୍କା ନେଣଦେଣ ମଧ୍ୟ ହୋଇଥିଲା । ଯେତେବେଳେ ପୀଡ଼ିତା ବିବାହ କରିବା ନେଇ ଅଭିଯୁକ୍ତକୁ ପଚାରିଥିଲେ । ହେଲେ ଅଭିଯୁକ୍ତ ପ୍ରଦୀପ ବିଭିନ୍ନ ବାହାନା କରି ତାଙ୍କୁ ଏଡାଇବାକୁ ଆରମ୍ଭ କରିଥିଲା । ଯାହାଫଳରେ ପୀଡ଼ିତାଙ୍କର ସନ୍ଦେହ ହେବାରୁ ସେ ପ୍ରଦୀପଙ୍କ ବୈବାହିକ ସ୍ଥିତି ନେଇ ତଦନ୍ତ କରିବା ବେଳେ, ଜାଣିବାକୁ ପାଇଥିଲେ ପ୍ରଦୀପ ପୂର୍ବରୁ ବିବାହିତ ଓ ତାଙ୍କର ସ୍ତ୍ରୀ ଓ ୨ଟି ଛୁଆଙ୍କ ସହିତ ଗାଁରେ ରହୁଛନ୍ତି । ଏସବୁ ଜାଣିବା ପରେ ପୀଡ଼ିତା ଅଭିଯୁକ୍ତଙ୍କ ଠାରୁ ଦୁରେଇଯାଇଥିଲେ । ଏଥିରେ ଅଭିଯୁକ୍ତ ଅତ୍ୟଧିକ ରାଗିଯାଇଥିଲେ ଓ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କର କିଛି ଏଡିଟ୍ ଫଟୋକୁ ପୀଡ଼ିତାଙ୍କର ବନ୍ଧୁ ମାନଙ୍କୁ ପଠାଇଥିଲେ । ଏନେଇ ପୀଡ଼ିତା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି । ପରେ ତା ମୋବାଇଲ ଜବତ କରାଯିବା ସହ ମୋବାଇଲରେ ଥିବା ଫଟୋ ଗୁଡ଼ିକୁ ଡ଼ିଲେଟ୍ କରାଯାଇଥିଲା ।