ଯୌତୁକକୁ ନେଇ ନିର୍ଯାତନା ସହ ହତ୍ୟା ଉଦ୍ୟମ
ହିଞ୍ଜିଳିକାଟୁ : ବିବାହର ୬ ମାସ ପରଠାରୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶଶୁର ଘର ଲୋକେ ବୋହୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି ନିର୍ଯ୍ୟାତିତ ମହିଳା ।
ଏଭଳି ଘଟଣା ଘଟିଛି ହିଞ୍ଜିଳି ଥାନା ଖରିଡା ଗ୍ରାମରେ । ଅଭିଯୋଗ ଅନୁଯାୟୀ, କବିସୂର୍ଯ୍ୟନଗର ଥାନା ଚାଙ୍ଗୁଡିଆପଦର ନୂଆଁଗାଁର ହାଡୁ ମହାରଣାଙ୍କ ଝିଅ ମିନାକ୍ଷୀ ମହାରଣାଙ୍କ ସହ ହିଞ୍ଜିଳି ଥାନା ଖରିଡା ଗ୍ରାମର ଭଗବାନ ମହାରଣାଙ୍କ ପୁଅ ସନ୍ତୋଷ ମହାରଣାଙ୍କ ସହ ୨୦୨୦ ମସିହା ଏପ୍ରିଲ ୧୭ ତାରିଖରେ ବାହାଘର ହୋଇଥିଲା । ବାହାଘର ସମୟରେ ବରଘର ଦାବି ମୁତାବକ ୧ଲକ୍ଷ ଟଙ୍କା ସହ ୭ ଭରି ଓଜନର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଘର କରଣା ସାମଗ୍ରୀ ପ୍ରଦାନ କରାଯାଇଥିଲା । ବାହାଘରର ୬ ମାସ ପରେ ଶଶୁର ଘର ଲୋକେ ଅଧିକ ୫୦ ହଜାର ଟଙ୍କା ଯୈାତୁକ ଦାବି କରି ମିନାକ୍ଷୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ନିର୍ଯ୍ୟାତନା ଅସହ୍ୟ ହେବାରୁ ମହିଳା ଜଣଙ୍କ ଭାଇ ପାଖକୁ ଚାଲି ଯାଇଥିଲେ । ମହିଳାଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହେବା ପରେ ଶଶୁର ଘର ଲୋକେ ବୁଝାସୁଝା କରି ବୋହୁଙ୍କୁ ଘରକୁ ଆଣିଥିଲେ ।
ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ବାପା ଘରକୁ ଯାଇଥିଲେ । ସେଠାରେ ୨ୟ ଥର ଏକ କନ୍ୟା ସନ୍ତାନ ଜନ୍ମ କରିବା ପରେ ଶଶୁର ଘର ଲୋକେ ବୋହୁଙ୍କୁ ନିର୍ଯ୍ୟାତନା ଆରମ୍ଭ କରିଥିଲେ । ସ୍ୱାମୀ ସମେତ ଶଶୁର ଭଗବାନ ମହାରଣା, ଶାଶୁ ପ୍ରଭାସିନୀ ମହାରଣା ଓ ୨ ଦିଅର ପ୍ରକାଶ ଓ ପ୍ରଶାନ୍ତ ମହାରଣା ମହିଳାଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ । ଯୈାତୁକ ବାବଦକୁ ୫୦ ହଜାର ଟଙ୍କା ଆଣିବେ ଘରକୁ ଆସିବୁ ବୋଲି ଶଶୁର ଘର ଲୋକେ ରୋକ୍ ଠୋକ୍ କହିଥିଲେ । ଅଧିକ ଯୈାତୁକ ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ସ୍ୱାମୀ ସମେତ ଶାଶୁ, ଶଶୁର ଓ ୨ ଦିଅର ମିଶି ଟଣାଓଟରା କରିବା ସହ ମାଡ ମାରିବା ଏବଂ ଗଳା ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ମିନାକ୍ଷୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୩୫/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି ପ୍ରକାଶ କରିଛନ୍ତି ।