ରାଜପଥ ନିର୍ମାଣ ଓ ରେଳପଥ ମଞ୍ଜୁରୀରେ ବିଳମ୍ବ
ଯାଜପୁର : ରାଜପଥ ନିର୍ମାଣରେ ବିଳମ୍ବ ହେଉ କି ଯାଜପୁର ରୋଡ଼-ଧାମରା ରେଳପଥ ମଂଜୁର ଦେବାରେ ଅହେତୁକ ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ । ଶ୍ରୀ ଘଡ଼ାଇ ୫୩ନଂ ଜାତୀୟ ରାଜପଥ ନିର୍ମାଣକୁ ଗତିଶୀଳ କରିବା ଏବଂ ରେଳପଥ ପାଇଁ ଅର୍ଥ ମଞ୍ଜୁୁର କରିବାକୁ ଉଭୟ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଛନ୍ତି ।
ଶ୍ରୀ ଘଡାଇ ଦର୍ଶାଇଛନ୍ତି କି, ୫୩ ନଂ ଜାତୀୟ ରାଜପଥର ୩୯.୪ କିଲୋମିଟର ଦୀର୍ଘ ଡୁବୁରୀ ଠାରୁ ଚଣ୍ଡୀଖୋଲ ରାସ୍ତାର ୮୨ପ୍ରତିଶତ କାର୍ଯ୍ୟ ସରିଛି ଏବଂ ୨୦୨୪ମସିହା ଫେବୃୟାରୀ ମାସ ଶେଷ ସୁ୍ଦ୍ଧା ୪ ଲେନ୍ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ଏବଂ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ ୨୦୨୫ ଜୁନ୍ ମାସ ଶେଷ ସୁଦ୍ଧା ସାରିବା ନେଇ କେନ୍ଦ୍ର ଭୂପୃଷ୍ଠ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରି ସଂସଦରେ ହୋଇଥିବା ଅଣତାରକା ପ୍ରଶ୍ନ ସଂଖ୍ୟା.୨୬୩ ଏବଂ ୬୬୭ର ଉତରରେ ପ୍ରତିଶ୍ରୁତି ଦେଇଥିଲେ । ହେଲେ ମନ୍ତ୍ରୀ ଅଧିକାରୀଙ୍କ ସୂଚନାରେ ରଖିଥିବା ତଥ୍ୟ ପୂରାସତ୍ୟ ନଥିଲା । ଏଣୁ ରାଜପଥ ନିର୍ମାଣ କ୍ରିୟାଶୀଳ କରିବାକୁ ସଚେତନ ନାଗରିକ ମଂଚ ପକ୍ଷରୁ ୭ଦଫା ଦାବିରେ ୨୦୨୪ ଡିସେମ୍ବର ମାସ ୯ ତାରିଖ ଏକ ପ୍ରତିବାଦ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଧର୍ମଶାଳା ଓ ସୁକିନ୍ଦାର ସ୍ଥାନୀୟ ଜନତାଙ୍କ ସହିତ ଛାତ୍ରଛାତ୍ରୀ, ଗାଡିଚାଳକ, ଗାଡି ମାଲିକ, କୃଷକ, ଶ୍ରମିକ ଏବଂ ରାସ୍ତାରେ ଦୁର୍ଘଟଣାଦ୍ୱାରା ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ପରିବାର ସଦସ୍ୟ, ବିଭିନ୍ନ ସଙ୍ଗଠନ ଯୋଗ ଦେଇଥିଲେ ।
ଧାରଣାରେ ଧର୍ମଶାଳାର ବିଧାୟକ ଉପସ୍ଥିତ ହୋଇଥିଲେ । ସେ ସମୟରେ ଜିଲ୍ଲା ପ୍ରଶାସନ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ରାଜ୍ୟମୁଖ୍ୟ ନର୍ଦ୍ଧାରିତ ସମୟରେ ରାସ୍ତା, ସେତୁ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସାରିବାକୁ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ମାତ୍ର ବିଡ଼ମ୍ବନା ଯେ ନିର୍ଦ୍ଧାରିତ ସମୟ ଅତିବାହିତ ହୋଇଥିଲେ ମଧ୍ୟ ରାସ୍ତା ଏବଂ ସେତୁ ନିର୍ମାଣରେ ସନ୍ତୋଷଜନକ ଅଗ୍ରଗତି ହୋଇନାହିଁ । ସଂସଦରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କାହିଁକି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିଲା ନାହିଁ ସେଥିପାଇଁ ଭାରପ୍ରାପ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଶୀଘ୍ର ଡୁବୁରୀ-ଚଣ୍ଡିଖୋଲ ରାସ୍ତାର ନିର୍ମାଣ କାର୍ଯ୍ୟ ସାରିବା ପାଇଁ କଡା ନିଦେ୍ର୍ଦଶ ଦେବାକୁ ପୂର୍ବତନ ମନ୍ତ୍ରୀ ତଥା ସଚେତନ ନାଗରୀକ ମଞ୍ଚ ମୁଖ୍ୟ ପରାମର୍ଶଦାତା ପ୍ରଫୁ ଲ୍ଲ ଚନ୍ଦ୍ର ଘଡାଇ ପତ୍ରଲେଖି କେନ୍ଦ୍ର ଭୂପୃଷ୍ଠ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରିଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଅପରପକ୍ଷରେ ନିକଟରେ କେନ୍ଦ୍ର ରେଳମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଂଜୁର କରାଯାଇଥିଲେ ମଧ୍ୟ ଏକଦା ଯଜାତିକେଶରୀଙ୍କ ସମୟରେ ଉକ୍ରଳର ରାଜଧାନୀ ଥିବା ଯାଜପୁର ସହିତ ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲାକୁ ସଂଯୋଗ କରିବାକୁ ଥିବା ଯାଜପୁରରୋଡ-ଧାମରା ରେଳପଥ ପାଇଁ କୌଣସି ଅନୁଦାନ ଘୋଷଣା ହୋଇନଥିବାରୁ ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡାଇ ଉଦ୍ବେଗ ପ୍ରକାଶ କରିବା ସହିତ ପ୍ରସ୍ତାବିତ ରେଳଲାଇନ ନିର୍ମାଣ ପାଇଁ ଅର୍ଥ ମଂଜୁର କରିବା ସହ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଯାଜପୁର ରୋଡ ଠାରେ ରେଳ ଡିଭିଜନ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।