ରାଜଧାନୀରେ ଭଣ୍ଡ ତାନ୍ତ୍ରିକ
ରାଜଧାନୀରେ ଗଣ୍ଡା ଗଣ୍ଡା ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ । ଶିକ୍ଷାର ସ୍ତର ଏଠାରେ ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଅଧିକ । ଏହା ସତ୍ତ୍ୱେ ଅଶିକ୍ଷାଜନିତ ଆଚରଣ ଲୋକଙ୍କ ଭିତରେ ରହିଥିବା ଦେଖାଯାଉଛି । ଏପରିକି ଏ ପ୍ରକାରର ଆଚରଣ ଦିନକୁ ଦିନ ଲୋକମାନଙ୍କ ଭିତରେ ବୃଦ୍ଧି ପାଉଥିବା ମଧ୍ୟ ଦେଖାଗଲାଣି । ଯେତେ ପାଠ ପଢ଼ିଥିଲେ ମଧ୍ୟ ଲୋକେ ଗୁଣିଗାରେଡ଼ି ତଥା ଭଣ୍ଡ ତାନ୍ତ୍ରିକମାନଙ୍କ ଉପରେ ଦିନକୁ ଦିନ ଅଧିକ ମାତ୍ରାରେ ବିଶ୍ୱାସ କରୁଛନ୍ତି । ଲୋକମାନଙ୍କର ମାନସିକତାକୁ ଲକ୍ଷ୍ୟ କରି ରାଜ୍ୟ ବାହାରର ତଥା ରାଜ୍ୟ ଭିତରର କିଛି ତାନ୍ତ୍ରିକ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ଦେଉଛନ୍ତି । ଏପରିକି କାନ୍ଥବାଡ଼, ବିଦୁ୍ୟତ୍ ଖୁଣ୍ଟରେ ଏ-୪ କାଗଜରେ ଜେରକ୍ସ ହୋଇ ବିଜ୍ଞାପନ ମରାଯାଉଥିବା ଦେଖିବାକୁ ମିଳୁଛି । ଖବରକାଗଜରେ ମଧ୍ୟ କ୍ସାସିଫାଏଡ୍ ବିଜ୍ଞାପନ ଭାବରେ ମାସର ଅଧିକାଂଶ ଦିନ ଦେଖିବାକୁ ମିଳୁଛି । ବର୍ତ୍ତମାନ ସମୟରେ ଯୁବଗୋଷ୍ଠୀ ଚାହୁଁଥିବା ମୁତାବକ ରୋଜଗାର କରିପାରୁନାହାନ୍ତି । ତେଣୁ ଚାକିରି ବ୍ୟାପାର ଏବଂ ପ୍ରେମଜନିତ ବ୍ୟାପାରକୁ ନେଇ ଯୁବଗୋଷ୍ଠୀ ଅଧିକ ମାତ୍ରାରେ ଏ ପ୍ରକାରର ତାନ୍ତ୍ରିକ ନିକଟକୁ ଆସୁଛନ୍ତି । ଏହି ତାନ୍ତ୍ରିକମାନେ ବିଭିନ୍ନ ପ୍ରକାରର ଫେକ୍ ଭିଡ଼ିଓ ବନାଇ ଯୁବଗୋଷ୍ଠୀଙ୍କୁ ବିଭ୍ରାନ୍ତି କରି ଆର୍ଥôକ ଭାବରେ ଲୁଟୁଛନ୍ତି । ଏଗୁଡ଼ିକ ମୁଖ୍ୟତଃ ଅନୈତିକ କାରବାର ହୋଇଥିବାରୁ ଠକାମୀରେ ପଡ଼ିଗଲେ ଲୋକଲଜ୍ଜା ଦୃଷ୍ଟିରୁ କେହି ପୁଲିସ୍ ନିକଟରେ ଅଭିଯୋଗ କରୁନାହାନ୍ତି । ଏହି ଦୁଇଟି କାରଣ ବ୍ୟତୀତ ରୋଗରୁ ଆରୋଗ୍ୟ ଲାଭ କରିବା, ପାରିବାରିକ ସମସ୍ୟାକୁ ଦୂର କରିବା, ଜମିବାଡ଼ି, ମାଲି ମୋକଦ୍ଦମା ଆଦିରେ ଜିତିବା ଭଳି କିଛି ସମସ୍ୟାକୁ ନେଇ ମଧ୍ୟ ଲୋକମାନେ ଏହି ତାନ୍ତ୍ରିକମାନଙ୍କ ନିକଟକୁ ଆସୁଛନ୍ତି । ଭଣ୍ଡଙ୍କ ତନ୍ତ୍ରମନ୍ତ୍ରର କୌଣସି ଶକ୍ତି ନାହିଁ ବୋଲି ଜାଣିଥିବା ସତ୍ତ୍ୱେ ଲୋକେ ଏଭଳି ଠକମାନଙ୍କ ନିକଟରେ ପହଞ୍ଚି ଜଟିଳ ସମସ୍ୟାର ସମାଧାନ ହୋଇପାରିବ ବୋଲି ଭାବୁଛନ୍ତି । କେବଳ ସେତିକି ନୁହେଁ ଏହି ତାନ୍ତ୍ରିକମାନେ ମୋଟା ଅଙ୍କର ଅର୍ଥ ସେମାନଙ୍କ ନିକଟକୁ ଆସୁଥିବା ଲୋକଙ୍କଠାରୁ ନେଉଛନ୍ତି । କାର୍ଯ୍ୟରେ ସଫଳ ନହେଲେ ଯଦି କେହି ଅର୍ଥ ଫେରସ୍ତ କଥା ଉଠାଏ ସେମାନଙ୍କୁ ଏହି ଭଣ୍ଡ ତାନ୍ତ୍ରିକମାନେ ଧମକ୍ ମଧ୍ୟ ଦେଉଛନ୍ତି । ଅନୈତିକ ଇଚ୍ଛାଗୁଡ଼ିକ ପୂରଣ କରିବା ପାଇଁ ବିଭିନ୍ନ ପ୍ରକାରର ପୂଜା ନାଁରେ ଲୋକଙ୍କ ଠାରୁ ଥରକେ ୧୫/୨୦ ହଜାର ଟଙ୍କା ଏହି ଠକମାନେ ଲୁଟି ନେଉଛନ୍ତି । ଏଭଳି ଜଣେ ଭଣ୍ଡ ତାନ୍ତ୍ରିକ ଏଇ ନିକଟରେ ଜଣେ ମହିଳାଙ୍କ ଠାରୁ ୬୨ ଲକ୍ଷ ଟଙ୍କା ଲୁଟି ନେଇଥିବାର ଏକ ଅଭିଯୋଗ ମଧ୍ୟ ଆସିଥିଲା । ଲୋକମାନଙ୍କୁ ମୂକ କରିଦେବା, ଅସାଧ୍ୟ ରୋଗରେ ପକାଇ ଦେବା ଭଳି ଧମକ ମଧ୍ୟ ଏମାନେ ଦେଉଛନ୍ତି । ତେଣୁ ବିଫଳ ହେଲେ ମଧ୍ୟ କେହି ଭୟରେ ଏମାନଙ୍କ ଠାରୁ ଟଙ୍କା ଫେରସ୍ତ ମାଗିବାକୁ ସାହସ କରୁନାହାନ୍ତି ।
ଲୋକମାନଙ୍କ ମନରେ ଗୁଣିଗାରେଡ଼ି ପ୍ରତି ରହିଥିବା ଦୁର୍ବଳତା ଏବଂ ଅଜ୍ଞତାର ସୁଯୋଗ ନେଇ କିଛି ଭଣ୍ଡ ତାନ୍ତ୍ରିକ ବେଶ୍ ଲକ୍ଷ ଲକ୍ଷ ଟଙ୍କା ପ୍ରତିମାସ ରୋଜଗାର କରୁଛନ୍ତି । ବ୍ୟବସାୟରେ ସଫଳତା, ପାରିବାରିକ ସମସ୍ୟାର ସମାଧାନ ଆଦିକୁ ୪୮ ଘଣ୍ଟା ଭିତରେ ସମାଧାନ କରି ଦେବା ଭଳି ମୌଖିକ ଗ୍ୟାରେଣ୍ଟି ଦେଉଛନ୍ତି । ହେଲେ ଏ ପ୍ରକାରର ସଫଳତା କାହାରି କ୍ଷେତ୍ରରେ ହୋଇଥିବା ଦେଖିବାକୁ ମଧ୍ୟ ମିଳୁନାହିଁ । ମୋଟ୍ ଉପରେ କହିବାକୁ ଗଲେ ଲୋକମାନଙ୍କ ମାନସିକ ଦୁର୍ବଳତାର ଫାଇଦା ଉଠାଇ କିଛି ଧୂର୍ତ୍ତ ବ୍ୟକ୍ତି ନିଜକୁ ତାନ୍ତ୍ରିକ ରୂପରେ ସଜେଇ ହୋଇ ବେଶ ନିରଙ୍କୁଶ ଭାବରେ ଲୋକଙ୍କୁ ଲୁଟି ଚାଲିଛନ୍ତି । ତନ୍ତ୍ରମନ୍ତ୍ର ବଳରେ ନିଜକୁ ଏତେ କରିତ୍କର୍ମା ବୋଲି ଦାବି କରୁଥିବା ଏହି ବ୍ୟକ୍ତିମାନେ ସେମାନଙ୍କ ତଥାକଥିତ ଶକ୍ତି ବଳରେ ଦେଶର ସୀମାକୁ ସୁରକ୍ଷିତ ରଖିପାରିବେ କି ବୋଲି ସେମାନଙ୍କୁ ଆହ୍ୱାନ ଦିଆଗଲେ ଲୋକଙ୍କ ମାନସିକତ ଦୁର୍ବଳତାଜନିତ ଶୋଷଣ ବନ୍ଦ ହେବ ।