ମାୟାଠୁ ମୁକୁଳ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ କ୍ଷ' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ମାୟାଠୁ ମୁକୁଳିଲେ ଜୀବନରେ କେମିତି ଆନନ୍ଦ ପ୍ରାପ୍ତ କରିହୁଏ ସେ ବାବଦରେ କିଛି ମର୍ମସ୍ପର୍ଶୀ କଥା କ୍ଷ ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଆମେ ଏକା ଜନ୍ମ ହୋଇଛେ, ଦିନେ ମରିବା ବି ଏକା । ଦିନେ ଜନ୍ମ-ଦିନେ ମରଣ । ଜନ୍ମ ଆଉ ମରଣ ଭିତରେ ଆମ ଭାଗରେ ମିଳିଥିବା ସମୟତକ ହଉଚି ଜୀବନ । ଜନ୍ମ ଆଉ ମୃତୁ୍ୟ ଭିତରେ ଯେଉଁ ସମୟତକ ରହିଲା ସେତକ ଜୀବନର ସକଳ ଉଦେ୍ଦଶ୍ୟ ସାଧନ ପାଇଁ ।
ସକଳ ଉଦେ୍ଦଶ୍ୟ ସାଧନ କରି ଜୀବନ ଚାଲିଥାଏ । ଜନ୍ମରୁ କୈଶୋର, କୈଶୋରରୁ ଯୌବନରୁ ବାର୍ଦ୍ଧକ ଦେଇ ବଢି ବଢି ଚାଲିଥିବା ଜୀବନଟା ଯାଇ ମରଣ ପାଖରେ ଛିଡେ । ଜୀବନ ପ୍ରବାହଟା ଠିକ୍ ଏଇମିତି ।
କିନ୍ତୁ ଏ ପ୍ରବାହର ପ୍ରାୟତଃ ଅବସ୍ଥା ନିଃସଙ୍ଗ । ଆଧୁନିକ ସମାଜରେ ମଣିଷର ନିଃସଙ୍ଗତା ବଢି ବଢି ଚାଲିଛି । ଜୀବନ ଧାଇଁଚି, ମଣିଷ ବି ତାଳ ଦେଇ ଧାଉଁଚି । ଆମର ଧାଇଁବାର ଗତି ଖାଲି ବଢୁଛି ସିନା ଛିଡୁନି । ଆମ ପାଖରେ ଯାହା, ଯେତକ ଅଛି ସେତକ ଅଣ୍ଟୁନି । କଣ, କଣ ଅଣ୍ଟୁନି-ତାର ତାଲିକା ବଡ ଲମ୍ବା ଆଜ୍ଞା । ନ ଅଣ୍ଟିବା ଭାବରୁ ଜାତ ଲୋଭ । ଲୋଭ ତ ସହଜେ ମଣିଷକୁ ଛାଡେନି! ଲୋଭରୁ ପରସ୍ପରକୁ ଠକିବା ଏବଂ ପ୍ରତାରଣା, ମିଛ-ସତ, ହାବୁଡୁବୁ କରିବାକୁ ମାନସିକତାଟିଏ ଗଜୁରି ଉଠେ । ସେତକ କରେ । ସେତକ କଲା ଉତାରୁ ହେଲେ ଲୋଭ ସରିଯାଆନ୍ତା କି ହେଲେ? ସବୁ ସତ୍ତ୍ୱେ ମଣିଷର ପେଟ ଚାଖଣ୍ଡକ ପୁରୁନାହିଁ । ପେଟ ଚାଖଣ୍ଡକ ପୁରିଗଲା ଭଳି ଲାଗିଲେ ବି ପୁଣି ଆଉଥରେ ଭୋକ । ସେ ଭୋକରୁ ଆଉଥରେ ଲୋଭ । ଏଇଟା ପେଟର ଭୋକ ନାହିଁ ଆଜ୍ଞା, ଏଇଟା ମନର ଭୋକ ।
ବିଶ୍ୱାସ କରନ୍ତୁ, ମଣିଷର ଆବଶ୍ୟକତା ପୂରଣ ପାଇଁ ଏ ପୃଥିବୀରେ ସମ୍ବଳର ଅଭାବ ନାହିଁ । କିନ୍ତୁ ଜଣେ ବି ବ୍ୟକ୍ତିର ଲୋଭକୁ ପୂର୍ଣ୍ଣ କରିବା ପାଇଁ ଏଭଳି ଶହେଟା ପୃଥିବୀ ବି ନିଅଣ୍ଟ ପଡିବ! ତେଣୁ ମଣିଷର ପେଟର ଭୋକ କମିଗଲେ ସୁଦ୍ଧା ମନର ଭୋକ ତ ବଢି ବଢି ଚାଲୁଥାଏ । ଜୀବନର ବାସ୍ତବିକତା ହେଉଛି ମଣିଷ ଆସିଛି ଏକା, ଦିନେ ଯିବ ମଧ୍ୟ ଏକା । ଯିଏ ଯେତିକି ଲୋଭ କରି ଅର୍ଜିଛି, ସିଏ ସବୁ କଣ ମୁଣ୍ଡ ତଳେ ନେଇକି ଯାଇଛି? ଏଇଟା ବି ତ ଜୀବନର ଆଉ ଏକ ସତ୍ୟ । ଜୀବନର ଏହି ଚିରନ୍ତନ ସତ୍ୟକୁ ଉପଲବ୍ଧି କରିନପାରିଲେ ମନୁଷ୍ୟକୁ ବହୁ କଷ୍ଟ ଏବଂ ମାନସିକ ଯନ୍ତ୍ରଣା ସହିବାକୁ ପଡିବ । ମାୟାଠୁ ମୁକୁଳି ନିଜ ମନକୁ ମୁକ୍ତ ଆକାଶର ବିହଙ୍ଗ କରି ଦେଲେ ହିଁ ଜୀବନ ଆନନ୍ଦ ।
ପଢିଥିବା ହେତୁ ଆପଣଙ୍କ ନିକଟରେ । ନମସ୍କାର ।