ଉଦ୍ଧବ କେତେ ହେଁ ପଚାରୁ


ଗୁରୁଙ୍କ ସାନ୍ନିଧ୍ୟ ପାଇ ଭକ୍ତର ଭାବ ତିନୋଟି ସ୍ତର ଦେଇ ବିକାଶ ଲାଭ କରେ ।  ପ୍ରଥମ ସ୍ତରରେ ଭକ୍ତ କିପରି ଅନୁଭବ କରେ? ଉତ୍ତର - ପ୍ରଥମେ ଭକ୍ତଙ୍କୁ ଲାଗେ ଯେପରି ଗୁରୁ ହେଉଛନ୍ତି କଳ୍ପତରୁ ସଦୃଶ । ଜ୍ଞାନରୂପକ ଫଳ-ପୁଷ୍ପ ସହ ସେ କୃପାଛାୟା ପ୍ରଦାନ କରିବେ । ଏହି ପ୍ରଥମ ମିଳନ ସମୟରେ ଭକ୍ତ ଗୁରୁଙ୍କ ଦିବ୍ୟ ଗୁଣ ଜାଣି ନପାରି ତାଙ୍କୁ ସାଧୁ ରୂପେ ଗ୍ରହଣ କରିଥାଏ । ଭକ୍ତ ମାୟାଜାଲାରେ ଏପରି ପଡ଼ିଥାଏ ଯେ ତାକୁ ଗୁରୁଙ୍କ ସ୍ୱରୂପ ଜାଣିବା ପାଇଁ ଗୁରୁଙ୍କ କୃପା ଦରକାର ହୁଏ । ଗୁରୁଙ୍କ ଉପରେ ଶ୍ରଦ୍ଧା ଓ ବିଶ୍ୱାସ ରଖିଲେ ମାୟାରୁ ମୁକ୍ତ ହୋଇ ଜ୍ଞାନ ମାର୍ଗରେ ଅଗ୍ରସର ହୁଏ । ଦ୍ୱିତୀୟ ସ୍ତରର ଅନୁଭବ କିପରି? - ଭକ୍ତର ଭକ୍ତି ଦୃଢ଼ ହେଲେ ତା ସହ ଗୁରୁଙ୍କର ନିବିଡ଼ ସମ୍ବନ୍ଧ ହୁଏ । ସେ ଏହି ଦ୍ୱିତୀୟ ସ୍ତରରେ ଦିବ୍ୟତା ବିଷୟରେ ଜାଣିପାରେ । ସେ ଭଗବାନଙ୍କ ସହ ଗୁରୁଙ୍କ ତୁଳନା କରେ । ସେ ଭାବେ ଗୁରୁ ଭଗବାନଙ୍କ ପରି ହେଲେ ମଧ୍ୟ ସ୍ୱୟଂ ଭଗବାନ ନୁହଁନ୍ତି; କିନ୍ତୁ ଧର୍ମ ଶିକ୍ଷା ପାଇଁ ଗୁରୁ ହେଉଛନ୍ତି ଶ୍ରେଷ୍ଠ ମାଧ୍ୟମ । ଏହି ସ୍ତରରେ ମଧ୍ୟ ଭକ୍ତ ସଂପୂର୍ଣ୍ଣ ମାୟାମୁକ୍ତ ହୋଇ ନଥାଏ । ଏହିପରି ଭାବନା ରଖି ଭକ୍ତ ଦ୍ୱିତୀୟ ସ୍ତରରେ ପ୍ରଗତି କରେ । ତୃତୀୟ ସ୍ତରରେ କି ଅନୁଭୂତି ପ୍ରାପ୍ତ ହୁଏ? - ଗୁରୁ ଓ ଭଗବାନ ଅଭିନ୍ନ ନୁହଁନ୍ତି, ଏକ - ଏହି ଭାବନା ଆସିଲେ ଭକ୍ତ ଗୁରୁଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବରେ ନିଜକୁ ସମର୍ପଣ କରେ ଓ ଆଧ୍ୟାତ୍ମିକତାର ଶେଷ ସ୍ତରରେ ଉପନୀତ ହୁଏ । ଏହି ସ୍ତରରେ ଗୁରୁ ଓ ଭକ୍ତଙ୍କ ମଧ୍ୟରେ ତାଦାତ୍ମ୍ୟ ଭାବ ସୃଷ୍ଟି ହୁଏ ।
ଗୁରୁକୃପା ପ୍ରାପ୍ତ ହେଲେ ଭକ୍ତ ଶୁଦ୍ଧପୂତ ହୁଏ । କାହାକୁ କିଛି ନମାଗି ଗୁରୁଙ୍କ ଦ୍ୱାରରେ ପଡ଼ି ରହେ । ତା ମନରେ ସଂସାରର ଭୋଗପ୍ରତି ବିତୃଷ୍ଣା ସୃଷ୍ଟି ହୁଏ । ନିଜ ବିଗତ କର୍ମର ଫଳ ବିଷୟରେ ଜାଣିପାରି ସେ ପଶ୍ଚାତ୍ତାପ କରେ । ଗୁରୁ ଶକ୍ତିପାତ କରି ତାର ଅଶୁଦ୍ଧ ଶରୀର ଓ ବିକୃତ ମନୋଭାବକୁ ଶୁଦ୍ଧପୂତ କରି ମୁକ୍ତି ପଥ ଦେଖାଇଥାନ୍ତି । ଗୁରୁଙ୍କ କୃପାରୁ ତା ମନରୁ ଗର୍ବଭାବ ଦୂର ହୁଏ । ସେ ନିଜ ସ୍ୱାର୍ଥକୁ ତ୍ୟାଗ କରି "ଜୀବପୂଜା ହିଁ ହରି ସେବା' - ଏଇ ମନୋଭାବ ନେଇ ଦୀନଦୁଃଖୀଙ୍କ ସେବା କରିବାକୁ ବ୍ୟଗ୍ର ହୁଏ । ଶିଷ୍ୟ ସଙ୍ଗତରେ ରହି ତାର ଶୁଦ୍ଧଗୁଣ ପରିପ୍ରକାଶିତ ହୁଏ । ଶିଷ୍ୟ ମନର ପ୍ରତ୍ୟେକଟି ଭାବନା ସଦଗୁରୁଙ୍କୁ ଜଣାଥାଏ । ଗୁରୁଙ୍କର ଚେତନା ଶିଷ୍ୟ ମନକୁ ଦିବ୍ୟତାରେ ଭରି ଦିଏ । ସନ୍ଥକବି ଭୀମଭୋଇଙ୍କ ବାଣୀ ଉଲ୍ଲେଖ କରୁଛି - "ଅନେକ କର୍ମରେ ଥାଉ ପଛେ ସେହୁ, ଗୁରୁପାଦେ ରଖୁ ଚିତ୍ତ ସଦଗୁରୁ ପାଦେ ସେବା ରଖିଥିଲେ ମୋକ୍ଷ ହେବ ପରାପତ ।'ଶ୍ରୀ ଶ୍ରୀ ଠାକୁର କଥା ପ୍ରସଙ୍ଗରେ କହିଲେ - ପରମଗୁରୁଙ୍କ ପରେ ବା ଯୁଗପୁରୁଷୋତ୍ତମଙ୍କ ଠାରେ ଆନତି ଭିତରେ ଦେଇ ଯାହାଙ୍କ ଜୀବନରେ ସାର୍ଥକ ସଂହତି ସମାଧାନ ଆସିଛି, ସେ ହିଁ ଗୁରୁ ହେବାର ଉପଯୁକ୍ତ ଅଟେ ।  
ଗୁରୁଜ୍ଞାନ ଦିଅନ୍ତି, ଯାହା ପାଇ ମଣିଷ ଜୀବନ ବନ୍ଧନରୁ ମୁକ୍ତି ପାଏ । ଦେବତା ମାନଙ୍କୁ ପୂଜାରେ ସନ୍ତୁଷ୍ଟ କଲେ ମନୁଷ୍ୟ ବିଷୟ ସମ୍ପତ୍ତି, କାମନା ବା ବାସନାଦି ପୂରଣ କରେ । ଦେବତା ମାନଙ୍କ ଉପାସନା ସକାମ ଉପାସନା । ଗୁରୁଙ୍କ ଉପାସନା ନିଷ୍କାମ ଉପାସନା । ଦେବ ପୂଜାରେ ଶକ୍ତି ଲାଭ ହୋଇଥାଏ, ପୁଣି ଆମେ ଯେଉଁ ଦେବତାଙ୍କୁ ପୂଜା କରିଥାଉ, ସେହି ଦେବତାଙ୍କ ଶକ୍ତି ଯେତିକି ମାତ୍ର ଶକ୍ତିର ଆମେ ଅଧିକାରୀ ହୋଇଥାଉ । ଯଦି ଶିଷ୍ୟ ଗୁରୁଙ୍କର ଆଧ୍ୟାତ୍ମିକ ନିଦେ୍ର୍ଦଶଗୁଡ଼ିକ ସ୍ପଷ୍ଟଭାବରେ ହୃଦୟଙ୍ଗମ କରି ସୁଚାରୁରୂପରେ ପାଳନ କରେ, ତେବେ ଗୁରୁ ତା'ଉପରେ ସନ୍ତୁଷ୍ଟ ହୁଅନ୍ତି । ସୁତରାଂ ଗୁରୁଙ୍କ ପ୍ରତ୍ୟେକଟି ନିଦେ୍ର୍ଦଶ ନିଖୁଣ ଭାବରେ ପାଳନ କରନ୍ତୁ । ତାଙ୍କରି ନିଦେ୍ର୍ଦଶ ଅନୁଯାୟୀ କାର୍ଯ୍ୟ କରନ୍ତୁ । ତେବେ ଯାଇ ଆପଣ ତାହାଙ୍କର ଆଶୀର୍ବାଦ ପାଇବାକୁ ଯୋଗ୍ୟ ହୋଇପାରିବେ ଏବଂ ସେହି ଆଶୀର୍ବାଦ ବଳରେ ଆପଣଙ୍କ ପକ୍ଷରେ ସବୁକିଛି ସମ୍ଭବ ହୋଇପାରିବ । ଯଥାର୍ଥରେ ଶ୍ରୀମଦ ଭାଗବତରେ ଉଲ୍ଲେଖ ଅଛି - "ଏଣେ ଗୁରୁଙ୍କ ସୁକଲ୍ୟାଣ, ସାଧକ ମୋକ୍ଷର କାରଣ । ମନ ବଚନ ନିଜ ଦେହେ, ନିତ୍ୟ ସେବିବ ଗୁରୁପ୍ରୀୟେ । ମୋତେ ପୂଜିବ ଗୁରୁ ଦେହେ, ମୋ ତହୁଁ ଗୁରୁ ଭିନ୍ନନୋହେ । ତୋହରି ମନ ତୋର ଗୁରୁ, ଉଦ୍ଧବ କେତେ ହେଁ ପଚାରୁ?'
ଡା.ଉମେଶ ଚନ୍ଦ୍ର ପାତ,ମୋ: ୯୪୩୭୦୫୧୯୫୭