ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଅନୁଗୁଳ,: ଆଜି ପୂର୍ବାହ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଦିନିକିଆ ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ୍ ଠାରେ ରାଜସ୍ୱ ବିଭାଗର ବିଭିନ୍ନ ବିଷୟରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମଧ୍ୟ ଊପସ୍ଥିତ ଥିଲେ । ବୈଠକରେ ପ୍ରାରମ୍ଭରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ସ୍ୱାଗତ ଭାଷଣ ଦେବା ସହ ଉପସ୍ଥିତ ଅଧିକାରୀମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲା ସ୍ତରୀୟ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସମୀକ୍ଷା ବୈଠକରେ ମନ୍ତ୍ରୀ ଭୂମିହୀନଙ୍କ ନିମନ୍ତେ ଉଦ୍ଦିଷ୍ଟ ବସୁନ୍ଧରା ଯୋଜନା, ଜଙ୍ଗଲ ଜମି ପଟ୍ଟା ଯୋଜନା, ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ବିଦ୍ୟାଳୟଗୁଡିକୁ ଜମି ଆବଣ୍ଟନ, ବିଭିନ୍ନ ରାଜସ୍ୱ ଜାତି, ଆବାସିକ, ଆୟ, ଊତ୍ତରାଧିକାରୀ ପ୍ରମାଣ ପତ୍ର ଓ ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ସେ ପ୍ରକୃତ ଭୂମିହୀନମାନଙ୍କୁ ଚିହ୍ନଟ କରି ଜମି ପଟ୍ଟା ପ୍ରଦାନ କରିବା ସହ ସରକାରୀ ଜମିର ଜବର ଦଖଲକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତାଳଚେର- ବିମଳାଗଡ, ବୁଢାପଙ୍କ -ଜରପଡା, ତାଳଚେର -ଅନୁଗୋଳ ନୂତନ ରେଳ ଲାଇନ୍ ଇତ୍ୟାଦିର ଜମି ଅଧିଗ୍ରହଣ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଅନୁଗୋଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ସମୀର କୁମାର ଜେନା, ଦିଲ୍ଲୀପ କୁମାର ବେହେରା, ସୁଶାନ୍ତ କୁମାର ପତି, ତେଜସ୍ୱିନୀ ବେହେରା, ସୁସ୍ମିତା ସାହୁ, ସ୍ମିତା ନାୟକ, ଦୁଖୁଆ ଟୁଡୁ, ଭୂ-ଅର୍ଜନ ଅଧିକାରୀ, ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ ।