ରାଜା ଫାର୍ମହାଉସରେ କ୍ରାଇମବ୍ରାଞ୍ଚ ଟିମ୍‌ ; କିସମ ପରିବର୍ତ୍ତନରେ ଜାଲିଆତି

ରାଜା ଫାର୍ମହାଉସରେ କ୍ରାଇମବ୍ରାଞ୍ଚ ଟିମ୍‌  ;  କିସମ ପରିବର୍ତ୍ତନରେ ଜାଲିଆତି


କେନ୍ଦୁଝର : କେନ୍ଦୁଝର ଜିଳ୍ଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ କୋଟି କୋଟି ଟଙ୍କା ଆର୍ଥିକ ଅନିୟମିତତା ମାମଲାରେ ରାଜା ଚକ୍ରଙ୍କ ଅଡୁଆ ବଢିଛି  । ଆଜି ସଦର ତହସିଲ ରଘୁନାଥପୁର ଆରଆଇ ସର୍କଲ ଅନ୍ତର୍ଗତ ଗୋପାଳପୁର ମୌଜା ଗୋପାଳପୁର ଗ୍ରାମରେ ସୌମ୍ୟଶଙ୍କର ଚକ୍ର(ରାଜା)ଙ୍କ ଫାର୍ମ ହାଉସରେ କ୍ରାଇମବ୍ରାଞ୍ଚ(ଅର୍ଥନୈତିକ ଅପରାଧ ଶାଖା) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।୩ ଜଣିଆ ଅଧିକାରୀଙ୍କ ଉପସ୍ଥିତିରେ ସଦର ରେଞ୍ଜ ଅଧିକାରୀ ଅଜିତ୍‌ କୁମାର ଦାସ, ରଘୁନାଥପୁର ରାଜସ୍ୱ ନୀରିକ୍ଷକ ପଦ୍ମିନୀ ମହାନ୍ତ ଏବଂ ଅନ୍ୟ କର୍ମଚାରୀମାନେ ଫାର୍ମ ହାଉସ କେତେ ଜମିରେ ହୋଇଛି ତାହାର ମାପଚୁପ କରିଥିଲେ । ଏପରିକି ଫାର୍ମ ହାଉସଟି କେଉଁ କେଉଁ କିସମର ଜମି ଉପରେ ନିର୍ମାଣ ହୋଇଛି ଡ୍ରୋନ କ୍ୟାମେରା ମାଧ୍ୟମରେ ତାହାର ଯାଞ୍ଚ କରାଯାଇଛି  । ଉକ୍ତ ଫାର୍ମ ହାଉସକୁ ଯିବା ପାଇଁ ରାସ୍ତା ନଥିଲେ ମଧ୍ୟ ଚଞ୍ଚକତା କରି କିସମ ପରବାଡିରେ କିସମ ପରିବର୍ତ୍ତନ କରାଯାଇଛି  । ଗୋପାଳପୁର ମୌଜାରେ ଖାତା ନମ୍ବର ୭୯/୧୪୯ ପ୍ଲଟ ନମ୍ବର ୮୪୧ରେ ବେଆଇନ ଭାବେ କିସମ ପରିବର୍ତ୍ତନ କରାଯାଇଛି । ରଘୁନାଥପୁର ରାଜସ୍ୱ ନୀରିକ୍ଷକଙ୍କ ରିପୋର୍ଟ ଆଧାରରେ ତତ୍କାଳୀନ ସଦର ଉପ ଜିଲ୍ଲାପାଳ ଘରବାରିରେ କିସମ ପରିବର୍ତ୍ତନ କରିଛନ୍ତି । ଉକ୍ତ ପ୍ଲଟକୁ ଯିବା ପାଇଁ ଜଙ୍ଗଲ ଜମି ଥିବାବେଳେ ରାଜସ୍ୱ ନୀରିକ୍ଷକ ଭୁଲ ରିପୋର୍ଟ ଦେଇଥିବା ନଜରକୁ ଆସିଛି  । ରାସ୍ତା ନଥାଇ ଓଏଲ୍‌ଆର୍‌ କେସ ନମ୍ବର ୧୦୪୩/୨୦୨୩ରେ ରୂପାଲି ପଟ୍ଟନାୟକ, ସ୍ୱାମୀ ସୌମ୍ୟଶଙ୍କର ଚକ୍ରଙ୍କ ନାମରେ ଥିବା ୨ ଏକର ୪୮ଡିସିମିଲ ଚାଷ ଜମିକୁ ଘରବାରିରେ କିସମ ପରିବର୍ତ୍ତନ କରାଯାଇଛି । କ୍ରାଇମବ୍ରାଞ୍ଚ(ଅର୍ଥନୈତିକ ଅପରାଧ ଶାଖା) ଏହାର ତଦନ୍ତ କଲେ ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ । ସେହିପରି ଜାତୀୟ ରାଜପଥ ୨୦ରୁ ଫାର୍ମହାଉସକୁ ଯିବା ପାଇଁ ଖାତା ନମ୍ବର ୮୦, ପ୍ଲଟ ନମ୍ବର ୪୭୮ରେ ଥିବା ଜଙ୍ଗଲ ଜମିରେ ୨୦୦ ମିଟର ପକ୍କା ରାସ୍ତା ହୋଇଛି  ।  ବନବିଭାଗର ବିନା ଅନୁମତିରେ ଏହି ରାସ୍ତା ନିର୍ମାଣ ହୋଇଛି । ତେବେ ଏହି ରାସ୍ତା କେଉଁ ବିଭାଗ ପକ୍ଷରୁ କରାଯାଇଛି ତାହାର ସୂଚନା ଫଳକ ଲଗାଯାଇନାହିଁ । ଜଙ୍ଗଲ ଜମିରେ ପକ୍କା ରାସ୍ତା ହୋଇଥିଲେ ମଧ୍ୟ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ ରହିଥିଲା । ଏପରିକି ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଏ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ ଦେଇନଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ କୌଣସି ମାମଲା ମଧ୍ୟ କରାଯାଇନାହିଁ  । କେନ୍ଦୁଝର ସଦର ରେଞ୍ଜ ନରଣପୁର ସେକ୍ସନ ଅଧିନରେ ଗୋପାଳପୁରରେ ଥିବା ଫାର୍ମ ହାଉସ ୧ଏକରରୁ ଅଧିକ ଜଙ୍ଗଲ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି  । ଫାର୍ମ ହାଉସ ପରିସରରେ ଖାତା ନମ୍ବର ୮୦, ପ୍ଲଟ ନମ୍ବର ୮୩୮ରେ ଥିବା ଜଙ୍ଗଲ ଜମି ଜବରଦଖଲ ହୋଇ ରାସ୍ତା, ମୁଖ୍ୟ ଗେଟ, ଫୁଲ ବଗିଚା, ପିଲାଙ୍କ ଖେଳିବା ପାଇଁ ଦୋଳି, ପୋଖରୀ ନିର୍ମାଣ କରାଯାଇଛି  । କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ ହେବା ପରେ ମଧ୍ୟ ରାଜା ଚକ୍ରଙ୍କ ବିରୁଦ୍ଧରେ ବନ ବିଭାଗ ଏବଂ ରାଜସ୍ୱ ବିଭାଗର ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ ରହିଥିବା ଅଭିଯୋଗ ହୋଇଆସୁଛି  ।