ରାଜ୍ୟସ୍ତରୀୟ ଇଜତମା ପ୍ରସ୍ତୁତି
କେନ୍ଦ୍ରାପଡା : ଚଉଦକୁଲାଟରେ ହେବାକୁ ଥିବା ରାଜ୍ୟସ୍ତରୀୟ ଇଜତମା ଆସନ୍ତା ଫେବୃଆରୀ ୭ ରୁ ୯ ତିନି ଦିନ ଧରି ଅନୁଷ୍ଠିତ ହେବ । ଏନେଇ ଇଜତମା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିଧାୟକ ଗଣେଶ୍ୱର ବେହେରା, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ଅରୁଣ ନାୟକ, କେନ୍ଦ୍ରାପଡ଼ା ବିଡିଓ ଅଭିଷେକ ସ୍ୱାଇଁ, ତହସିଲଦାର ତାପସ ଦେହୁରି, ଗ୍ରାମୀଣ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ, ବିଦୁ୍ୟତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ସ୍ଥାନୀୟ ସରପଞ୍ଚ ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିଥିଲେ । ଏହି ଧର୍ମ ସମ୍ମିଳନୀକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଭକ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସେଠାରେ ଅସ୍ଥାୟୀ ରାସ୍ତା, ପାନୀୟ ଜଳ, ବିଦୁ୍ୟତ୍, ଭକ୍ତଙ୍କ ରହଣୀ ସ୍ଥାନ, ଖାଦ୍ୟପେୟ ଓ ପାର୍କିଂ ଏବଂ ଟ୍ରାଫିକ ସମସ୍ୟା ଉପରେ ବିଧାୟକ ଶ୍ରୀ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ । ଭକ୍ତ ମାନେ ଯେଭଳି ଅସୁବୀଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସହଯୋଗ କରିବେ । ବୈଠକରେ ଇଜତମା କମିଟି ସଭାପତି ମହମ୍ମଦ ଆବତାବ ଆଲାମଙ୍କ ସହିତ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ ।