ରାବଣା ପ୍ରାଥମିକ ବିଦ୍ୟାଳୟ ହେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଯଖପୁରା : ଦାନଗଦୀ ଶିକ୍ଷା ମଣ୍ଡଳ ଅଧୀନସ୍ଥ ରାବଣା ରଘୁନାଥ ସାହୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶେଷରେ ନ୍ୟାୟ ମିଳିଛି । ବିଦ୍ୟାଳୟଟି ବନ୍ଦ ହୋଇ ଯାଇଥିଲା । ଯାହାକୁ ନେଇ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆଶଙ୍କା ଲାଗି ରହିଥିଲା । ବିଦ୍ୟାଳୟର ଭବିଷ୍ୟତକୁ ନେଇ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ମାନେ ସନ୍ଦିହାନୀ ହୋଇପଡ଼ିଥିଲେ । ଶେଷରେ ରଘୁନାଥ ସାହୁ ଉଚ୍ଚ ବିଦ୍ୟାଳୟକୁ ରାବଣା ପ୍ରାଥମିକ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଛି ବୋଲି ସରକାରୀ ଚିଠି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ଚିଠି ନମ୍ବର ୨୨୩୬୬ ମାଧ୍ୟମରେ ଦାନଗଦୀ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ସୂଚିତ କରାଯାଇଛି କି ରାବଣା ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ କରାଯାଇଛି । ଫଳରେ ବିଦ୍ୟାଳୟଟି ବନ୍ଦ ହେଉ ହେଉ ରକ୍ଷା ପାଇଯାଇଛି । ଏଥି ପାଇଁ ଗ୍ରାମବାସୀଙ୍କ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି । ପ୍ରକାଶ ଥାଉ କି ୧୯୯୧ ମସିହାରେ ରଘୁନାଥ ସାହୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ପରି ଦୁଇଟିକକ୍ଷ ରହିଥିଲା । ବିଦ୍ୟାଳୟରେ ମୋଟ ୫୩ ଜଣ ଛାତ୍ରଛାତ୍ରୀ ରହିଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଦୁଇଜଣ ଶିକ୍ଷକ ନିଯୁକ୍ତି ପାଇଥିଲେ । ମାତ୍ର ଦୁଇଜଣ ଶିକ୍ଷକଙ୍କ ଅବସର ପରେ ବିଦ୍ୟାଳୟଟି ଶିକ୍ଷକ ଶୂନ୍ୟ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଇଥିଲା । ପୂର୍ବ ସରକାରଙ୍କ ଶିକ୍ଷା ନୀତି ଅନୁଯାୟୀ ଯେଉଁ ବ୍ଲକ୍ ଗ୍ରାଣ୍ଟ ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହେବ ସେହି ବିଦ୍ୟାଳୟ ପରବର୍ତୀ ସମାତ୍ରେ ବନ୍ଦ ହୋଇଯିବ । ସେହି ଅନୁସାରେ ରଘୁନାଥ ସାହୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଥିବାଦୁଇ ଶିକ୍ଷକ ଅବସର ଗ୍ରହଣ କରିବା ପରେ ସ୍କୁଲଟି ବନ୍ଦ ହୋଇଯାଇଥିଲା । ଏହାକୁ ନେଇ ରାବଣା ଗ୍ରାମବାସୀଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।