ରାବଣା-ମାର୍ଥାପୁର ରାସ୍ତା ମରାମତି ନାଁ ଧରୁନି ଠିକାଦାର

ରାବଣା-ମାର୍ଥାପୁର ରାସ୍ତା ମରାମତି ନାଁ ଧରୁନି ଠିକାଦାର
  • ମିଛରେ ଉଠୁଛି ଲକ୍ଷ ଲକ୍ଷ ଟଙ୍କା

ଯଖପୁରା : ଶିଳ୍ପାଞ୍ଚଳର ସମସ୍ତ ରାସ୍ତା ଚଳଚଞ୍ଚଳ । ସେହି ଦୃଷ୍ଟିରୁ ଶିଳ୍ପାଞ୍ଚଳରେ ଅନେକ ରାସ୍ତା ନିର୍ମାଣ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସରକାର ବିଧାନସଭାରେ ହିସାବ ରଖୁଛନ୍ତି । ରାସ୍ତା ନିର୍ମାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି ସତ ହେଲେ ନିର୍ମାଣ ଠାରୁ ଆରମ୍ଭ କରି ନିର୍ମାଣ ହୋଇଥିବା ରାସ୍ତାର ରକ୍ଷଣାବେକ୍ଷଣା କିପରି କରାଯାଉଛି ତାହା ପରଖିବା କ୍ଷେତ୍ରରେ ବିଭାଗୀୟ ଅଧିକାରୀ ଖାମଖିଆଲି ନୀତି ଆପଣାଉଥିବାର ଦେଖିବାକୁ ମିଳୁଛି । ରାସ୍ତା ନିର୍ମାଣ ସମୟରେ ତ ରାସ୍ତାର ମାନ ଦେଖୁ ନାହାଁନ୍ତି ସେହି ରାସ୍ତା ନିର୍ମାଣ ହୋଇ ସାରିବା ପରେ ପ୍ରତି ବର୍ଷ ରାସ୍ତାର ମରାମତି ପାଇଁ ଆସୁଥିବା ଅର୍ଥକୁ ଠିକାଦାର କିପରି ରାସ୍ତା ମରାମତି ନକରି ଚଳୁ କରୁଛନ୍ତି ତାହା ତଦନ୍ତ ସାପେକ୍ଷ । 

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ନିର୍ମାଣ ହେଉଥିବା ରାବଣା ମାର୍ଥାପୁର ରାସ୍ତାର ମରାମତି ପାଇଁ ରାସ୍ତା ନିର୍ମାଣ ସରିବା ବର୍ଷ ଠାରୁ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମରାମତି କରିବାର ଅବଧି ରହି ଥିବାର ସୂଚନା ରହିଛି । ପ୍ରତିବର୍ଷ ରାସ୍ତା ମରାମତି ପାଇଁ ଅର୍ଥ ବ୍ୟୟ ବରାଦ ରହିଥାଏ କିନ୍ତୁ ଠିକାଦାର ସେ କ୍ଷେତ୍ରରେ ରାସ୍ତା ମରାମତି ନକରି ମରାମତି ନାଁରେ ଥିବା ଅର୍ଥକୁ ଚଳୁ କରୁଥିବାର ଦେଖିବାକୁ ମିଳୁଛି । ସେମିତି ଏକ ଦୃଶ୍ୟ ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ମାଣତୀରା ପଞ୍ଚାୟତର ରାବଣା ମାର୍ଥାପୁର ରାସ୍ତା କ୍ଷେତ୍ରରେ ଦେଖିବାକୁ ମିଳିଛି । ୨୦୨୨ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାବଣା ଗ୍ରାମ ଠାରୁ ମାର୍ଥାପୁର ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୬.୧୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା । କାର୍ଯ୍ୟର ଠିକାଦାର ଥିଲେ ଚିନ୍ମୟ ଚିରସୁନ୍ଦର ତ୍ରିପାଠୀ । ୪.୫୧୫ କି.ମି କଂକ୍ରିଟ ରାସ୍ତା ଓ ୧.୫୫୫ କି.ମି ପିଚୁ ରାସ୍ତା ନିର୍ମାଣରେ ପ୍ରାୟ ୬କୋଟି ୮୯ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହି ରାସ୍ତାଟିର ନିର୍ମାଣ କାର୍ଯ୍ୟ ୨୦୨୩ ମସିହାରେ ଶେଷ ହୋଇଥିଲା । ପ୍ରକାଶ ଥାଉକି ରାବଣା ମାର୍ଥାପୁର ରାସ୍ତା ଏକ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତାଟି ଶିଳ୍ପାଞ୍ଚଳର ସମସ୍ତ କାରଖାନାକୁ ସଂଯୋଗ କରୁଥିବା ରାସ୍ତା । ଏହି ରାସ୍ତା ଉପରେ ପ୍ରତି ଦିନ ପ୍ରାୟ ୫ ରୁ୧୦ହଜାର ଲୋକ ଯିବା ଆସିବା କରିଥାନ୍ତି । ଏହି ରାସ୍ତାଟି ମଧ୍ୟ ଡ଼ୁବୁରୀ ଠାରୁ କୁଆଖିଆ ଜାତୀୟ ରାଜପଥ ସହିତ ସଂଯୋଗ କରୁଛି । ତେଣୁ ଧର୍ମଶାଳା ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ପ୍ରତି ଦିନ ଅନେକ ଲୋକ ଯିବା ଆସିବା କରିଥାନ୍ତି । ରାଛିପୁର, ଖପୁରିଆପଦା, କୁମ୍ଭିରଗଡିଆ, ମାଣତୀରା, ଯଖପୁରା ଆଦି ପଞ୍ଚାୟତର ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସ୍କୁଲ, କଲେଜ ପିଲା ଯିବା ଆସିବା କରିଥାନ୍ତି । ଏମିତିକି କିଛି ତଳି ଅଞ୍ଚଳର ଲୋକ ମାନଙ୍କର ଏହା ମୁଖ୍ୟ ରାସ୍ତା । ଅନେକ ସମୟରେ ଏହି ରାସ୍ତା ଦେଇ ୧୦୮ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ଯାଇଥାଏ । ଅନେକ ଲୋକ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ କଳକାରଖାନାକୁ ଏହି ରାସ୍ତା ଦେଇଯିବା ଆସିବା କରୁଥିବାର ଦେଖିବାକୁ ମିଳେ । ମୋଟ ଉପରେ କହିବାକୁ ଗଲେ ରାବଣା ମାର୍ଥାପୁର୍‌ ରାସ୍ତା ଅତି ଜନ ଗହଳି ପୂର୍ଣ୍ଣ ରାସ୍ତା । ସେଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ଅତି ଗୁରୁତ୍ୱ ଦେଇ ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଇଥିଲା । ମାତ୍ର ଏହି ରାସ୍ତା ନିର୍ମାଣ ସମୟରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳିଥିଲା । ଏହା ସେତେ ବେଳେ ଅନେକ ଖବର କାଗଜର ପୃଷ୍ଟା ମଣ୍ଡିତ କରିଥିଲା । ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଠକେଇ ହୋଇଥିବାର ଅଭିଯୋଗ ଆସିଥିଲା । ଠିକାଦାର, ଯନ୍ତ୍ରୀ ଓ ମୁଖ୍ୟଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ରାସ୍ତା କାର୍ଯ୍ୟରେ ବ୍ୟାପକ ଜାଲିଆତି ହୋଇଥିବାର ଅଭିଯୋଗ ଆସିଥିଲା । ଅନେକ ଅଭିଯୋଗ ପରେ ରାସ୍ତାର ନିର୍ମାଣ କାର୍ଯ୍ୟ ଠିକାଦାର ଯେନତେନ ପ୍ରକାର କରି ଶେଷ କରିବାରେ ସକ୍ଷମ ହୋଇଥିଲେ । ମାତ୍ର ରାସ୍ତା ନିର୍ମାଣପର ଠାରୁ ରାସ୍ତା ମରାମତି କରିବା ଠିକାଦାରଙ୍କ ଦାୟିତ୍ୱ ହୋଇଥିବା ସତ୍ତେ୍ୱ ନିର୍ମାଣ କାର୍ଯ୍ୟ ସରିବାର ୨ବର୍ଷ ପରେ ମଧ୍ୟ ରାସ୍ତା ମରାମତି ନାଆଁ ଧରୁନି ଠିକାଦାର । ରାସ୍ତା ମରାମତି ପାଇଁ ୨୦୨୩/୨୪ବର୍ଷ ପାଇଁ ୪ଲକ୍ଷ ୩ ହଜାର ଟଙ୍କା ଓ ୨୦୨୪/୨୫ ବର୍ଷ ପାଇଁ ୫ଲକ୍ଷ ୨୭ହଜାର ଟଙ୍କା,୨୦୨୫/୨୬ବର୍ଷ ପାଇଁ ୬ଲକ୍ଷ ୫୨ହଜାର,୨୦୨୬/୨୭ ବର୍ଷ ପାଇଁ ୭ ଲକ୍ଷ ୭୬ ହଜାର ଓ ୨୦୨୭/୨୮ବର୍ଷ ପାଇଁ ୯ଲକ୍ଷ ୧ହଜାର ଟଙ୍କା ରାସ୍ତା ମରାମତି ହେବାରେ ଖର୍ଚ୍ଚ ହେବ ବୋଲି ସୂଚନା ରହିଛି । ରାସ୍ତା ମରାମତି ବାବଦରେ ମୋଟ ୩୨ ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ ହେବାକୁ ପ୍ରାବଧାନ ରହିଛି । ମାତ୍ର ଠିକାଦାର ୨୦୨୩/୨୪ ଓ ୨୦୨୪/୨୫ ବର୍ଷ ପାଇଁ ରାସ୍ତା ମରାମତି ନାଁରେ ଟଙ୍କା ଉଠାଣ କରିସାରିଛି ବୋଲି ଅଭିଯୋଗ ହୋଇଛି ମାତ୍ର ରାସ୍ତା ମରାମତି କାର୍ଯ୍ୟ ଆଦୈା ହୋଇ ନାହିଁ କହିଲେ ଚଳେ । ରାସ୍ତାର କିଛି କିଛି ସ୍ଥାନରେ ପ୍ୟାଚ୍‌ ପକାଇ ମରାମତି ପାଇଁଥିବା ମୋଟ ଅର୍ଥକୁ ଠିକାଦାର ଉଠାଇ ସାରିଥିବା କୁହାଯାଉଛି । ନାମକୁ ମାତ୍ର ରାସ୍ତା ମରାମତି କାର୍ଯ୍ୟ କରି ଠିକାଦାର ଅର୍ଥକୁ ହଡ଼ପ କରିଥିବାର ଅଭିଯୋଗ ହୋଇଛି । ରାସ୍ତା ମରାମତି କରିବାକୁ ହେଲେ ରାସ୍ତାର ଉଭୟ ପାର୍ଶ୍ୱ ସଫେଇ, ବର୍ଷାକୁ ଥରେ ପାଣିକଟା ଧାରା ରାସ୍ତା ନିର୍ମାଣ କରିବା, ରାସ୍ତାରେ ଫାଟ ଓ ଗର୍ତ ହେଲେ ଦରକାର ଅନୁସାରେ ମରାମତି କରିବା, ରାସ୍ତା ପାର୍ଶ୍ୱରେ ନିର୍ମାଣ ହୋଇଥିବା କଲ୍‌ଭର୍ଟ ମରାମତି କରିବା, ରାସ୍ତା ପାର୍ଶ୍ୱରେ ଥିବା ନଳା ସଫା କରିବା ଆଦି ଏମିତି ଅନେକ କାର୍ଯ୍ୟ ମରାମତି କରିବା ପାଇଁ ଥିବା ସତ୍ତେ୍ୱ ଠିକାଦାର ଚଞ୍ଚକତା କରି କୌଣସି ମରାମତି କାର୍ଯ ନକରି ଦୁଇ ବର୍ଷର ମରାମତି ଅର୍ଥକୁ ହଡ଼ପ କରି ନେଇଥିବାର ଅଭିଯୋଗ ହୋଇଛି । ଏପଟେ ରାସ୍ତାର ଅବସ୍ଥା ଅତି ଖରାପ ହୋଇଗଲାଣି । ଅନେକ ଗାଁର ନଷ୍ଟ ହୋଇଗଲାଣି । ରାବଣା ଠାରୁ କେନ୍ଦୁଢ଼ିପ ପର୍ଯ୍ୟନ୍ତ ରାସ୍ତା ଅତି କଦର୍ଯ୍ୟ ହୋଇପଡିଛି । ହେତାଗାଡ଼ିଆ ଉଚ୍ଚ ସେତୁର ଉଭୟ ପାର୍ଶ୍ୱକାର୍ଯ୍ୟ ଶେଷ ହୋଇନାହିଁ । ଯାହା ପଥଚାରୀଙ୍କ ଯିବା ଆସିବାରେ ବାଧକ ସାଜୁଛି । ସେହିପରି କେନ୍ଦୁଢିପ୍‌ ତଳସାହି ରାସ୍ତାରୁ ହେତାଗାଡିଆ ରାସ୍ତା ଫାଟି ଅାଁ କଲାଣି । ରାସ୍ତାରେ ଅନେକ ଜାଗା ଫାଟ ମାରିଥିବା ବେଳେ ଅନେକ ଜାଗାରେ ରାସ୍ତା ଉପରେ ଗାତ ସବୁ ଦେଖିବାକୁ ମିଳୁଛି । ଆଉ କିଛି କିଛି ଜାଗାରେ ରାସ୍ତା ଉପରୁ ଚିପ୍ସ ସବୁ ବାହାରି ପଡ଼ିଲାଣି । କେନ୍ଦୁଢିପ୍‌ ଓ କିମ୍ଭିରଗଡିଆ ଠାରେ ରାସ୍ତାର ଉଭୟ ପାର୍ଶ୍ୱର ନାଳ ସବୁ ବନ୍ଦ୍‌ ହୋଇପଡିଛି । ଫଳରେ ପାଣି ନିଷ୍କାସନ ହୋଇପାରୁ ନାହିଁ । ପାଣି ରାସ୍ତା ଉପରେ ଚାଲୁଛି । ନିମ୍ନମାନର ପିଚୁ ରାସ୍ତା ହୋଇଥିବାରୁ ରାସ୍ତାରୁ ପିଚୁ ସବୁ ଉଠିଗଲାଣି । ଅତଏବ ୨ବର୍ଷ ଭିତରେ କୋଟି କୋଟି ଟଙ୍କାରେ ନିର୍ମିତ ରାସ୍ତାର ଅବସ୍ଥା ଖାଲ ଢିପରେ ପୂର୍ଣ୍ଣ ହୋଇଗଲାଣି । ତୁରନ୍ତ ଏହି ରାସ୍ତା ପ୍ରତି ଧ୍ୟାନ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ତଥା ଉଚ୍ଚ ଯନ୍ତ୍ରୀ, ଯନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବା ସହିତ ଚଞ୍ଚକତା କରିଥିବା ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ଗ୍ରାମର ଗ୍ରାମବାସୀ ଦାବି କରିଛନ୍ତି ।