ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତାର ମଞ୍ଚ ପାଲଟିଛି ମହୋତ୍ସବ 

ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳ ତେଲିବାହାଳୀ ମହାପାଟ ପଡିଆରେ ଚାଲିଥିବା ସୁକିନ୍ଦା ଶିଳ୍ପମହୋତ୍ସବ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତାର ମଞ୍ଚ ପାଲଟିଛି । ସୁକିନ୍ଦାର ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରଚନା, ଗୀତ, ନାଚ, କୁଇଜ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଉଛି । ସ୍ଥାନୀୟ ପିଲାମାନେ ଏହି ମଂଚରେ କଳା ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଉଛନ୍ତି । ପ୍ରତ୍ୟେକ ସନ୍ଧ୍ୟାରେ ମନ୍ତ୍ରୀ ଓ ବିଧାୟକଙ୍କ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ, ଶିଳ୍ପ ଅଧିକାରୀ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରୁଛନ୍ତି । ଶିଳ୍ପ ମହୋତ୍ସବ ଭାଇ ଚାରା ବଢାଇବାରେ ସହାୟକ ହୋଇ ପାରିବ ଓ ଆଗକୁ ଆହୁରି ସରସ ସୁନ୍ଦର ହେବ ବୋଲି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ଯେଉଁ ପ୍ରତିଭା ଲୁଚିକି ଅଛି ତାକୁ ଖୋଜି ବାହାର କରି ଉତ୍ସାହିତ କରାଯିବ ଏ ମହୋତ୍ସବ ସାରା ସୁକିନ୍ଦା ବାସୀଙ୍କର ବୋଲି କହିଛନ୍ତି । ଶିଳ୍ପ ମହୋତ୍ସବରେ ବିଭିନ୍ନ ଷ୍ଟଲ ଗୁଡିକରେ ଲୋକମାନଙ୍କର ଭିଡ଼ ଜମୁଛି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା  ବିଭିନ୍ନ ଷ୍ଟଲମାନ ପକାଇ ଦୋକାନ ଦେବାର ସୁଯୋଗ ପାଇଛନ୍ତି । କଳିଙ୍ଗନଗର ଶିଳ୍ପ ସଂସ୍ଥା ସେମାନଙ୍କ ଉତ୍ପାତନ କିପରି ହେଉଛି ସେ ବିଷୟରେ ଷ୍ଟଲ ଲଗାଇ ଲୋକଙ୍କୁ ବୁଝାଉଛନ୍ତି । ପିଲାମାନଙ୍କ ପାଇଁ ଦୋଳି, ବିଭିନ୍ନ ଖେଳନା ଓ ଶୀତୁଆ ସନ୍ଧ୍ୟାରେ ଫାଷ୍ଟଫୁଡର ମଜା ନେଉଛନ୍ତି । ମହୋତ୍ସବରେ ମେଲୋଡି ଓ କମେଡି ସମସ୍ତଙ୍କର ମନ ମହୁଥିବା ବେଳେ ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ଓ ଦମକଳ ବାହିନୀ ସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ହେବାକୁ ଥିବା ଶିଳ୍ପ ମହୋତ୍ସବ ୭ ତାରିଖ ମାନେ ଶୁକ୍ରବାରରେ ସରିବ ବୋଲି ଜଣାପଡିଛି । କାରଣ ଜିଲ୍ଲା ମହୋତ୍ସବ ସହ ବ୍ୟାସ ସରୋବର ମହୋତ୍ସବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଗୋଟେ ଦିନ ପୂର୍ବରୁ ଶେଷ କରିବାକୁ ଆୟୋଜକ ନିଷ୍ପତି ନେଇଛନ୍ତି ।