ରାସ୍ତାରୁ ବାଉଁଶ ହଟିବ କେବେ?
ଜଟଣୀ : ଆଜକୁ ଦୀର୍ଘ ଦେଢ଼ ମାସରୁ ଅଧିକ ସମୟ ଧରି ସହରର ମୁଖ୍ୟ ରାସ୍ତାର ଥାନା ସମ୍ମୁଖରେ ଥିବା ଡିଭାଇଡର ମଝିରେ ଗେରୁଆ ପତାକା ଲାଗିଥିବା ଏକ ବାଉଁଶ ଏକ ପାର୍ଶ୍ୱକୁ ଝୁଲି ବିପଦ ସଂକୁଳ ଅବସ୍ଥାରେ ରହିଛି । ପାଣିପାଗ ବିଭାଗ ପକ୍ଷରୁ ବର୍ଷା ସହିତ ପବନ ବହିବା ଉପରେ ସତର୍କ କରାଯାଉଛି । ଯେହେତୁ ଏହି ସୁଉଚ୍ଚ ବାଉଁଶଟି ବିପଦ ଭାବେ ଝୁଲନ୍ତା ଅବସ୍ଥାରେ ଦଣ୍ଡାୟମାନ ରହିଛି ତାକୁ ନେଇ ସାଧାରଣରେ ଶଙ୍କା ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ଦୈନିକ ସକାଳ ଠାରୁ ରାତ୍ରି ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ମୋଟର ଯାନ ମାନ ଯାଆସ କରୁଥିବା ବେଳେ ଯଦି କାଳ ବୈଷାଖପ୍ରକୋପ ଜନିତ ପରିସ୍ଥିତିରେ ଏହି ବାଉଁଶଟି ଅଚାନକ ଭାବରେ ପଡ଼ିଯାଏ ତେବେ ପରିସ୍ଥିତି କଣ ହେବ ତାହା ସହଜେ ଅନୁମେୟ କରାଯାଇପାରେ କ୍ଷ ଅନ୍ୟପକ୍ଷରେ ପୌରାଞ୍ଚଳରେ ପତାକା, ବ୍ୟାନର ଇତ୍ୟାଦି ଭଳି ଜିନିଷ ଲଗାଯିବା ପୂର୍ବରୁ ପୌର କାର୍ଯ୍ୟାଳୟରୁ ଅନୁମତି ଆଣିବା କଥା, କିନ୍ତୁ ଏଠାରେ ନିୟମ ଓଲଟା । ଆଶ୍ଚର୍ଯ୍ୟର ବିଷୟ ଏହି ରାସ୍ତା ଦେଇ ଦୈନିକ ପ୍ରାଶାସନିକ ଅଧିକାରୀ ହୁଅନ୍ତୁ ବା ବିଭାଗୀୟ ପୌର କର୍ମଚାରୀ ଯା ଆସ କରୁଥିଲେ ମଧ୍ୟ କିଭଳି ଏହା ଉପରେ ସେମାନଙ୍କର ନଜର ପଡୁନାହିଁ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଅତଏବ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ଆଗାମୀ ଦିନରେ ମୁଖ୍ୟ ରାସ୍ତା ଉପରେ କି କଡ଼ରେ ଏଭଳି ପ୍ରକାର ଜିନିଷ ବ୍ୟବହାର କରିବା ଉପରେ ରୋକ୍ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି ।