ରାହାଡ଼ପୁର ପାହାଡ଼ରୁ କୋଟି କୋଟି ଟଙ୍କାର କଳାପଥର ଲୁଟ୍


 କବାଟବନ୍ଧ: ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର କଳା ପଥର ଖଣିରୁ ପ୍ରତ୍ୟେକ ଦିନ ହଜାର ହଜାର ଟ୍ରିପ କଳାପଥର ଲୁଟ ହେଉଛି । ରାଜସ୍ୱ ବିଭାଗ ହାତ ଟେକିଦେଇ ଥିବା ବେଳେ ଖଣି ବିଭାଗ ଚୁପ ବସିଛି । ମାଫିଆ ଏହାର ସୁଯୋଗ ନେଇ ଲୁଟ କରିଚାଲିଛନ୍ତି କଳାପଥର । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଇତିମଧ୍ୟରେ ସରକାର ସମସ୍ତ କଳାପଥର ସୈରାତକୁ ମେଜର ମାଇନ୍ସ ଭାବେ ଘୋଷଣା କରିଛନ୍ତି । ରାଜସ୍ୱ ବିଭାଗ ଠାରୁ ମାଇନ୍ସ ଅଧିନକୁ ଗତ ବର୍ଷେ ତଳୁ ହସ୍ତାନ୍ତର କରାଯାଇଛି । ବିଶେଷକରି ଯାଜପୁର ଜିଲ୍ଲା ଖଣି ଉପ ନିଦେ୍ର୍ଦଶକଙ୍କ ଅଧିନରେ ରହିଥିବା ଲିଜ ନଥାଇ ପଥର ଚୋରମାନେ ବିସ୍ଫୋରକ ଦ୍ୱାରା ପଥର ଫଟାଇ ବଡବଡ ପ୍ରୋକଲିନ ମେସିନ ଦ୍ୱାରା ହାଇୱା ସାହାଯ୍ୟରେ ଦୈନିକ ହଜାର ହଜାର ଟ୍ରିପ ପଥର ଚୋରା ଚାଲାଣ କରୁଛନ୍ତି । ଏହି ଚୋରା ପଥର ଖଣିରୁ ସିଧାସଳଖ ପାଖାପାଖି ମେଗା କ୍ରସର ଗୁଡିକୁ ପରିବହନ ହେଉଛି । ଯେଉଁ କେତୋଟି ଖଣିକୁ ଲିଜ ପ୍ରଦାନ କରାଯାଇଛି ଲିଜଧାରୀ ମାନେ ଟିକସ ଓ ରୟାଲିଟି ଫାଙ୍କିବା ପାଇଁ ସେମାନଙ୍କ ଲିଜ ଖଣିରୁ ପଥର ଉତୋଳନ ନକରି କେବଳ ଅଣଲିଜ ପ୍ରାପ୍ତ ଖଣି ଗୁଡିକରୁ ବେଆଇନ ଭାବେ ଆଖିବୁଜା ପଥରଲୁଟ କରୁଛନ୍ତି । ମାଫିଆ ମାନେ ମାଲେମାଲ ହେଉଥିଲେ ମଧ୍ୟ ସରକାରଙ୍କୁ ଟଙ୍କାଟିଏ ବି ରାଜସ୍ୱ ମିଳୁନାହିଁ । ବିଶେଷକରି ଏକ ରାଜନୈତିକ ଦଳର ବ୍ୟକ୍ତି ମାନେ ଏହି ଚୋରି ଓ ଲୁଟପାଟରେ ସିଧାସଳଖ ସପୃକ୍ତ ଥିବାରୁ ତାହା ପ୍ରଶାସନ ଅନୁକମ୍ପା ଦେଖାଉଛି କି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ୟ ପକ୍ଷରେ ଏବେ ଶତାଧିକ ପଥର ଖଣିରେ ଚାଲିଥିବା ବେଆଇନ ଖନନ ଓ ଆଖିବୁଜା ପଥର ଚୋରିକୁ ରୋକିବା ପାଇଁ ଖଣି ବିଭାଗର ସାମାନ୍ୟ ନିଘା ନଥୁବା ଦେଖିବାକୁ ମିଳିଛି । ଯାହାକୁ ନେଇ ଖଣି ଓ ରାଜସ୍ୱ ବିଭାଗ ଅଧିକାରୀମାନଙ୍କ ସହ ପଥର ଚୋରଙ୍କ ମଧୁଚନ୍ଦ୍ରିକା ଗଢିଉଠିଥିବା ଏବେ ଚର୍ଚ୍ଚା ହେଉଛି । ଏହି ଆଧାରରେ ଧର୍ମଶାଳା ତହସିଲରେ ସରକାରୀ ଖଣିକୁ ଯାଜପୁର ଜିଲ୍ଲା ଉପ ଖଣି ନିଦେ୍ର୍ଦଶକଙ୍କ ତେବେ ଏହି ଅଞ୍ଚଳର ଖଣି ଗୁଡିକରୁ ବିନା ପରମିଟରେ ଦୈନିକ ହଜାର ହଜାର ଟ୍ରକ ପଥର ପାଖାପାଖି ମେଗା କ୍ରସର ଗୁଡିକୁ ଚାଲାଣ ହେଉଥିଲେ ମଧ୍ୟ ଜିଲ୍ଲା ଖଣି ଅଧିକାରୀ ସବୁ ଦେଖି ନିରବଦ୍ରଷ୍ଟା ସାଢିବା ପଛର କାରଣ କଣ ବୋଲି ପ୍ରଶ୍ନ ହେଉଛି । ସରକାରୀ ହିସାବ ଅନୁଯାଇଏବାବଦରେ ସରକାର ରୟାଲିଟି ଓ ଅନ୍ୟାନ୍ୟ ଟିକସ ବାବଦରେ ଦୈନିକ କୋଟି କୋଟି ଟଙ୍କା ହରାଉଛନ୍ତି । ଅନ୍ୟପଟେ ବ୍ୟାପକ ଜଙ୍ଗଲ ଓ ପରିବେଶ ଧ୍ୱଂସ ହୋଇ ଚାଲିଛି । ଫଥର ଫଟାଇବା ପାଇଁ ବେଆଇନ ବିସ୍ଫୋରଣ ଯୋଗୁଁ ପାଖାପାଖି ଶତାଧିକ ଗ୍ରାମର ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଲୋକମାନଙ୍କ ହଜାର ହଜାର କୋଠାଘର, ସ୍କୁଲ ପ୍ରଭୃତି ଘର ଗୁଡିକରେ ଗଭୀର ଫାଟ ସୃଷ୍ଟି ହୋଇ ନଷ୍ଟଭ୍ରଷ୍ଟ ହେଉଛି । ଏହି ବିରାଟ ଲୁଟପାଟକୁ ସମ୍ପୂର୍ଣ୍ଣ ରୋକିବା ସହ ପଥର ଚୋରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।