ରେଲୁୱେ ଟେଣ୍ଡର ନାଁରେ ୮ ଲକ୍ଷ ଠକେଇ; ଠକ ଗିରଫ

ଭୁବନେଶ୍ୱର, ୧୬ ।୧୨ : ନିଜକୁ ଜଣେ ରେଲୁୱେର ବଡ଼ ଅଧିକାରୀ ପରିଚୟ ଦେଇ ଜଣେ କପଡ଼ା ବ୍ୟବସାୟୀଙ୍କୁ ରେଲୁୱେର ଟେଣ୍ଡର ପକାଇବାକୁ କହି ୮ ଲକ୍ଷ ଚଳୁ । ଏନେଇ ଥାନାରେ ଅଭିଯୋଗ ପରେ ଖାରବେଳନଗର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ନକଲି ରେଲୁୱେ ଅଫିସକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, କଟକ ଜିଲ୍ଲା ନିଆଳି ବିଲ ସାହିର ଅଶ୍ୱିନୀ ପଟେଲ । ଏଠାରେ ସେ ନୟାପଲ୍ଲୀ ନୁଆଁ ସାହିରେ ଭଡ଼ାରେ ରହି ଏଭଳି ଠକେଇ କରୁଥିବା ଜଣାପଡ଼ିଛି ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ସଞ୍ଜୟ ରାଉତ ଜଣକ ଏକ କପଡା ବ୍ୟବସାୟୀ ହୋଇଥିବା ବେଳେ ତାଙ୍କର ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ଦୋକାନ ରହିଛି । ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଅଶ୍ୱିନୀଙ୍କ ସହିତ ଦେଖା ହୋଇଥିଲା । ଅଭିଯୁକ୍ତ ଜଣଙ୍କ ବନ୍ଧୁତା ସ୍ଥାପନ କରିବା ସହ ନିଜକୁ ସେ ଜଣେ ରେଲୁୱେ ବିଭାଗର ଏକ ବଡ଼ କର୍ମଚାରୀ ଭାବେ ପରିଚୟ ଦେଇଥିଲେ । ପରେ ଅଭିଯୋଗକାରୀଙ୍କୁ ରେଲୁୱେ ବିଭାଗର ଏକ ଟେଣ୍ଡର ବିଷୟରେ କହିଥିଲେ । ଫଳରେ ଅଭିଯୋଗକାରୀ ଅଭିଯୁକ୍ତ କଥାରେ ବିଶ୍ୱାସ କରି ଏହି ଟେଣ୍ଡର ନେବା ବାବଦକୁ ଅଗ୍ରୀମ ନଗଦ ୮ ଲକ୍ଷ ଟଙ୍କା ଦେଇଥିଲେ । ଏହାର କିଛିଦିନ ପରେ ଅଭିଯୋଗକାରୀ ଟେଣ୍ଡର ବିଷୟରେ ପଚାରିବାରୁ, ଅଭିଯୁକ୍ତ କିଛି ଉତ୍ତର ଦେଇନଥିଲେ ଏବଂ ମନଗଡା କଥା କହି ତାଙ୍କୁ ବୁଝେଇଦେଇଥିଲେ । ହେଲେ ଅଭିଯୋଗକାରୀ ଅଭିଯୁକ୍ତ କଥାରେ ଆଉ ବିଶ୍ୱାସ ନକରି, ଅଭିଯୁକ୍ତଙ୍କୁ ଟଙ୍କା ଫେରସ୍ତ ପାଇଁ କହିଥିଲେ । ଫଳରେ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ୨ଟି ଚେକ୍ ଦେଇଥିଲେ । ଅଭିଯୋଗକାରୀ ସେହି ଚେକ ଦୁଇଟିକୁ ନେଇ ବ୍ୟାଙ୍କରେ ଲଗାଇଥିବା ବେଳେ ଦୁଇଟି ଚେକ୍ ବାଉନ୍ସ ହୋଇଯାଇଥିଲା । ଫଳରେ ସେ ଆଉ ଟଙ୍କା ଫେରିପାଇନଥିଲେ । ଏନେଇ ଅଭିଯୁକ୍ତକୁ ପୁନଶ୍ଚ ଉକ୍ତ ବିଷୟରେ ପଚାରିବାରୁ ସେ ନଗଦ ଟଙ୍କା ଦେବାକୁ କହିଥିଲେ । ବାରମ୍ବାର ଅନୁରୋଧ ସତ୍ୱେ ଅଭିଯୋଗକାରୀ ନିଜ ଟଙ୍କା ଆଉ ଫେରସ୍ତ ପାଇନଥିଲେ । ଏନେଇ ଅଭିଯୋଗକାରୀ ଖାରବେଳନଗର ଥାନାରେ ଗତ ୮.୧୦.୨୦୨୪ ତାରିଖ ଦିନ ଅଭିଯୋଗକ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଆଜି ଅଭିଯୁକ୍ତଙ୍କୁ କଟକ ଜିଲ୍ଲା ନିଆଳି ଅଞ୍ଚଳରୁ ଗିରଫ କରାଯାଇଛି ।