ଲୁଣାବନ୍ଧ ପ୍ରକଳ୍ପର ଭିତ୍ତିପ୍ରସ୍ତର

 ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଞ୍ଚପଡ଼ା ପଞ୍ଚାୟତର ଜନସାଧାରଣଙ୍କ ପାଇଁ ବିକାଶର ସ୍ୱପ୍ନ ସାକାର ହେବାକୁ ଯାଉଛି । ବର୍ଷ ବର୍ଷ ଧରି ଲୁଣା ପାଣି ମାଡ଼ି ଯିବାର ଭୟ ମଧ୍ୟରେ କାଳାତିପାତ କରୁଥିବା ଜନସାଧାରଣଙ୍କ ଦାବିକୁ ଗୁରୁତ୍ୱ ଦେଇ ଲୁଣା ବନ୍ଧ ଉନ୍ନତିକରଣ ପ୍ରକଳ୍ପକୁ ବାସ୍ତବତାର ରୂପ ଦେଇଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ପାଞ୍ଚପଡ଼ା ଠାରୁ ପାଞ୍ଚପଡ଼ା ଗୋଚର ପର୍ଯ୍ୟନ୍ତ ମୋଟ ଏକ କିଲୋମିଟର ଲମ୍ବର ଲୁଣା ବନ୍ଧ ଉନ୍ନତିକରଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ବନ୍ଧ ନିର୍ମାଣ ପାଇଁ ୨କୋଟି ୧୩ଲକ୍ଷ ୧୨ହଜାର ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ୨୦୨୬ ମସିହା ଫେବୃଆରୀ ମାସ ସୁଦ୍ଧା ଏହା ଶେଷ ହେବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉତ୍ତମ ଗୁଣବତ୍ତା ଓ ସଠିକ୍ ମାନଦଣ୍ଡରେ ଏହି ବନ୍ଧର ନିର୍ମାଣ କାର୍ଯ୍ୟ ସାରିବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।  ସେହିପରି ସଦର ପଞ୍ଚାୟତ ସମିତି ଆନୁକୂଲ୍ୟରେ ପାଞ୍ଚପଡ଼ା ପଞ୍ଚାୟତରେ ଏକ ଉପ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି । ଏଥି ନିମନ୍ତେ ମୋଟ ୩୪ ଲକ୍ଷ ୭୮ହଜାର ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ପାଞ୍ଚପଡ଼ା ସରପଞ୍ଚ ସସ୍ମିତା ଦାସଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦତ୍ତ ଏହି ପ୍ରକଳ୍ପର ଶୁଭ ଦେଇଛନ୍ତି । ଅନୁରୂପ ଭାବେ ଅନୁସୂଚିତ ଜାତି ଓ ଉପଜାତି ସ୍କୁଲ ଓ ହଷ୍ଟେଲ ମରାମତି ଯୋଜନାରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ପାଞ୍ଚପଡ଼ା ସେବାଶ୍ରମ ବିଦ୍ୟାଳୟର ନୂତନ ପାଚେରୀ ଓ ୫ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ନୂତନ ଶ୍ରେଣୀ ଗୃହ ନିର୍ମାଣ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ଅନ୍ତର୍ଗତ ୨ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ନୂତନ ଢଲେଇ ରାସ୍ତା, ସାଂସଦ ହାତ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ନୂତନ ଢଲେଇ ରାସ୍ତା ପ୍ରଭୃତି ପ୍ରକଳ୍ପ ପାଇଁ ବିଧାୟକ ଶ୍ରୀ ଦତ୍ତ ଶିଳାନ୍ୟାସ କରିଥିଲେ । ପାଞ୍ଚପଡ଼ା ପଞ୍ଚାୟତର ସମିତି ସଭ୍ୟା ହାରାମଣୀ ବେହେରା, ୱାର୍ଡ ସଭ୍ୟ ତପନ କୁମାର ପାଳ, ସଭ୍ୟା ରଶ୍ମିତା ବେହେରା, ଝିଲିମଣୀ ଦାସ ପ୍ରମୁଖଙ୍କ ସହ ଅନ୍ୟମାନେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।  ପାଞ୍ଚପଡ଼ା ପଞ୍ଚାୟତରେ ଲୁଣା ବନ୍ଧ ଉନ୍ନତି କରଣ ପ୍ରକଳ୍ପ କାର୍ଯ୍ୟ ସହିତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି ।