ଶଗଡ଼ିଆ ନାଳ ଶୁଖିଲା; ପୁନରୁଦ୍ଧାର ଦାବି

 ଧର୍ମଶାଳା : ଏହି ବ୍ଲକ ଦେଇ ପ୍ରବାହିତ ଶଗଡିଆ ନାଳ ଶୁଖିଲା ପଡିଛି । ଢେଙ୍କାନାଳ ଜିଲାରୁ ବାହାରିଥିବା ଶଗଡ଼ିଆ ନାଳ ଧର୍ମଶାଳା ବ୍ଲକ ପଟୁଣିଆ ଠାରେ ଗେଙ୍ଗୁଟିଆ ନଦୀ ସହିତ ସଂଯୋଗ ହୋଇଛି । 
ଇତିହାସ ବହନ କରୁଥିବା ଶଗଡ଼ିଆ ନାଳ ଉପରେ ହଜାର ହାଜର ଚାଷୀ ନିଜର ଚାଷ କାମ ପାଇଁ ନିର୍ଭର କରିଥାନ୍ତି । ପୂର୍ବରୁ ଏହି ନାଳରେ ବର୍ଷକ ବାର ମାସ ପାଣି ପ୍ରବାହିତ ହେଉଥିଲା । ମାତ୍ର କିଛି ବର୍ଷ ହେବ ଏହି ନାଳ ଶୁଖିଯିବାରେ ଲାଗିଛି । ଖରାଦିନିଆ ଫସଲ କରିଥିବା ଚାଷୀମାନେ ପାଣି ଅଭାବରୁ ଦହଗଞ୍ଜ ଭୋଗୁଛନ୍ତି । ଶଗଡ଼ିଆ ନାଳରେ ପାଣି ଛାଡିବାକୁ ଚାଷୀମାନେ ଜାରକା ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଶିଶିର କୁମାର ଦାସଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ଫରକ କିଛି ପଡ଼ୁନି । ବହୁ ପୁରାତନ ଶଗଡ଼ିଆ ନାଳ ଉପରେ ଧର୍ମଶାଳା ବ୍ଲକର୧୨ଗୋଟି ପଞ୍ଚାୟତର ପାଖାପାଖି ୩ହଜାର ଚାଷୀ ପାଣି ଉପରେ ନିର୍ଭର କରିଥାନ୍ତି । ନାଳରେ ବର୍ଷ ତମାମ ପାଣି ଚାଲିଥାଏ । ମାତ୍ର ଚଳିତ ବର୍ଷ ଶଗଡ଼ିଆ ନାଳରେ ଗ୍ରୀଷ୍ମ ଆରମ୍ଭରୁ ପାଣି ନଆସିବା ଚାଷୀଙ୍କ ଚିନ୍ତା ବଢ଼ାଇଛି । ବହୁବର୍ଷ ହେବ ଜଳସେଚନ ବିଭାଗ ପକ୍ଷରୁ ଏହି ନାଳର ମରାମତି କରାଯାଉ ନଥିବାରୁ ନାଳର ଅନେକ ସ୍ଥାନରେ ପୋତି ହୋଇପଡିଥିବା ଦେଖିବାକୁ ମିଳିଛି । ସେହିପରି ନାଳରୁ ଗଛଲତା ଓ ନାଗଦଳ ସଫା କରାଯାଉ ନାହିଁ । ଯାହାଦ୍ୱାରା ଠିକ୍ ଭାବରେ ନାଳରେ ପାଣି ପ୍ରଭାବିତ ହୋଇପାରୁ ନାହିଁ । ଏବେ ଶଗଡ଼ିଆ ନାଳର ପୁନଃଉଦ୍ଧାର ଆବଶ୍ୟତା ହୋଇପଡ଼ିଛି ବୋଲି ବିଭିନ୍ନ ଚାଷୀ ସଂଗଠନ ଦାବି କରିଛନ୍ତି । ଚାଷୀଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ବିଭାଗ ଇତିହାସ ବହନ କରୁଥିବା ଶଗଡ଼ିଆ ନାଳର ପୁନଃଉଦ୍ଧାର କରିବା ଆବଶ୍ୟକ । କେନ୍ଦ୍ର ଓ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କୁ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ କେନାଲ ଓ ନାଳରେ ପାଣି ନଆସିବା କେତେ ଦୂର ନ୍ୟାୟ ସଙ୍ଗତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ପାଣିବିନା ଥାନୁଆଳ, ମହିଶରା, ସଂପାରୁ, ଗଡମଧୁପୁର, ନେଉଳପୁର, କଣ୍ଟିଗଡିଆ, ସୁନ୍ଦରିଆ, ପାଟପୁର, ମିର୍ଜାପୁର, କାଏମା, ଅଭୟପୁର ଓ ପଟୁଣିଆ ଭଳି ପଞ୍ଚାୟତ ପ୍ରଭାବିତ ହେଉଛନ୍ତି । ପଞ୍ଚାୟତର ଚାଷୀମାନେ ବିଭିନ୍ନ କିସମ ଚାଷକରି ପରିବାର ପ୍ରତିପୋଷଣ କରିଥାନ୍ତି । ଚାଷ ଉପରେ ନିର୍ଭର କରୁଥିବା ଚାଷୀମାନେ ଅନେକ ସମୟରେ ବର୍ଷା ଅଭାବ, କେନାଲ ଓ ଶଗଡ଼ିଆ ନାଳରେ ପାଣି ନଆସିବା ଦ୍ୱାରା ପ୍ରଭାବିତ ହୋଇଥାନ୍ତି ବୋଲି କହିଛନ୍ତି । ଯାହାଦ୍ୱାରା ଅନେକ ଚାଷୀ ନିଜର ଚାଷ ବୃତି ଛାଡି ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।