ଶାସନତନ୍ତ୍ର ଓ ଶଗଡ଼ିଆ ଉପାଖ୍ୟାନ 

ହରିଶଙ୍କର ମିଶ୍ର : ଯାତାୟତ ପାଇଁ ଯେତେ ଯାନ ବ୍ୟବହୃତ ହେଉଛି ତନ୍ମଧ୍ୟରେ ସାଇକେଲ ବା ସାଇକେଲ ରିକ୍ସା ପାଇଁ ଶ୍ରମ ଶକ୍ତି ର ଆବଶ୍ୟକତା ରହିଥିବା ବେଳେ ଜଳ ସ୍ଥଳ ଆକାଶ ପଥରେ ଯାଉଥିବା ସମସ୍ତ ଯାନ ଯାନ୍ତ୍ରିକ ପଦ୍ଧତି ରେ ନିର୍ମିତ ଓ ପରିଚାଳିତ କରାଯାଏ । ଏହାର ଗତି ବେଗ ରହଣି ଆଦି ବିଭିନ୍ନ ଯନ୍ତ୍ର ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।ଏହାକୁ ବ୍ୟବହାର ପାଇଁ ଇନ୍ଧନର ଆବଶ୍ୟକତା ରହିଥିବା ବେଳେ ସମୟ ଭିତ୍ତିକ ମରାମତି ବା ସମ୍ପୂର୍ଣ୍ଣ ତନଖି କରାଯିବା ଜରୁରି । ଯାନ୍ତ୍ରିକ ପଦ୍ଧତି ରେ ସାମାନ୍ୟ ତ୍ରୁଟି ବା ଅସାବଧାନତା  ଯୋଗୁଁ ଚାଳକ ସେହି ଯାନ ଉପରୁ ନିଜର ନିୟନ୍ତ୍ରଣ  ହରାଇଥଏ । ଯାହା କି କୌଣସି ଦୁର୍ଘଟଣାର କାରଣ ହୋଇ ଧନ ଜୀବନ ହାନିର କାରଣ ହୋଇଥାଏ । ଏହାର ଚାଳକ ମାନେ ବୈଷୟିକ ତାଲିମ ପ୍ରାପ୍ତ ଓ ଅଭିଜ୍ଞତା ସମ୍ପନ୍ନ ହୋଇଥାନ୍ତି । ମାତ୍ର ଏହାକୁ ବାଦ୍‌ ଦେଲେ ଅନ୍ୟ ଗୋଟିଏ ଚାଳକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ବିନା ତାଲିମରେ ଦକ୍ଷ ହୋଇପାରନ୍ତି । ପୂର୍ବୋକ୍ତ ସମସ୍ତ ଯାନ ନିର୍ଜୀବ ଯନ୍ତ୍ର  ଓ ଇନ୍ଧନ ଦ୍ୱାରା ଚାଲୁଥିବା ବେଳେ ଏହି ଯାନ  ଦୁଇଟି ସଜୀବ ପଶୁଙ୍କ ଦ୍ୱାରା  ଚଳା ଯାଇଥାଏ ।ଏହି ଯାନ ଆମ ରାଜ୍ୟ ରେ ବହୁ ଶହ ବର୍ଷ ପୁର୍ବରୁ ଏବଂ ଯାନ୍ତ୍ରିକ ପଦ୍ଧତିରେ ନିର୍ମିତ ଯାନ ପୂର୍ବରୁ ଉଭୟ ମାଲ ଓ ଯାତ୍ରୀ ପରିବହନର ଏକମାତ୍ର ମାଧ୍ୟମ ଥିଲା । ଯାହାର ନାମ ଶଗଡ଼ ଓ ତାର ଚାଳକକୁ  ଶଗଡ଼ିଆ କୁହାଯାଏ । ସେମାନେ ଉପଯୋଗ କରୁଥିବା ସଜୀବ ପଶୁ ହେଉଛନ୍ତି ବଳଦ ବା ମଇଁଷି ପୋଡ଼ । ଏହାର ଚାଳକ କୌଣସି ତାଲିମ ନେବା ପରିବର୍ତ୍ତେ ସେମାନେ ଉପଯୋଗ କରୁଥିବା ପଶୁଙ୍କୁ  ବରଂ ତାଲିମ ସହ ଅଭ୍ୟାସ କରାଇଥାନ୍ତି । ତାହା ମଣ ନାମରେ କଥିତ ।ତାଲିମ ପୂର୍ବରୁ ସେଇ ବଳଦ ବା ପୋଢ଼଼ଙ୍କୁ  ଅମଣିଆ କୁହାଯାଏ ।ବୋଧହୁଏ ଦୁଇଟି ଜୀବିତ ପଶୁଙ୍କ ଦ୍ୱାରା ଯାନ ଚଳାଉଥିବା ଏବଂ ବାମ ଡାହାଣ ବୁଲାଣି ରାସ୍ତାରେ ବାହକ ସାଜିଥିବା ବଳଦ ବା ମଇଁଷି ପୋଢଙ୍କୁ ସଠିକ ନିର୍ଦ୍ଦେଶ ଦେଇ ଉଠାଣି ଗଡାଣି ରାସ୍ତା ରେ ଶଗଡ଼କୁ ନିୟନ୍ତ୍ରଣ ରେ ରଖି ପାରୁଥିବାରୁ ସେମାନଙ୍କୁ ସର୍ବୋକୃଷ୍ଟ ଚାଳକ କହିଲେ ବୋଧହୁଏ ଭୁଲ ହେବନାହିଁ । ସମୟାନ୍ତରେ ସେଇ ବଳଦ ବା ପୋଢ ବିକ୍ରି ଖର୍‌ଦ୍ଦି ହୋଇ ନୂଆ ମାଲିକ ପାଇଥାନ୍ତି । ସେମାନେ ନୂଆ ଘର ନୂଆ ପରିବେଶରେ କିଛିଦିନ ଆନମନା ହେବା ସ୍ୱାଭାବିକ । କିନ୍ତୁ ଶଗଡ଼ିଆଙ୍କ ଦକ୍ଷତା ଥିଲେ ନୂଆ ପରିବେଶରେ  ସେଇ ବଳଦ ବା ପୋଢ଼଼ଙ୍କୁ ସେମାନେ  ନିୟନ୍ତ୍ରଣକୁ ଆଣି ପାରନ୍ତି । ଆଗେ ସମସ୍ତ ଗ୍ରାମରେ ଅନେକ ଦକ୍ଷ ଶଗଡ଼ିଆ ଥିଲେ ।ଯେତେ ଦୁଷ୍ଟ ବା ଅଳସୁଆ ବଳଦ କିମ୍ବା ମଇଁଷି ପୋଢଙ୍କୁ ସେମାନେ ବେଶ୍‌ ଆୟତ୍ତ କରିପାରୁଥିଲେ । ଚାଷପାଇଁ ହଳ ମହୀ ଶଗଡ଼ ଠାରୁ ଜିନିଷ ବା ଯାତ୍ରୀ ପରିବହନ ପାଇଁ କିଛି  ସଂମ୍ଭାନ୍ତ ପରିପାଟୀରେ  ସେମାନଙ୍କୁ  ଉପଯୋଗ କରିପାରୁଥିଲେ ।

ଏଠାରେ ଏଇ ବଳଦ ବା ମଇଁଷି ପୋଢଙ୍କ ଉଦାହରଣ ଦେବାର ଉଦ୍ଦେଶ୍ୟ ହେଉଛି ଆମର ଶାସନବ୍ୟବସ୍ଥା ହେଉଛି  ଶଗଡ଼ଗାଡ଼ି ସଦୃଶ । ବଳଦ ବା ମଇଁଷି ପୋଢ ହେଉଛି ପ୍ରଶାସନ । ସେମାନଙ୍କର ଚାଳକ ହେଉଛନ୍ତି ସରକାର । ମାଲିକ ବଦଳ ହେଉଛି ନିର୍ବାଚନ । ସେଇ ବଳଦ ସଦୃଶ ପ୍ରଶାସନକୁ ନିୟନ୍ତ୍ରଣ କରିବାର ଦକ୍ଷତା ଥିଲେ ଶାସନ ନିୟନ୍ତ୍ରଣରେ ରହେ । ବିକ୍ରି ଖର୍‌ଦ୍ଦି ପରେ ସେହି ବଳଦ ବା ପୋଢ ପୂର୍ବ ଚାଳକ ବା ମାଲିକଙ୍କ ଯତ୍ନ ବା ଉପଯୋଗ ଶୈଳୀକୁ ଆମ ଶାସନତନ୍ତ୍ରରେ ନିର୍ବାଚନ ପରେ ପ୍ରଶାସନ ପାଖରେ କିଛି ଦିନ ପ୍ରତିଫଳିତ ହୋଇଥାଏ । କିନ୍ତୁ ନୂଆ ଚାଳକ ଯଦି ଦକ୍ଷ ହୋଇଥାନ୍ତି ତେବେ ବଳଦ ବା ମଇଁଷି ପୋଢ଼ ପୂର୍ବ ଚାଳକ ପରିବର୍ତ୍ତେ ନୂତନ ଚାଳକଙ୍କ ନିର୍ଦ୍ଦେଶ ବା ଆଦେଶ  ମାନିବା ପରି ଆଜ୍ଞାବହ  ହୋଇଥାନ୍ତି । ଶାସକଙ୍କ ଦକ୍ଷତା ମାପିବାର ଅନ୍ୟ ଏକ ଉଦାହରଣ ହେଉଛି ଯେ ଗୋଟିଏ କୋଡ଼ିଏ ହାତ ଗଭୀରର କୂଅର ଗଭୀରତା ମାପିବାକୁ ଯେପରି ଅନ୍ୟୂନ ବାଇଶି ହାତ ଲମ୍ବ ଥିବା ଦଉଡ଼ି ଯେପରି ଦରକାର ହୁଏ ଶାସନ ତନ୍ତ୍ରକୁ ନିୟନ୍ତ୍ରଣ କରିବାକୁ ହେଲେ ପ୍ରଶାସନ ଠାରୁ ସରକାର ଅଧିକ ଦକ୍ଷତା ବହନ କରିବା ଜରୁରି ।ଏହା ସତ୍ୟ ଯେ ଆମ ଶାସନ ତନ୍ତ୍ର କୁ ଯେଉଁମାନେ ଚଳାନ୍ତି ସେମାନେ ସବୁବେଳେ ଅମାନିଆ ବଳଦ ବା ମଇଁଷି ତୁଲ୍ୟ ଆଚରଣରେ ସିଦ୍ଧହସ୍ତ ।ଯାହାକି ସରକାରୀ ଯୋଜନାକୁ ଭିନ୍ନ ଢ଼ଙ୍ଗରେ ବା ଉଦ୍ଦେଶ୍ୟ ରଖି ଚଳାଇବା, ଦୁର୍ନୀତି ଗ୍ରସ୍ତ ହୋଇ କାର୍ଯ୍ୟରେ ଅବହେଳା ବା ଅସଦ୍‌ଉପାୟ ଅନୁକରଣ  ସଙ୍ଗେ ତୁଳନୀୟ । ତେଣୁ ଅମାନିଆ ବଳଦକୁ ନିଜ ନିୟନ୍ତ୍ରଣରେ ରଖିବାକୁ  ଅତି କୁଶଳୀ ଶଗଡ଼ିଆ ଆବଶ୍ୟକ ପରି  ଶାସନତନ୍ତ୍ରକୁ ନିୟନ୍ତ୍ରଣରେ ରଖିବାକୁ ସେପରି ଧୀସମ୍ପନ୍ନ ସମର୍ପଣ ଭାବନା ରଖିବା ସରକାର ଆବଶ୍ୟକ । ଯଦି ସରକାର ବାହକ ଭାବରେ ବଳଦ ବା ମଇଁଷି ପୋଡ଼ ପରିବର୍ତ୍ତେ ଯାନକୁ ଯନ୍ତ୍ରତୁଲ୍ୟ ମନେ କରି ତା ଉପରେ ନିର୍ଭରଶୀଳ ହେବେ ,ସମୟ ଆସିବ ଯେତେବେଳେ ସେ ଯାନ ଉପରୁ ସମ୍ପୂର୍ଣ୍ଣ  ନିୟନ୍ତ୍ରଣ ହରାଇ ବସିବେ ।ଆଉ କେଉଁ ଦୁର୍ଘଟଣାର କେଉଁ ଧନ ଜୀବନ ହାନି ହେବ ତାହା ପରବର୍ତ୍ତୀ ନିର୍ବାଚନ ଜଣାଇଦେବ ।

ଆମ ରାଜ୍ୟରେ ଦୀର୍ଘ ଚବିଶ ବର୍ଷ ଧରି ଗୋଟିଏ ନିର୍ବାଚିତ ସରକାର ଥିଲା । ସମୟକ୍ରମେ ସମସ୍ତ ବାହକମାନେ ନିଷ୍କ୍ରିୟ ହୋଇ ଯାଇଥିଲେ ବା ନିଷ୍କ୍ରିୟ କରାଯାଇଥିଲା ତାହା ନିଶ୍ଚିତ ଅନେକେ ଜାଣନ୍ତି । ଶାସନ ପ୍ରାୟ ଏକଛତ୍ରବାଦ ଥିଲା । ଜଣେ ଚାଳକ ସମସ୍ତଙ୍କୁ ନିୟନ୍ତ୍ରଣ କରିବା ମାନସିକତାରେ  ନିଜକୁ ଅତ୍ୟନ୍ତ କୌଶଳୀ ଓ ଦକ୍ଷ ମନେ କରିଥିଲେ ।ତାପରେ ଯେଉଁ ଅପ୍ରତ୍ୟାଶିତ ଏବଂ ଅବିଶ୍ୱସନୀୟ ଭାବରେ ଶାସନ ପରିବର୍ତ୍ତନ ହେଲା ତାର ଶ୍ରେୟ ନିଶ୍ଚିତ ମାଲିକରୂପୀ ସାଧାରଣ ଜନତାଙ୍କର ଅସନ୍ତୋଷ ଜନିତ କୌଶଳର ପ୍ରତିଫଳନ ଏହା ଅସ୍ୱୀକାର କରାଯାଇନପାରେ । କିନ୍ତୁ ଶାସନ ତନ୍ତ୍ରରେ ଥିବା ପ୍ରତ୍ୟେକ  ବ୍ୟକ୍ତି ଯେଭଳି ପଦବୀ ପୂନର୍ଗଠନ ଠାରୁ କ୍ଷମତା ମାଧ୍ୟମରେ  ଅନୁଗୃହୀତ ହୋଇଥିଲେ ସେମାନଙ୍କର ଆନୁଗତ୍ୟ ଏତେ ଶୀଘ୍ର ପରିବର୍ତ୍ତନ ହେବା ସମ୍ଭବ ନୁହେଁ । ସେମାନଙ୍କ ଉପରେ କର୍ତ୍ତୃତ୍ୱ ସାବ୍ୟସ୍ତ କରିବାକୁ ହେଲେ ଚାଳକ ନିଜକୁ ଦକ୍ଷ ସଚ୍ଚୋଟ କର୍ମଠ ସର୍ବୋପରି ଜନତାରୂପୀ ମାଲିକଙ୍କ ପାଖରେ ଉତ୍ତରଦାୟୀ ମନୋବୃତ୍ତି ରଖିବା  ଆବଶ୍ୟକ । ଦାୟୀତ୍ୱହୀନ ମନ୍ତବ୍ୟ ଅନେକ ସମୟରେ ଅନେକ ଘଟଣା ବା ଦୁର୍ଘଟଣା ସୃଷ୍ଟି କରେ ।ତେଣୁ ଏହା ସାଧାରଣତଃ ସରକାରୀ ଭାବରେ ପ୍ରଦତ୍ତ ପ୍ରତି ବାକ୍ୟ ଉଚ୍ଚ଼ାରଣ ପୂର୍ବରୁ ମନେ ରଖିବାକୁ ହେବ । ସରକାର ଅନେକ କ୍ଷେତ୍ରରେ ପୂର୍ବ ସରକାରକୁ ଦାୟୀ କରିବାର ସମୟ ଅତିକ୍ରାନ୍ତ ହୋଇସାରିଛି । ଦେଶର ସ୍ୱାଧୀନତାଠାରୁ ଏଯାବତ୍‌ ଅନେକ ସରକାର ଆସିଛନ୍ତି ଯାଇଛନ୍ତି ମଧ୍ୟ । କିନ୍ତୁ ସେମାନଙ୍କ ମଧ୍ୟରେ ଶିକ୍ଷାଗତ ଯୋଗ୍ୟତା ନଥାଇ ମଧ୍ୟ ଅନେକେ ନିଜର ପ୍ରଶାସନ ଉପରେ ନିଜର ଦକ୍ଷତା ଓ କର୍ତ୍ତୃତ୍ୱ ପ୍ରତିପାଦନ କରିଯାଇଛନ୍ତି । କିନ୍ତୁ ସମୟ ବଦଳିଛି ଏବେ  ନିଜ ପାଣ୍ଠିର କଳେବର ବୃଦ୍ଧି ପାଇଁ ସମସ୍ତଙ୍କ ଆଖି ରାଜ୍ୟ ରାଜସ୍ୱ ଉପରେ ରହିଛି । ଦୁର୍ନୀତି ମୁକ୍ତ ପ୍ରଗତି ଦିବା ସ୍ୱପ୍ନ ତୁଲ୍ୟ ହୋଇସାରିଛି । ଅହଂକାର କ୍ଷମତା ନିଶା ଏତେ ବ୍ୟାପକ ହୋଇଯାଇଛି ଯେ ସରକାର ଥିବା ବେଳେ ଦଳୀୟ କର୍ମୀ ନିଜକୁ ସର୍ବେସର୍ବା ମନେ କରୁଛନ୍ତି । ସୁସ୍ଥ ଶାସନ ପାଇଁ ଏହା କେବେ ବି ଶୁଭ ସୂଚକ ହୋଇନପାରେ । ସମୟ ଥିଲା ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ପରିବାର ବା ପତ୍ନୀଙ୍କୁ ସାଧାରଣ ଜନତା ଶ୍ରେଣୀର ବିବେଚନା କରୁଥିଲେ । ସମୟର ବ୍ୟାପକ ପରିବର୍ତ୍ତନ ସତ୍ତେ୍ୱ୍ୱ  ଶାସନ ତନ୍ତ୍ର ଦାୟିତ୍ୱ ନେଇଥିବା ରାଜନୈତିକ ଦଳ ଓ ବ୍ୟକ୍ତି ମାନେ ନିଜପାଇଁ  କିଛି ଉଦାହରଣ ସୃଷ୍ଟି କରିବା ଏବଂ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ  ଆଚରଣ ଓ ଉଚ୍ଚ଼ାରଣରେ ନିଜକୁ ମାର୍ଜିତ କରାଇବା ନିଶ୍ଚିତ ପ୍ରାଥମିକ ଆବଶ୍ୟକତା ବୋଲି ମାନସିକ ସ୍ତରରେ ଦୃଢ ହେବା ଜରୁରି । ଅତୀତରେ ଓ ନିକଟ ଅତୀତରେ ସେଇ ଅମାନିଆ ବଳଦ ,ଶାସନତନ୍ତ୍ରର ଦୁର୍ବଳତାର ସୁଯୋଗ ନେଇ ବା ଶାସନତନ୍ତ୍ରକୁ ପ୍ରଭାବିତ କରି ନିଜ ଗୋଷ୍ଠୀ ଭିତ୍ତିକ  ଅନେକ ଦାପ୍ତରିକ ଓ ବୃତ୍ତିଗତ ପଦୋନ୍ନତିର ସୁଯୋଗ ନେଇ ରାଜ୍ୟ ରାଜକୋଷକୁ ଭାରାକ୍ରାନ୍ତ କରିସାରିଛନ୍ତି । ଯାହାର ଅନେକ ଉଦାହରଣ ରହିଛି । ବ୍ୟକ୍ତିଗତ ଲାଭ ପାଇଁ  ରାଜ୍ୟ ରାଜସ୍ୱର କ୍ଷତି ବା ଜନତାଙ୍କୁ ନିର୍ଯାତିତ କରି ଦୁର୍ନୀତିରେ ଅର୍ଥ ଓ ସମ୍ପତ୍ତି ବୃଦ୍ଧି କରିବାର ଉଦାହରଣ ତ କିଛି ମାତ୍ରାରେ ଭିଜିଲାନ୍ସ ତଦନ୍ତ ସ୍ପଷ୍ଟ କରୁଛି । କିନ୍ତୁ ଏହି ପ୍ରକ୍ରିୟାରେ ସରକାର ନିଜ ତରଫରୁ ନିଜକୁ ସାମିଲ କରି ସ୍ୱଚ୍ଛ ,ନିର୍ମଳ, ଦକ୍ଷ ଓ ଦୃଢ଼ମନା  ପାରିଷଦ ମାଧ୍ୟମରେ ପ୍ରତିପାଦିତ ନ କରିନପାରିଲେ ବଳଦ ଓ ମଇଁଷି ପୋଡ଼ ମାନେ ବିକ୍ରି ଖର୍‌ଦ୍ଦି ସୂଚକ ନିର୍ବାଚନ ମାଧ୍ୟମରେ ନୂତନ ମାଲିକଙ୍କ ହାତକୁ ଯିବା  ଅସମ୍ଭବ ହୋଇନପାରେ ।
 
 ପୁରୀ, ମୋ: ୭୯୭୮୭୮୫୪୭୮