ହେମନ୍ତ କୁମାର ପରିଡ଼ା : ଦୁର୍ଲ୍ଲଭ ମାନବ ଶରୀର । ବହୁ ପୁଣ୍ୟର ପରିଣତି ସ୍ୱରୂପ ଜୀବକୁ ଶିବ ହେବାର ଅଭିପ୍ରାୟ ରଖି ପରମାତ୍ମା ପୃଥିବୀରେ ଆମକୁ ଏହି ଦୁର୍ଲ୍ଲଭ ମାନବ ଶରୀର ପ୍ରଦାନ କରିଛନ୍ତି । ଲକ୍ଷ୍ୟ ସାଧନ ପାଇଁ ଆମକୁ ସମର୍ଥ କରି ସୁସ୍ଥ ସୁନ୍ଦର ଭାବେ ସଜାଇଛନ୍ତି । ସୃଷ୍ଟିର ଶ୍ରେଷ୍ଠ ଜୀବ କରି ଗଢ଼ିଛନ୍ତି । ସାଧନା କରି ସାଧୁ ହେବାର ସମସ୍ତ ସୁଯୋଗ ସୃଷ୍ଟି କରିଛନ୍ତି । ସାଧୁ ସ୍ୱଭାବ ନେଇ ପରିପୂର୍ଣ୍ଣ ଜୀବନ ଜିଇବା ଜୀବନର ଚରମ ସାର୍ଥକତା। ସେଥିପାଇଁ ସନାତନ ସଂସ୍କୃତିରେ ସାଧୁସନ୍ଥ ମାନଙ୍କୁ ଭଗବାନଙ୍କର ସ୍ୱରୂପ ଭାବରେ ବିବେଚନା କରାଯାଇଛି । ସେମାନେ ଆତ୍ମ କଲ୍ୟାଣ ସାଧନ ସହିତ ଜଗତର କଲ୍ୟାଣ ପାଇଁ ସମର୍ପିତା ଆଧୁନିକ ବିଶ୍ୱର ସେହିଭଳି ଜଣେ ଦିଗଦ୍ରଷ୍ଟା ମହାପୁରୁଷ ହେଉଛନ୍ତି ସ୍ୱାମୀ ଶିବାନନ୍ଦ ସରସ୍ୱତୀ। ଆପଣା ସାଧନା ଓ ସିଦ୍ଧି ଦ୍ୱାରା ସେ ପୃଥିବୀର କୋଣଅନୁକୋଣେ ପରିଚିତ । ସ୍ୱାମୀ ଶିବାନନ୍ଦଙ୍କ ଜୀବନଚର୍ଯ୍ୟା ଶକ୍ତି ଦାୟିନୀ, ପବିତ୍ର କାରିଣୀ ଗଙ୍ଗା ଧାରା ଭଳି ପ୍ରେରଣା ପ୍ରଦ ଅଟେ । ସେ ଜଣେ ସାଧନସିକ୍ତ ମହାପୁରୁଷ । କଠୋର ସାଧନା କରି ଲାଭ କରିଥିବା ଅମୃତ ଆନନ୍ଦକୁ ସେ ସାରା ସଂସାରର କଲ୍ୟାଣ ପାଇଁ ବିତରଣ କରିଛନ୍ତି । ଆଧ୍ୟାତ୍ମ ଆକାଶର ସେ ଜଣେ ଉଜ୍ଜ୍ୱଳତମ ନକ୍ଷତ୍ର । ସଂସାର ତାପରେ ତାପିତ ଦୁଃଖୀ ମଣିଷ ପାଇଁ ତାଙ୍କ ଜୀବନୀ ଏକ ସ୍ପୁର୍ତ୍ତିଦାୟିନୀ ମୃତ୍ୟୁ ସଞ୍ଜିବନୀ ଅଟେ । ତାହା ନିରାଶା ମରୁରେ ଆଶାର ସଞ୍ଚାର କରେ, ଅମା ଅନ୍ଧାରରେ ଆଲୋକର ସନ୍ଧାନ ଦିଏ । ସେ ତାଙ୍କ ଜୀବିତାବସ୍ଥାରେ କୋଟି ପ୍ରାଣରେ ଶାନ୍ତି, ଶକ୍ତି ସ୍ପୁର୍ତ୍ତି ଓ ଆନନ୍ଦ ଭରି ଦେଉଥିଲେ । ଏବେ ଅବର୍ତ୍ତମାନରେ ମଧ୍ୟ ତାଙ୍କ ଦର୍ଶନ, ତାଙ୍କ ସାହିତ୍ୟ ହୃଦ ସରୋବରରେ ଶ୍ରଦ୍ଧା, ଭକ୍ତି ଓ ଆନନ୍ଦର ପ୍ରେମ ପଦ୍ମ ଫୁଟାଇ ଥାଏ । ପାଠକ ହୃଦୟରେ ପ୍ରସନ୍ନତା ଭରିଦିଏ ।
ସ୍ୱାମୀ ଶିବାନନ୍ଦ ଜଣେ ମାନବ ବାଦୀ ସାଧୁ । ତାଙ୍କ ଜୀବନ ବୃତାନ୍ତ ଅତ୍ୟନ୍ତ ବାସ୍ତବ ଧର୍ମୀ, ଆବେଗମୟ, ମର୍ମସ୍ପର୍ଶୀ ପ୍ରେରଣାପ୍ରଦ । ଏହା ଗଙ୍ଗାର ପ୍ରବାହ ପରି ଅଟେ । ସେ ଜଣେ ମହାନ ଯୋଗୀ । ତାଙ୍କର ସ୍ପର୍ଶ କେତେ ଯେ ଲୁହାକୁ ସୁନା କରିଛି ଲିମ୍ବକୁ ଚନ୍ଦନ କରିଛି, କେତେ ପତିତ ପ୍ରାଣରେ ସୃଜନୀର ସ୍ୱର ସୃଷ୍ଟି କରିଛି ତାହା କହିହେବନାହିଁ । ଆମର ପ୍ରାକ୍ତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ ମହାଶୟ ତାହାର ଏକ ଜ୍ୱଳନ୍ତ ଉଦାହରଣ । ନିରାଶ ହୋଇ ଋଷିକେଶର ଗଙ୍ଗାରେ ଝାସ ଦେବାକୁ ବସିଥିବା ଯୁବ ଇଂଜିନିୟର କାଲାମ ସ୍ୱାମୀ ଶିବାନନ୍ଦଙ୍କ ଆଶୀର୍ବାଦରେ ଆପଣା ପ୍ରତିଭା ପୂର୍ଣ୍ଣ ପ୍ରକାଶ କରି ଭାରତର ରାଷ୍ଟ୍ରପତି ହୋଇପାରିଥିଲେ।
୧୮୮୭ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ତାମିଲନାଡୁର ତିରୁନେଲଭେଲି ନିକଟସ୍ଥ ପଟ୍ଟାମଡ଼ାଇ ଗ୍ରାମରେ ଏହି ମହାତ୍ମା ଜନ୍ମ ଲାଭ କରିଥିଲେ । ଭାରତ ବର୍ଷର ମହାନ ଶୈବସନ୍ଥ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଶ୍ରୀ ଆପ୍ପାୟା ଦୀକ୍ଷିତାରଙ୍କ ବଂଶରେ ତାଙ୍କର ଜନ୍ମ । ପିତା ଭେଙ୍ଗୁ ଆୟାର ଓ ମାତା ପାର୍ବତୀ ଆମ୍ମାଙ୍କ କୋଳ ମଣ୍ଡନ କରି ସେ ଧରାବତରଣ କରିଥିଲେ । ନୈଷ୍ଠିକ ବ୍ରାହ୍ମଣ ପରିବାର । ପିଲାଟି ଦିନରୁ ଶିଶୁ କୁପୁସ୍ୱାମୀ ଭିତରେ ଅନେକ ଦିବ୍ୟତା ପ୍ରକାଶ ପାଇଥିଲା । ଦାନ କରିବାରେ, ଅନ୍ୟ ମାନଙ୍କ ଦୁଃଖ କଷ୍ଟ ଦେଖି ସେ ବ୍ୟଥିତ ହୋଇ ସହଭାଗୀ ହେବାରେ ଆନନ୍ଦ ଲାଭ କରୁଥିଲେ । ପକ୍ଷୀମାନେ ନିର୍ଭୟରେ ଆସି ତାଙ୍କ ହାତରୁ ଖାଦ୍ୟ ଖାଉଥିଲେ । ମଣିଷ ହୁଅନ୍ତୁ ବା ପଶୁପକ୍ଷୀ, ଭୋକିଲାକୁ ଖାଦ୍ୟ ଖୁଆଇବାରେ ସେ ବହୁତ ଆନନ୍ଦ ଅନୁଭବ କରୁଥିଲେ । ନିଜ ପାଇଁ ବଢ଼ା ଯାଇଥିବା ଖାଦ୍ୟ ମଧ୍ୟ ଭୋକିଲା ଦେଇ ଦେଇ ସେ ଉପାସ ରହିଯାଉଥିଲେ । ଥରେ ଏକ ଉତ୍ସବରେ ନିଜେ ପିନ୍ଧିଥିବା ନୂତନ ବସ୍ତ୍ର ଜଣେ ଅର୍ଦ୍ଧନଗ୍ନ ଭିକାରୀକୁ ଦାନ କରି ତାର କୃତକୃତ୍ୟ ଭାବ ଓ ପ୍ରସନ୍ନତା ଦେଖି ପ୍ରସନ୍ନ ହୋଇଯାଇଥିଲେ । ସେବା କରିବା, ଦାନ କରିବା ତାଙ୍କର ସ୍ୱଭାବ ହୋଇଯାଇଥିଲା । ଅନାବିଳ ପ୍ରେମପୂର୍ଣ୍ଣ ବ୍ୟବହାର ଦ୍ୱାରା ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ସେ ଥିଲେ ଜଣେ ବନ୍ଧୁବତ୍ସଳ, ଗୁରୁଗୁରୁଜନ ଭକ୍ତ ମେଧାବୀ ଛାତ୍ର । ପାଠପଢ଼ାରେ ସେ ସର୍ବଦା ଏକ ନମ୍ବରରେ ରହୁଥିଲେ । ଖାଲି ପାଠ ନୁହେଁ, ଖେଳିବା, ଗାଇବା, ବକ୍ତୃତା ଦେବା, ସେ ଥିଲେ ସବୁବେଳେ ଆଗୁଆ । ଗୋରା ସାହେବଙ୍କୁ ଦେଖି ଲୋକମାନେ ଛାନିଆ ହୋଇଯାଉଥିଲେ । ଥରେ ତାଙ୍କ ଗ୍ରାମକୁ ମାନ୍ଦ୍ରାଜର ରାଜ୍ୟପାଳ ଲଡର଼୍ ଆମ୍ପଥିଲ ଆସିଥିଲେ ।
ସେତେବେଳେ କୁପୁସ୍ୱାମୀଙ୍କୁ ମାତ୍ର ୧୪ ବର୍ଷ । ସେ ସେହି ବିରାଟ ସଭାରେ ରାଜ୍ୟପାଳଙ୍କୁ ଇଂରାଜୀ ଭାଷାରେ ସ୍ୱାଗତ ସମ୍ଭାଷଣ କରି ଚମକ୍ରୃତ କରିଦେଇଥିଲେ । ସ୍ୱାମୀଜୀ ଥିଲେ ପିଲାଦିନୁ ଅତ୍ୟନ୍ତ ନିର୍ଭୀକ, ନମ୍ର, ଆଜ୍ଞାଧୀନ କୃତିଛାତ୍ର ଭାବେ ସେ ଛାତ୍ର ଜୀବନରେ ଶିକ୍ଷକ ଛାତ୍ର ସମସ୍ତଙ୍କର ପ୍ରିୟ ଥିଲେ । ସ୍ୱାମୀଜୀ ମେଡ଼ିକାଲ ଛାତ୍ର ଥିଲାବେଳେ ସେ ପ୍ରଥମ ବର୍ଷରେ ସବୁ ବର୍ଷର ମେଡ଼ିକାଲ ପାଠ ପଢ଼ି ଦେଇଥିଲେ । ପ୍ରଥମ ବର୍ଷରୁ ତାଙ୍କୁ ଅପରେସନ ଥିଏଟର ଯିବା ପାଇଁ ଅନୁମତି ମିଳିଥିଲା । ସେ ଏତେ ମେଧାବୀ ଥିଲେ ଯେ ତାଙ୍କ ପ୍ରଫେସରମାନେ ମଧ୍ୟ ତାଙ୍କ ସହ ଆଲୋଚନା କରୁଥିଲେ । ସେବା, ପ୍ରେମ ଓ ଦାନ ଓ ନାମ ସ୍ମରଣ ତାଙ୍କର ତପଚର୍ଯ୍ୟା । ପୃଥିବୀରେ ଯେତେ ସବୁଧର୍ମ ସମ୍ପ୍ରଦାୟ ଅଛି, ସେମାନଙ୍କର ଯେତେ ସବୁ ପ୍ରମୁଖ ଶାସ୍ତ୍ର ଅଛନ୍ତି ସେ ସବୁ ଶାସ୍ତ୍ରକୁ ମନ୍ଥନ କରି ତାର ସାରାଂଶ ନେଇ ୩୦୦ରୁ ଅଧିକ ଅତି ଉପାଦେୟ ଶାସ୍ତ୍ର ରଚନା କରିଛନ୍ତି । ତାଙ୍କର ପ୍ରାୟ ପୁସ୍ତକ ପୃଥିବୀର ପ୍ରାୟ ସବୁ ପ୍ରମୁଖ ଭାଷାରେ ଅନୁଦିତ ହୋଇଛି । ତାଙ୍କ ଶାସ୍ତ୍ର ସବୁ ଇଂରାଜୀ ରଚିତ । ତାଙ୍କ ଶାସ୍ତ୍ର ମାନଙ୍କରୁ ଅନେକ ଶାସ୍ତ୍ର ବିଶ୍ୱ ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ମାନଙ୍କରେ ପାଠ୍ୟ ପୁସ୍ତକ ଭାବେ ପ୍ରଚଳିତ । ସେଗୁଡ଼ିକ ମଣିଷର ଜ୍ଞାନ ବିଜ୍ଞାନକୁ ସମୃଦ୍ଧ ଓ ଦୀପ୍ତ କରିଛି । ଈଶ୍ୱର ଭକ୍ତି, ସତ୍ୟ ସନାତନ ଧର୍ମର ସୁରକ୍ଷା ଓ ଦେଶ ରକ୍ଷା ପାଇଁ ସେ ପ୍ରତି ହୃଦୟରେ ପ୍ରେରଣା ଭରି ଦେଉଥିଲେ । ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ସ୍ୱାଧୀନ ଭାରତର ପ୍ରାୟ ତୁଙ୍ଗ ବ୍ୟକ୍ତିମାନଙ୍କ ସହିତ ସ୍ୱାମୀଜୀଙ୍କର ଉତ୍ତମ ସମ୍ପର୍କ ଥିଲା । ୧୯୩୬ ମସିହାରେ ଦିବ୍ୟ ଜୀବନ ସଂଘ ପ୍ରତିଷ୍ଠା କରିଥିଲେ ।
୧୯୩୧ ମସିହାରେ ସେ ଭାରତ ଭ୍ରମଣ ସମୟରେ ଓଡ଼ିଶା ଆଗମନ କରିଥିଲେ । କଟକର ଚୌଦ୍ୱାର ଠାରେ ତିନି ଦିନ ଅବସ୍ଥାନ କରିଥିଲେ । ବିରୂପା ନଦୀରେ ସ୍ନାନ କରିଥିଲେ । ସେଠାରୁ ରେଳ ଯୋଗେ ଯାଇ ପୁରୀ ଠାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଉଚ୍ଚାଙ୍ଗ ସ୍ୱରରେ ଇଂରାଜୀ ଭାଷାରେ ପ୍ରାର୍ଥନା କରିଥିଲେ । ସେ ଭାରତ ବାହାରକୁ ଯାଇନାହାନ୍ତି ହେଲେ ଗଙ୍ଗାକୂଳରେ ଆନନ୍ଦ କୁଟୀରରେ ବସି ଆପଣ ସାହିତ୍ୟ ଦ୍ୱାରା ବିଶ୍ୱର କୋଣେ କୋଣେ ପହଞ୍ôଚ ପାରିଛନ୍ତି । ସନାତନ ସଂସ୍କୃତିର ସାର ମର୍ମକୁ ସେ ପ୍ରେରଣାପ୍ରଦ ଶବ୍ଦମାନଙ୍କ ଦ୍ୱାରା ଉପଦେଶ ଦେଇ ଜନମାନସରେ ଆତ୍ମ କଲ୍ୟାଣର ସହଜ ସରଳ ମାର୍ଗ ପ୍ରଦର୍ଶନ କରିଛନ୍ତି । ସବୁ ଧର୍ମ ସବୁ ଶାସ୍ତ୍ରର ମର୍ମକୁ ସେ ମାତ୍ର ୬ଟି ଶବ୍ଦରେ ପ୍ରକାଶ କରିଛନ୍ତି ଯଥା - Serve Love, Give, Purify, Meditate, Realise । ସେବା, ପ୍ରେମ, ଦାନ, ପବିତ୍ରତା, ଧ୍ୟାନ ଓ ସାକ୍ଷାତକାର । ଏହାକୁ ଆହୁରି ସରଳ କରି ସେ କୁହନ୍ତି ଭଲ ହୁଅ, ଭଲ କର । ଅତି ବାସ୍ତବଧର୍ମୀ ଓ ପ୍ରୟୋଗାତ୍ମକ ଆଧ୍ୟାତ୍ମିକ ଉପଦେଶ ଦେଇ ସେ ସାଧକ ଜିଜ୍ଞାସୁ ମାନଙ୍କୁ ଆତ୍ମକଲ୍ୟାଣର ସୁଗମ ମାର୍ଗ ପ୍ରଦର୍ଶନ କରିଛନ୍ତି । ମାନବ କଲ୍ୟାଣ ପାଇଁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ଯାହା କରିଛନ୍ତି କେବଳ ଆଉ ଜଣେ ଶିବାନନ୍ଦ ହିଁ ବୁଝିପାରିବ । ସେହି ଯୁଗ ପୁରୁଷଙ୍କ ମହାସମାଧି ୧୯୬୩ ମସିହା ଜୁଲାଇ ୧୪ ତାରିଖରେ ଘଟିଥିଲା ।
ମୋ: ୮୭୬୩୧୦୭୧୨୬