ଶିକ୍ଷାର ବିକଳ ଚିତ୍ର, ଭଙ୍ଗା ସ୍କୁଲ ଘର ସାଙ୍ଗକୁ ଶିକ୍ଷକ ଅଭାବ
ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର । ଭଙ୍ଗା ସ୍କୁଲ ଘର ସାଙ୍ଗକୁ ୧୦୨ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଦୁଇ ଜଣ ଶିକ୍ଷକରେ ଚାଲିଛି ବିଦ୍ୟାଳୟ । ବିଦ୍ୟାଳୟ ଭିତ୍ତିଭୂମି ଅଭାବରୁ ରାସ୍ତା ରୋକ୍ କରି ରାଜରାସ୍ତାରେ ସ୍ୱପ୍ନ ସାଉଁଟିବାର ଚେଷ୍ଟା କରୁଛନ୍ତି କୋମଳମତି ଶିକ୍ଷାର୍ଥୀ । ବ୍ଲକ୍ ଏବଂ ଏନ୍ଏସିର କାଦୁଅ ଛଟା ଭିତରେ ଶିକ୍ଷଣ ଓ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଚରିତ୍ର ଗଠନ ଏବଂ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ସ୍ୱାଧୀନତାର ଦୀର୍ଘ ୭୬ ବର୍ଷ ବିତି ଯାଇଥିବା ପରେ ମଧ୍ୟ ଭିତ୍ତିଭୂମି ଅଭାବରୁ ଶ୍ରେଣୀଗୃହ ଭିତରେ ଛାତରୁ ପାଣି ଖସିବା ହେଉ ବା ଛାତ ସ୍ଲାପ୍ ଖସିବା ଭୟ କିମ୍ବା ଶିକ୍ଷକ ଅଭାବ ଭିତରେ ସୁନେଲୀ ଭବିଷ୍ୟତ ନିର୍ମାଣରେ ଲାଗିପଡ଼ିଥିବା ଭଳି ଅଭାବନୀୟ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ଏହା ସତ କିନ୍ତୁ ଅଧିକାଂଶ ଦଳିତ, ଆଦିବାସୀ, ଦିନ ମଜୁରିଆ, ଗରିବ, ଚାଷୀ, ମୂଲିଆ ଓ ଖଟିଖିଆ ମାନଙ୍କ ଛୁଆ ପଢୁଥିବା ଏହି ବିଦ୍ୟାଳୟର ସମସ୍ୟାକୁ ପ୍ରଶାସନିକ ଅବହେଳା ଓ ଦାୟିତ୍ୱହୀନତା ମାଧ୍ୟମରେ କେବଳ କାଗଜ ଓ କଲମ ଭିତରେ ହିଁ ସୀମିତ ରଖାଯାଉଥିବା ଦେଖିବାକୁ ମିଳିଛି । ଆଦିବାସୀ ଅଧୁ୍ୟଷିତ ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର କଲୋନୀ ୧୨ ବିଦ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥା ଏବଂ ପ୍ରଶାସନିକ ଅବହେଳା ଆଜି ପଦାରେ ପଡ଼ିଛି । ବିଗତ ଜୁଲାଇ ୨୦୨୨ ରେ ଏକାଧିକ ଗଣମାଧ୍ୟମରେ ପ୍ରତିଫଳିତ ହୋଇଥିଲା ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ନଂ ୱାର୍ଡÿ ସ୍ଥିତ କଲୋନୀ ୧୨ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଅଭାବ ଜନିତ ବିକଳ ଚିତ୍ର । ତେବେ ତକôାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦପ୍ତରରୁ ମାଲକାନଗିରି ଜିଲ୍ଲାପାଳଙ୍କୁ ୧୯୦୯/୨୦୨୨ ଜରିଆରେ ଏକ ଲିଖିତ ଚିଠି ପଠାଇଥିଲେ ଯେଉଁଥିରେ ୫ ଏସଏଫସି ଅଧୀନରେ ୭ଲକ୍ଷ ବ୍ୟୟ ବରାଦ କରାଯାଇଥିବା ଜଣାପଡ଼ିଥିଲା । ଘଟଣାକ୍ରମେ ଏକ ବର୍ଷର ପ୍ରଶାସନିକ ନୀରବତାକୁ ଭଙ୍ଗ କରିଥିଲା ୧୨ ଅଗଷ୍ଟ ୨୦୨୩ ରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ବିଦ୍ୟାଳୟରେ ତାଲାବନ୍ଦ ଏବଂ ଅସନ୍ତୋଷ । ସେହି ସମୟରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଆସିଷ୍ଟାଣ୍ଡ୍ ଇଞ୍ଜିନିୟର ଉତ୍ତେଜନା ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ସହ ୭ ଲକ୍ଷରୁ ୭ଲକ୍ଷ ୭୦ହଜାର ଟଙ୍କାକୁ ବ୍ୟୟ ଅଟକଳ ବୃଦ୍ଧି ଜରିଆରେ ଖୁବ୍ ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ରାଜସ୍ୱ ନିରୀକ୍ଷକଙ୍କ ପକ୍ଷରୁ ପଲିଥିନ ମାଧ୍ୟମରେ ଶ୍ରେଣୀଗୃହରେ ବର୍ଷା ପାଣି ନ ପଡ଼ିବା ନିମନ୍ତେ ଜରୁରୀକାଳୀନ ବନ୍ଦୋବସ୍ତ କରି ଦିଆଯାଇଥିଲା । ଇତିମଧ୍ୟରେ ପୁଣି ଏକ ବର୍ଷ ପ୍ରାୟ ବିତି ଯାଇଛି ସତ କିନ୍ତୁ ଆଜି ମଧ୍ୟ ମରାମତି ଅଭାବରୁ ଶ୍ରେଣୀଗୃହରେ ବର୍ଷା ପାଣି ପଡୁଛି, ବାରଣ୍ଡାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି କୋମଳମତି ଛାତ୍ରଛାତ୍ରୀ । ତେବେ ଚଳିତ ୨୦୨୪ ଶିକ୍ଷାବର୍ଷ ଆରମ୍ଭ ସୁଦ୍ଧା ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବା ଜାଣିବାପରେ ବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ସ୍ଥାନୀୟ ସହଯୋଗ ଟିମ୍ ର ସଦସ୍ୟ ସଦସ୍ୟା, ସମାଜସେବୀ ଓ ଜନପ୍ରତିନିଧି, ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଦେଇଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଖୋଦ୍ ଉପଜିଲ୍ଲାପାଳ ଏହି ଦାବିପତ୍ର ଗ୍ରହଣ କରିଥିଲେ । ସମସ୍ୟାର ଗମ୍ଭୀରତା କୁ ଯାଇ ଚଳିତ ଗ୍ରୀଷ୍ମ ଅବକାଶରେ ବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠ ଗୁଡ଼ିକୁ ଯାଞ୍ଚ କରି ଆବଶ୍ୟକ ସ୍ଥଳେ ମରାମତି କିମ୍ବା ନୂତନ ଭାବେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିଥିଲେ । ଇତି ଅବସରରେ ଗ୍ରୀଷ୍ମ ଅବକାଶ ଶେଷ ହୋଇ ଯାଇଛି କିନ୍ତୁ ଧାରା ଶ୍ରାବଣରେ ପିଲାମାନେ ପୂର୍ବ ଅବସ୍ଥାରେ ଶିକ୍ଷାଗ୍ରହଣ କରୁଥିବା ଜାଣିପାରି ପୁଣି ଥରେ ଉପରୋକ୍ତ ସମସ୍ତ ବିଷୟକୁ ନେଇ ଗତ ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ବିଷୟରେ ଅବଗତ କରାଯାଇଥିଲା । ବର୍ଷା ପଡ଼ିବା ସହ ଶ୍ରେଣୀଗୃହରେ ବର୍ଷା ଜଳ ପଶିବା ଓ ବହୁବାର ଛାତରୁ ସିମେଣ୍ଟ ଖସିବା ଯୋଗୁଁ ଅତିଷ୍ଠ ହୋଇ ଅଭିଭାବକ ମାନେ ପିଲାମାନଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ଆସି ରାଜରାସ୍ତାରେ ସାମୂହିକ ଧାରଣାରେ ବସିଥିଲେ । ଏ ବିଷୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପରେ ଜିଲ୍ଲାପାଳ ନିଜେ କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବାଲିମେଳା ରାଜସ୍ୱ ନିରୀକ୍ଷକ, କୋରୁକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଗ୍ରାଉଣ୍ଡ୍ ଜିରୋରୁ ରିପୋର୍ଟ୍ ପ୍ରଦାନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଗଣମାଧ୍ୟମରୁ ଖବର ପାଇ ସ୍ଥାନୀୟ ବିଧାୟକ ମଙ୍ଗୁ ଖିଲ ଓ ଜନପ୍ରତିନିଧି ମାନେ ମଧ୍ୟ କୋମଳମତି ଶିକ୍ଷାର୍ଥୀଙ୍କ ରାଜରାସ୍ତାରେ ବସିଥିବା ଦୁର୍ଭାଗ୍ୟଜନକ ପରିସ୍ଥିତିରେସହଭାଗୀ ହୋଇ ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଚେତାଇବା ପାଇଁ ଏହି ଧାରଣାକୁ ସମର୍ଥନ କରି ବସିଥିଲେ । ଦୀର୍ଘ ୪ ଘଣ୍ଟାର ଗଣଧାରଣା ଭିତରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ପରେ ଆଗାମୀ ୭ ଦିନ ସୁଦ୍ଧା ବିଦ୍ୟାଳୟ ମରାମତି କାର୍ଯ୍ୟ ଆରମ୍ଭ, ଖେଳିବା ପାଇଁ ଖେଳ ପଡ଼ିଆ ଚିହ୍ନଟ, ପିଲାଙ୍କ ପଢ଼ିବା ପାଇଁ ସକାଳେ ଓ ଦିନ ବେଳେ ବିଦ୍ୟାଳୟ ପରିଚାଳନା, ଅତିରିକ୍ତ ଦୁଇ ଶିକ୍ଷକ ନିଯୁକ୍ତି, ପିଇବା ପାଣି ଓ ଶୌଚାଳୟ ନିମନ୍ତେ ପାଣିର ଯୋଗାଣ ନିଷ୍ପତ୍ତି ପରେ ଧାରଣାରୁ ସମସ୍ତେ ଓହରିଥିଲେ ।