ଶିକ୍ଷୟିତ୍ରୀଙ୍କ ବଦଳି ଦାବି ନେଇ ସ୍କୁଲରେ ତାଲା

କୋଷାଗୁମୁଡା : ଶିକ୍ଷୟିତ୍ରୀଙ୍କ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ପ୍ରତି ଦୁର୍ବ୍ୟବହାର କରିବା ସହ ବିଳମ୍ବରେ ସ୍କୁଲ ଆସିବା ସହ ପିଲାଙ୍କୁ ପଢାଇବା ପରିବର୍ତ୍ତେ ମୋବାଇଲ ଚଳାଉଥିବା ଅଭିଯୋଗ ହୋଇଛି । ତେଣୁ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବଦଳି ଦାବି ନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଫେରାଦ ହେବା ପରେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ସଦର ପଞ୍ଚାୟତ ଡଙ୍ଗରିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଠାରେ । 
ଡଙ୍ଗରିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ମୋଟ ୮୨ଜଣ ଛାତ୍ରଛାତ୍ରୀଙ୍କୁ ୩ଜଣ ଶିକ୍ଷକ । ଗତ ୭ମାସ ପୂର୍ବେ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଗୌରୀ ବେହେରା ବଦଳି ହେବା ପରେ ବିଦ୍ୟାଳୟରେ ଗୌରୀ ବେହେରା ସବୁବେଳେ ବିଦ୍ୟାଳୟକୁ ବିଳମ୍ବରେ ସ୍କୁଲ ଆସିବା ସହ ପିଲାଙ୍କୁ ପଢାଇବା ପରିବର୍ତ୍ତେ ମୋବାଇଲ ଚଳାଉଥିବା ଅବିଭାବକମାନେ ଅଭିଯୋଗ କରିଛନ୍ତି  । ଏହିପରିକି ଶିକ୍ଷୟିତ୍ରୀଙ୍କ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ପ୍ରତି ଦୁର୍ବ୍ୟବହାର କରିବା ସହ ପରିଚାଳନା କମିଟିଙ୍କ କଥାକୁ ମଧ୍ୟ ବେଖାତିର୍ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶିକ୍ଷୟିତ୍ରୀ ବଦଳି ଦାବି ନେଇ ଗ୍ରାମବାସୀମାନେ ଗତ ମାସକ ତଳେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିବା ସହ ବିଦ୍ୟାଳୟରେ ତାଲା ପକାଇଥିଲେ । ଉକ୍ତ ସମୟରେ ଶିକ୍ଷାଧିକାରୀ ସଂପୃକ୍ତ ଶିକ୍ଷୟିତ୍ରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବଦଳି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ତାଲା ଖୋଲିଥିଲେ । ତେବେ ପ୍ରତିଶ୍ରୁତିର ଏକ ମାସ ପରେ ମଧ୍ୟ ବିଭାଗ ପକ୍ଷରୁ ଶିକ୍ଷୟିତ୍ରୀ ବଦଳି କରାନଯିବା ପରେ ବୁଧବାର ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀମାନେ ବିଦ୍ୟାଳୟରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ଠୁଙ୍କିଛନ୍ତି । ଅପରାହ୍ନରେ ସିଆରସିସି ଆସି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ତାଲା ଖୋଲିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଗ୍ରାମବାସୀ ତାଲା ଖୋଲିନଥିଲେ । ଏ ନେଇ ଆମେ ଗୋଷ୍ଠୀ ଶିକ୍ଷାଧିକାରୀ ସମରେନ୍ଦ୍ର ଭୌମିକଙ୍କୁ ଯୋଗାଯୋଗ କରିବାରୁ ସେ ଶିକ୍ଷୟିତ୍ରୀ ବଦଳି ପାଇଁ ପ୍ରୋପୋଜାଲ୍ ଦିଆଯାଇଛି, ଏପ୍ରୁଭାଲ ପରେ ବଦଳି କରାଯିବ, ଏଥିସହ ଶିକ୍ଷୟିତ୍ରୀଙ୍କ ଡେପୁଟେସନ କରାଯାଇଛି ବୋଲି କହିଥିଲେ  ।