ଶୁଣିଲାନି ପ୍ରଶାସନ ; ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣ୍ଡରାପଥର ଗ୍ରାମ ନିକଟସ୍ଥ ଗୋହିରାପଦର ଓ ଗୋଡ଼ଭଟା ପଡ଼ା ବାସିନ୍ଦା ମୌଳିକ ସୁବିଧାରୁ ବଞ୍ôଚତ ହେଉଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତାଘାଟ ଓ ପାନୀୟଜଳ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, କିନ୍ତୁ ପ୍ରଶାସନିକ ଉଦାସୀନତା ଓ ଜନ ପ୍ରତିନିଧିମାନଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହି ସୁବିଧାରୁ ବଞ୍ôଚତ ହେଉଛନ୍ତି ପଡ଼ାବାସୀ  । ପଣ୍ଡରାପଥର ଗ୍ରାମ ଠାରୁ ଗୋହିରାପଦର ଓ ଗୋଡ଼ଭଟା ପଡ଼ା ପ୍ରାୟ ଅଢେଇ କିଲୋମିଟର ଦୂରରେ ଅବସ୍ଥିତ । ଏହି ପଡ଼ାରେ ୪୦ ପରିବାର ବସବାସ କରନ୍ତି । ଜନସଂଖ୍ୟା ପାଖାପାଖି ୨୫୦ ଜଣ । ଏହି ପଡ଼ାକୁ ଆସିବା ପାଇଁ ହେଲେ ଖଣ୍ଡିଏ ମାଟି ରାସ୍ତା ପଡି ରହିଛି ।

  • ମୌଳିକ ସୁବିଧାରୁ ବଞ୍ଚିତ ଦୁଇ ପଡ଼ାବାସୀ

ବର୍ଷାଦିନେ ଅଳ୍ପ ବର୍ଷା ହେଲେ ମଧ୍ୟ ରାସ୍ତା ଖାଲଖମା ଥିବା ଯୋଗୁଁ କାଦୁଅ ଓ ପାଣି ପଚପଚ ହେଉଛି । ଫଳରେ ଲୋକେ ଯାତାୟତ ପାଇଁ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ବିଦ୍ୟାଳୟରେ ପାଠ ପଢୁଥିବା କୋମଳମତି ଛାତ୍ରଛାତ୍ରୀମାନେ ଏହି ରାସ୍ତା ଦେଇ ଗଲାବେଳେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ମରାମତି ପାଇଁ ପଞ୍ଚାୟତର ଗ୍ରାମ ସଭାରେ ପାରିତ ହେଲେ ମଧ୍ୟ ଫଳ ଶୂନ । ଏପରିକି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଜଣାଇବା ପରେ ମଧ୍ୟ ପ୍ରଶାସନିକ ଦୃଷ୍ଟି ପଡ଼ୁନାହିଁ । ଯାହାଫଳରେ ନିରାଶ ହୋଇ ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ନିଜସ୍ୱ ଉଦ୍ୟମରେ ରାସ୍ତା ତିଆରି କରିଛନ୍ତି । ପଡ଼ାରେ ପାଣି ସମସ୍ୟା ମଧ୍ୟ ରହିଛି । ଟ୍ୟୁବୱେଲରୁ ଠିକ୍‌ ଭାବରେ ପାଣି ବାହାରୁ ନାହିଁ । ସପ୍ଲାଏ ପାଣି କେବେ ଆସୁଛି ତ କେବେ ନାହିଁ ତାର ଗୋଚର ନାହିଁ। ସେମାନେ ନିକଟସ୍ଥ ଝରଣା ଓ ନାଳ ପାଣି ବ୍ୟବହାର କରୁଛନ୍ତି । ତେଣୁ ଏଥିପ୍ରତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ମରାମତି ଓ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ପଡାର ଦାଉ ମାଝୀ, ମଧୁ ମାଝୀ, ଦୁର୍ଜନ ଖରସେଲ, ହୀରାଲାଲ ମାଝୀ, ପରମେଶ୍ୱର ଧରୁଆ, ରେବାଲାଲ ବାରିକ, ପ୍ରତାପ ମାଝୀ, ଯୋଗୀନ୍ଦ୍ର ଧରୁଆ, ଅମ୍ବିକା ମାଝୀ, ବିମଳା ମାଝୀ, ରଥୁ ମାଝୀ, ନରେନ୍ଦ୍ର ଅଦା, ଜୟଧର ମାଝୀ, ତୁଳସୀ ରାମ ମାଝୀ  ପ୍ରମୁଖ ଦାବି କରିଛନ୍ତି ।