ଶୈବପୀଠରେ କାଉଡିଆଙ୍କ ଭିଡ 

ବୁଗୁଡ଼ା :  ସ୍ଥାନୀୟ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି ।  ଚଳିତ ବର୍ଷ ଦଳ ଦଳ କାଉଡିଆ ବୋଲବମ୍ ଡାକ ଦେଇ ବିଭିନ୍ନ ଶୈବପୀଠ ଅଭିମୁଖେ ପଦଯାତ୍ରା କରୁଛନ୍ତି  । ବୁଗୁଡା ଏବଂ ଏହାର ଆଖପାଖ ଅଞ୍ଚଳର ଶହ ଶହ କାଉଡିଆ ଋଷିକୁଲ୍ୟା-ବଡନଦୀର ସଙ୍ଗମସ୍ଥଳରେ ପୁରୋହିତମାନଙ୍କ ଦ୍ୱାରା ପବିତ୍ର ଜଳକୁ ଅଭିଷେକ ଆଦି ପୂଜାପାଠ ପୂର୍ବକ ମାନସିକ ବ୍ରତ ଧାରଣ କରି ଜଳ ଭାର ଘେନି ବାଟ ସାରା ହରହର ବମ୍, ବୋଲ୍ ବମ୍ ଆଦି ଉଚ୍ଚାରଣ କରି ବୁଦ୍ଧଖୋଲରେ ପହଞ୍ଚô ସେଠାକାର ପଞ୍ଚଶମ୍ଭୁଙ୍କ ଠାରେ ଜଳାଭିଷେକ କରିଛନ୍ତି । ଅନୁରୂପ ଭାବେ ଏଠାକାର କୁବେରେଶ୍ୱରଙ୍କ ଠାରେ ମଧ୍ୟ ବହୁ କାଉଡିଆ ଜଳାଭିଷେକ କରିଛନ୍ତି ।
ନୂଆପଡା :  ନୂଆପଡ଼ା ଜିଲ୍ଲା ବୋଡ଼ନ ବ୍ଲକ ଅନ୍ତର୍ଗତ ପବିତ୍ର ତୀର୍ଥ ପୀଠ ପାତାଳ ଗଙ୍ଗାରେ  ଶିବ ଭକ୍ତଙ୍କ ଭିଡ ଲାଗିଛି । ପ୍ରଭୁ ଭୋଲାନାଥଙ୍କୁ ଜଳ ଢାଳି ପ୍ରଭୁ କୃପା ଲାଭ କରିବାକୁ ଅନେକ ଭକ୍ତ ପାତାଳ ଗଙ୍ଗାକୁ ଛୁଟି ଆସିଛନ୍ତି । ଏହି ସ୍ଥାନର ରାଧା କୃଷ୍ଣ ମନ୍ଦିର ପରିସରରେ ନାମ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଛି । ଟାଣ ଖରା ହେଉଥିଲା ବୋଲି କିଛି ସ୍ଥାନରେ କାଉଡ଼ିଆ ମାନେ ପିଚୁ ରାସ୍ତା ଉପରେ ପାଦ ନ ପକାଇ ଘାସ ଉପରେ ଚାଲୁ ଥିବା ଦୃଷ୍ଟିକୁ ଆସିଛି । ଦୂର ଦୁରାନ୍ତରୁ ବୋଲବମ୍ ଭକ୍ତ ଆସୁଛନ୍ତି । ପୂର୍ବତନ ବିଜେପି ବିଧାୟକ ହିତେଶ କୁମାର ବଗର୍ତ୍ତି ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜେଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ତୀର୍ଥ ପୀଠରେ ଉପସ୍ଥିତ ରହି ଭକ୍ତଙ୍କ କଥା ପଚାରି ବୁଝୁଥିଲେ ।