ଶୋଭାଯାତ୍ରା କରି ଉତ୍ସବ ମନାଇଲେ ବିଜେପି କର୍ମୀ ; ବିଧାୟକ କହିଲେ ଧର୍ମଶାଳାରୁ ପରିବାରବାଦର ପରିସମାପ୍ତି ଘଟିଛି
ଧର୍ମଶାଳା : ଧର୍ମଶାଳାରୁ ପରିବାରବାଦ ରାଜନୀତିର ପରିସମାପ୍ତି ଘଟିଛି । ଆମେ ସମସ୍ତେ ମିଳିମିଶି ଧର୍ମଶାଳାକୁ ଆଗେଇ ନେବାର ସମୟ ଆସିଛି । ବିଜେପି ସରକାରରେ ଧର୍ମଶାଳା ବିକାଶ ଅଗ୍ରଗତି ଘଟିବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ ରହିଛନ୍ତି । ଏକଥା ଆଜି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମହୋତ୍ସବ ପଡ଼ିଆରେ ବିଶାଳ କର୍ମୀଙ୍କ ପାଖରେ ରଖିଛନ୍ତି । ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ପଦରୁ ଇସ୍ତଫା ଦେବାର ଦୁଇଦିନ ପରେ ବିଜେପି କର୍ମୀ ହଜାର ହଜାର ବିଜେପି କର୍ମୀ ବିଧାୟକଙ୍କ ସହ ପଂଚାୟତ ପ୍ରତିନିଧିଙ୍କୁ ଶୋଭାଯାତ୍ରାରେ ପାଛୋଟି ଆଣିବା ପରେ ଆୟୋଜିତ ସମାବେଶରେ ମତବ୍ୟକ୍ତ କରିଥିଲେ ଶ୍ରୀ ସାହୁ । ପ୍ରତିକୁଳ ପାଗ ସତ୍ୱେ ହଜାର ହଜାର କର୍ମୀଙ୍କ ଗହଣରେଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏକ ଶୋଭାଯାତ୍ରାରେ ଆସି ଜାରକା ମହୋତ୍ସବ ପଡିଆରେ ନିଜର ଅଭିଭାଷଣ ରଖିଥିଲେ । ଧର୍ମଶାଳା ବ୍ଳକ ଅଧ୍ୟକ୍ଷ ପଦରୁ ଅନାସ୍ଥା ପୂର୍ବରୁ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଭାଇ ପ୍ରଭାତ ଇସ୍ତଫା ଦେବା ପରେ ବିଜେପି କର୍ମୀମାନେ ଏକପ୍ରକାର ଉତ୍ସବ ମନାଇଛନ୍ତି। ସୂଚନା ଅନୁଯାୟୀ ନୂତନ ସରକାର ଆସିବା ପରେ ଧର୍ମଶାଳା ବ୍ଲକରେ ପୁର୍ବତନ ବିଧାୟକଙ୍କ ଭାଇ ପ୍ରଭାତ ବଳବନ୍ତରାୟ ଅଧ୍ୟକ୍ଷଥିବାରୁ ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସୁଚାରୁ ରୁପେ ହେଉନଥିବା ନେଇ ଅନେକ ସରପଂଚ ଓ ସମିତିସଭ୍ୟ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ। ଏହାକୁ ନେଇ ବିଧାୟକଙ୍କ ଉଦ୍ୟମ କ୍ରମେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ଅଣାଯାଇଥିଲା। ୪୫ଗୋଟି ପଞ୍ଚାୟତ ବିଶିଷ୍ଟ ଧର୍ମଶାଳା ବ୍ଲକରେ ମୋଟ ୯୦ଜଣ ସରପଂଚ ଓ ସମିତିସଭ୍ୟ ରହିଥିବା ବେଳେ ପ୍ରଥମେ ୩୮ପରେ ଗୋଟିଏ ପରେ ଗୋଟିଏ ପାଖାପାଖି ୭୫ଜଣ ସରପଞ୍ଚ ଓ ସମିତିସଭ୍ୟ ବିଧାୟକଙ୍କ ଶିବିରକୁ ଚାଲିଯାଇଥିଲେ। ଫଳରେ ଅନାସ୍ଥା ଭୋଟରେ ହାରିବା ସୁନିଶ୍ଚିତ ଜାଣି ବ୍ଲକ ଅଧ୍ୟକ୍ଷ ଶ୍ରୀ ବଳବନ୍ତରାୟ ଗତ ବୁଧବାର ଦିନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଗତକାଲି ଧର୍ମଶାଳା ବ୍ଳକର ପାଖାପାଖି ୭୫ ଜଣ ସରଫଚ ସମିତି ସଭ୍ୟ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଜୟର ଶୁଭେଛା ଜଣାଇଥିଲେ। ଆଜି ପୁର୍ବାହ୍ନରେ ୭୫ଜଣ ସରପଂଚ ଓ ସମିତିସଭ୍ୟ ବିଧାୟକ ଶ୍ରୀସାହୁଙ୍କ ସହିତନେଉଳପୁର ଧର୍ମଶାଳା ଭବନଠାରେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି ମହୋତ୍ସବ ପଡିଆରେ ଆୟୋଜିତ ଏକ ସଭାରେ ଯୋଗ ଦେଇଥିଲେ। ଶୋଭାଯାତ୍ରାରେ ଯାଜପୁର ସାଂସଦ ରବିନ୍ଦ୍ରନାରାୟଣ ବେହେରା, ଜିଲା ବିଜେପି ସଭାପତି ଦେବଯାନୀ ପ୍ରଧାନ ସମେତ ବିଜେପିର ତୁଙ୍ଗ ନେତା ସାମିଲ ହୋଇଥିଲେ । ଆଗାମୀ ଦିନରେ ଧର୍ମଶାଳାରେ ତୃଣମୂଳ ସ୍ତରରେ ବିଜେପିକୁ ମଜଭୁତ କରିବାକୁ ବିଧାୟକ ଶ୍ରୀ ସାହୁ ମଞ୍ଚ ଉପରୁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।