ଶ୍ମଶାନକୁ ନାହିଁ ରାସ୍ତା : ନାଳ ଡେଇଁ ନିଆଯାଉଛି ଶବ 

ଶ୍ମଶାନକୁ ନାହିଁ ରାସ୍ତା : ନାଳ ଡେଇଁ ନିଆଯାଉଛି ଶବ 

ପାପଡାହାଣ୍ଡି : ପାପଡାହାଣ୍ଡି ବ୍ଲକ ସାନବାର୍ଲି ସଦର ପଞ୍ଚାୟତରେ ଥିବା ଶ୍ମଶାନକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ । ଫଳରେ ମୃତକ ଓ ପରିଜନ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଖଣ୍ଡେ ପାଇଁ ପ୍ରଶାସନ ନିକଟରେ ବହୁ ଥର ଅଭିଯୋଗ କରିଥିଲେ ମଧ୍ୟ ରାସ୍ତା ଖଣ୍ଡେ ତିଆରି ହୋଇ ପାରୁନାହିଁ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ଗାଁର ବାସମତି ହରିଜନଙ୍କର ଆଜି ମୃତ୍ୟୁ ଘଟିଥିଲା । ଶବକୁ କୋକେଇରେ ବୋହି ପରିଜନ ଓ ଗ୍ରାମବାସୀ ପ୍ରାୟ ଏକ କିଲୋମିଟର ଦୂର ଶ୍ମଶାନକୁ ନେବା ସମୟରେ ଚାଷ ଜମି ଓ ନାଳ ପାରକରି ଶବ ସତ୍କାର କରିଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ, ଶ୍ମଶାନକୁ ଯିବା ପାଇଁ ଏହି ରାସ୍ତା ହେଉଛି ଏକ ମାତ୍ର ଭରସା । ବିକଳ୍ପ ରାସ୍ତା ଚୟନ କରାଯାଇଛି, କିନ୍ତୁ ପ୍ରାୟ ଦେଢ଼ କିଲୋମିଟର ଦୂର ହେବ । ସେଥିପାଇଁ ଆମେ ଚାଷ ଜମି ମାଲିକଙ୍କ ସହ ଆଲୋଚନା କରି ବାଧ୍ୟ ହୋଇ ଧାନ ଚାଷ କିଆରି ଦେଇ ଏକ ନାଳ ପାର ହୋଇ ଶବ ସତ୍କାର କରିବାକୁ ଯାଉଛୁ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶ୍ମଶାନ ପାଇଁ ରାସ୍ତା ଖଣ୍ଡେ ତିଆରି କରିବା ପାଇଁ ନିବେଦନ କରୁଛୁ ।