ଶ୍ରବଣ ଇନ୍ଦ୍ରିୟ ଓ ଆଧୁନିକ ଜୀବନଶୈଳୀ
ନାରାୟଣ ଚନ୍ଦ୍ର ବିଶ୍ୱାଳ : ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରେ କାନଟି ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏହା ପ୍ରାୟ ସମସ୍ତେ ଜାଣନ୍ତି । ତେବେ ବର୍ତ୍ତମାନ ସମୟର ଜୀବନଶୈଳୀକୁ ଦେଖିଲେ ଯାହା ଜଣାପଡ଼ୁଛି ଅନେକଙ୍କର ଶ୍ରବଣ ଶକ୍ତି କମିବାର ପ୍ରମୁଖ କାରଣ ହେଉଛି ଇୟର ଫୋନର ମାତ୍ରାଧିକ ବ୍ୟବହାର । ମୋବାଇଲରେ କଥା ଓ ମନୋରଞ୍ଜନ ଲାଗି ଅତି କର୍କଶ ଶବ୍ଦର ପରିବେଶିତ ସଙ୍ଗୀତ ବିଶେଷକରି ଡିଜେର ପ୍ରଚଣ୍ଡ ଶବ୍ଦ କାନକୁ ବଧିରା କରିଦେବା ପାଇଁ ଯଥେଷ୍ଟ । ଆଜିର ସମୟରେ କେବଳ ଯୁବପିଢ଼ି ନୁହଁନ୍ତି ଅଧିକାଂଶ ମୋବାଇଲରେ ନିଜକୁ ବ୍ୟସ୍ତ ରଖୁଥିବାବେଳେ ହେଡଫୋନ ଓ ଇୟର ଫୋନ ଘଣ୍ଟା ଘଣ୍ଟା ଧରି ସେମାନଙ୍କ କାନରେ ରହୁଛି ଯାହା ଶୁଣିବା ଶକ୍ତିକୁ ଉଦବେଗ ଜନକ ଭାବେ ହ୍ରାସ କରିବାର କାରଣ ତ ସାଜିଛି ଏହାର ଅନ୍ୟ ପ୍ରମୁଖ ପରିପାଶ୍ୱିର୍କ କାରଣ ମଧ୍ୟ ରହିଛି । ପାଠପଢ଼ା ହେଉ ବା ଅନ୍ୟାନ୍ୟ ବୃତ୍ତିଗତ କାର୍ଯ୍ୟ । ହେଡ଼ଫୋନ ଦିନକୁ ଦିନ କେତେ ଯେ ଘାତକ ହେଉଛି ତାହା କଳ୍ପନାର ବାହାରେ । ଏକ ପ୍ରମୁଖ ସ୍ୱାସ୍ଥ୍ୟଭିତ୍ତିକ ପତ୍ରିକାର ରିପୋର୍ଟ ଅନୁଯାୟୀ ଭାରତରେ ସାଢ଼େ ଛଅକୋଟିରୁ ଊଦ୍ଧ୍ୱର୍ ଓ ପୃଥିବୀରେ ଦେଢ଼ଶହ କୋଟିରୁ ଊଦ୍ଧ୍ୱର୍ ଲୋକ ନିଜର ଶ୍ରବଣ ଶକ୍ତି ହରାଇବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଆଗାମୀ ୨୦୫୦ବେଳକୁ ପୃଥିବୀରେ ୨୫୦ କୋଟି କିମ୍ବା ପ୍ରତି ୧୦ଜଣଙ୍କ ଭିତରୁ ଜଣେ ନିଜ ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ରହିଛି ।
ସାଧାରଣତଃ ବଧିର ହେବାର ତ ଅନେକ କାରଣ ରହିଛି । ସେଗୁଡ଼ିକ ବଂଶାନୁକ୍ରମିକ ହୋଇପାରେ, ପ୍ରଦୂଷଣର କାରଣ ହୋଇପାରେ ଆଉ ରୋଗଜନିତ କାରଣ ମଧ୍ୟ ହୋଇପାରେ । କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ପ୍ରତିବର୍ଷ ଆମ ଦେଶରେ ୨୭୦୦୦ରୁ ଊଦ୍ଧ୍ୱର୍ ପିଲାଙ୍କର କାନ ସମସ୍ୟା ରହିଛି । ପ୍ରାଥମିକ ସମୟରୁ ସଚେତନ ରହିଲେ ଓ ପରୀକ୍ଷା ନିରୀକ୍ଷା ସଠିକ ସମୟରେ ହୋଇପାରିଲେ ଏବଂ ପ୍ରାରମ୍ଭରୁ ସମସ୍ୟାକୁ ଅଣଦେଖା ନକରି ଗୁରୁତ୍ୱ ଦେଲେ ଏହା ଆରୋଗ୍ୟସାଧ୍ୟ ନିଶ୍ଚିନ୍ତ । ପ୍ରତିବର୍ଷ ବିଶ୍ୱ କର୍ଣ୍ଣଯତ୍ନ ଦିବସ ପାଳନ ହୋଇଥାଏ । ପ୍ରତିବର୍ଷ ଏକ ଏକ ସଚେତନଭିତ୍ତିକ ବାର୍ତ୍ତାକୁ ଉଲ୍ଲେଖକରି ଏହି ଦିବସଟି ପାଳନ ହୁଏ । ଚଳିତ ବର୍ଷର ବାର୍ତ୍ତା ରହିଛି "ଚାଲନ୍ତୁ ସମସ୍ତଙ୍କ ପାଇଁ କର୍ଣ୍ଣ ଓ ଶ୍ରବଣ ରୋଗର ପ୍ରତିରୋଧ ଓ ପ୍ରତିକାର ସାକାର କରିବା' ।
ପ୍ରାଥମିକ ଚିକିତ୍ସାରେ କର୍ଣ୍ଣ, ଶ୍ରବଣ ଶକ୍ତି ପରୀକ୍ଷା ଓ ଯତ୍ନ ଦ୍ୱାରା ଶ୍ରବଣ ଶକ୍ତି ସମସ୍ୟା ନିର୍ଣ୍ଣୟ କରିବା ଲୋକମାନଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହା ସାଧାରଣ କଥା ଶ୍ରବଣ ଶକ୍ତି ହ୍ରାସ ପାଇବାର ପ୍ରମୁଖ କାରଣ ହେଉଛି ଶବ୍ଦ ପ୍ରଦୂଷଣ । ସେହିପରି ଯୁବପିଢ଼ି ସର୍ବଦା ଇୟର ଫୋନକୁ କାନରେ ଗେଞ୍ଜି ଘଣ୍ଟା ଘଣ୍ଟା ଧରି ବ୍ୟବହାର କରୁଥିବାରୁ ଏହା କେବଳ ଯେ କାନରେ ସଂକ୍ରମଣ ବଢ଼ାଇବ ତାହା ନୁହେଁ ବରଂ ଆଗାମୀ ଦିନରେ ଖୁବ କମ ବର୍ଷ ବୟସରୁ ଜଣଙ୍କର ଶ୍ରବଣ ଶକ୍ତିକୁ ନଷ୍ଟ କରିପାରେ । ସେହିପରି ଯେଉଁ ମାନଙ୍କର ଡାଇବେଟିସ ଓ ଉଚ୍ଚରକ୍ତଚାପ ସମସ୍ୟା ରହିଛି ସେମାନଙ୍କର ଶ୍ରବଣ ଶକ୍ତି କମ ହୋଇଯିବାର ଆଶଙ୍କା ବଢ଼ିଯାଏ । ଏହାସହ ଅନ୍ୟ ପ୍ରମୁଖ କାରଣ ମଧ୍ୟ ରହିଛି । ଶବ୍ଦ ପ୍ରଦୂଷଣ, ଅଟୋ ଟକ୍ସିକ ଡ୍ରଗସ ଓ ଅଟୋ ଟକ୍ସିକ କେମିକାଲ ବ୍ୟବହାର ଦ୍ୱାରା ବୃଦ୍ଧାବସ୍ଥାରେ ବଧିରତା ସମସ୍ୟା ବୃଦ୍ଧି ପାଉଛି । ଆଜିକାଲି ଜନ୍ମ ହେବା ପରେ ପରେ ଓ.ଏ.ଇ. ଟେଷ୍ଟ କରାଯାଉଛି । ଯଦି ଛୁଆଟିଏ କଥା କହିବାକୁ ଡେରି କରେ କିମ୍ବା ପଛରୁ ଡାକିଲେ ଶୁଣିପାରେ ନାହିଁ, ଆମେ ଜାଣିଯିବା ଯେ ତାକୁ ଶୁଭୁନାହିଁ । ସେଥିପାଇଁ ଆମେ ଯଥାଶୀଘ୍ର ତାର ପରୀକ୍ଷା କରିନେବା ଜରୁରି । ତେବେ କୋକଲିୟର ଇମପ୍ଲାଣ୍ଟ ଡିଭାଇସ ଦ୍ୱାରା ଆମେ କିଛି ମାତ୍ରାରେ ଶ୍ରବଣ ଶକ୍ତି ଫେରି ପାଉଛେ । ଏହାର ଦାମ ୬.୫ ଲକ୍ଷରୁ ଆରମ୍ଭ ହେଉଛି ।
କାନକୁ ନେଇ ଅନେକଙ୍କ ଭିତରେ ଆଦୌ ସଚେତନତା ନାହିଁ କହିଲେ ଅତୁ୍ୟକ୍ତି ହେବନାହିଁ । ଜଣଙ୍କର ଶ୍ରବଣ ଶକ୍ତି ହରାଇବାର କୌଣସି ବୟସ ନଥାଏ । ବୟସ୍କ ଲୋକମାନଙ୍କର ଯେ କେବଳ ଶ୍ରବଣଶକ୍ତି ହ୍ରାସ ହୋଇଥାଏ ଏହା ଭାବିବା ଆଦୌ ଠିକ ନୁହେଁ । ସେହିପରି ଥରେ ଶ୍ରବଣ ଶକ୍ତି କମିଗଲେ ଏହା ଆଉ ଫେରିବାର ସମ୍ଭବ ହୋଇପାରିନଥାଏ । ଅନେକ ହୁଏତ ଜାଣିନଥାନ୍ତି ପିଲାଟି ଜନ୍ମ ହେବାର ପ୍ରାଥମିକ ୪୮ଘଣ୍ଟା ଭିତରେ ତାର ଶ୍ରବଣ ଶକ୍ତି ପରୀକ୍ଷା କରିବା ଜରୁରି ହୋଇଥାଏ । ଅନ୍ୟ କେତେକଙ୍କ କ୍ଷେତ୍ରରେ ପିଲାଟି ମାଆର ଗର୍ଭରେ ଥିବା ସମୟରୁ ହିଁ ଏହି ସମସ୍ୟା ରହିଯାଇଥାଏ । ତେଣୁ ପରବର୍ତ୍ତୀ ତିନିମାସ ପରେ କାନ ପରୀକ୍ଷା କରିବା ପ୍ରୟୋଜନୀୟ ହୋଇଥାଏ । ନେଗେଟିଭ ବାହାରିଲେ ଅନ୍ୟ ଏକ ପରୀକ୍ଷା ଯାହାକୁ ବେରା ଟେଷ୍ଟ କୁହାଯାଏ । ଏହି ପରୀକ୍ଷାଟି କରାଯାଏ । ପିଲାମାନଙ୍କ ଠାରେ ଭାଇରାଲ ଫିଭର ଦେଖାଦେଇଥାଏ ତେବେ କେତେକ କ୍ଷେତ୍ରରେ ଭାଇରାଲ ଫିଭରର କାରଣ ପାଇଁ ଅନେକ ଶିଶୁ ନିଜର ଶ୍ରବଣ ଶକ୍ତି ହରାଇଥାନ୍ତି । ସେହିପରି ଏକ ବର୍ଷରୁ ପନ୍ଦର ବର୍ଷ ବୟସର ପିଲାମାନଙ୍କ କ୍ଷେତ୍ରରେ ସେମାନଙ୍କ କାନରେ ଯେ କୌଣସି କାରଣ ଜନିତ ସଂକ୍ରମଣ ରହିଲେ ଏହା ସେମାନଙ୍କ କର୍ଣ୍ଣ ଗହ୍ୱରକୁ ପ୍ରଭାବିତ କରିଥାଏ ଓ ଏହା ବଧିରତା ସୃଷ୍ଟି କରେ । ସେହିପରି କାନରେ ହାଡ଼ ଖାଇ ଯାଇଥିଲେ କିମ୍ବା କୌଣସି ଦୁର୍ଘଟଣା ଜନିତ କାରଣରୁ ପରଦା ଆଘାତ ପ୍ରାପ୍ତ ହୋଇ ଫାଟିଗଲେ ଜଣକୁ ଶୁଣାଯାଏ ନାହିଁ ସେହିପରି ବୟସ ବଢ଼ିଲେ କାନ ସହ ସଂଲଗ୍ନ ହୋଇଥିବା ସ୍ନାୟୁଟି ଦୁର୍ବଳ ହୋଇ ନଷ୍ଟ ହେବା କାରଣରୁ ବଧିର ହେବାର ସମ୍ଭାବନା ରହିଥାଏ । ପିଲାଟି ମାତୃଗର୍ଭରେ ଥିବା ସମୟରେ ଆସନ୍ନପ୍ରସବା ମାଆଟିର ରୁବେଲା, ମିଳିମିଳା କିମ୍ବା ସିଫଲିସ ଭଳି ରୋଗର ଶିକାର ହେଲେ ଏହା ପିଲାଟିର ଶ୍ରବଣ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ତେଣୁ ଏ କ୍ଷେତ୍ରରେ ପ୍ରାଥମିକ ଅବସ୍ଥାରୁ ଇଏନଟି ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ । ଠିକ ସମୟରେ ଡାକ୍ତରୀ ପରାମର୍ଶ ସହ ସଚେତନ ରହିଲେ ଶ୍ରବଣ ଜନିତ ସମସ୍ୟା ପରବର୍ତ୍ତୀ ସମୟରେ ଘାତକ ସାବ୍ୟସ୍ତ ହୋଇପାରନ୍ତା ନାହିଁ । ସେହିପରି ପ୍ରଥମରୁ ସମସ୍ୟାକୁ ଚିହ୍ନଟ କରି ବିଶେଷଜ୍ଞଙ୍କ ସହାୟତା ନେଲେ ଆଜିକାଲି ଉନ୍ନତ ଶ୍ରବଣ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଏହି ସବୁ ସମସ୍ୟାରୁ ମୁକ୍ତି ମିଳିପାରିବ । ଶରୀରର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଏହି ଅଙ୍ଗର ଯତ୍ନ ନେବା ଯେତିକି ଜରୁରି ଏ ନେଇ ଅନ୍ୟମାନଙ୍କ ଭିତରେ ସଚେତନତାକୁ ବ୍ୟାପକ କରିବା ମଧ୍ୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ । ତେବେ ସର୍ବପ୍ରଥମେ ଘଣ୍ଟା ଘଣ୍ଟା ଧରି ଇୟର ଫୋନ ଓ ହେଡ଼ ଫୋନ ଠାରୁ ଦୂରେଇବା ଅଭ୍ୟାସ ଆପଣାନ୍ତୁ । କାନ ଆପଣଙ୍କ ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ନିଜେ ଅନୁଭବ କରି ଏହାର ଯତ୍ନ ନିଅନ୍ତୁ ନଚେତ ବଧିରତା ଆପଣଙ୍କୁ ନିଶ୍ଚିନ୍ତ ଗ୍ରାସ କରିବ ।
ମୋ : ୯୪୩୮୨୭୬୭୬୦