ପରମ୍ପରାରେ ବୋଇତ ବନ୍ଦାଣ ଉତ୍ସବ

ପରମ୍ପରାରେ ବୋଇତ ବନ୍ଦାଣ ଉତ୍ସବ

ଲଳିତ ଲେଙ୍କା : ପ୍ରାଚୀନ ଭାରତୀୟ ନୌବାଣିଜ୍ୟ ଇତିହାସରେ ଉକ୍ରଳର ସାଧବ ପୁଅମାନଙ୍କର ବାଣିଜ୍ୟିକ ପରମ୍ପରା ଶୀର୍ଷସ୍ଥାନ ମଣ୍ଡନ କରିଥିଲା । ଖ୍ରୀଷ୍ଟପୂର୍ବ ସମୟରୁ ଓଡ଼ିଆ ପୁଅର ବୀରତ୍ୱ ଓ ସାହସିକତା, ନିଷ୍ଠାପର କର୍ତ୍ତବ୍ୟ, ସାଧନା ଓ ତ୍ୟାଗ, ସାମୁଦ୍ରିକ ବାଣିଜ୍ୟିକ ଦକ୍ଷତା ପାଇଁ ଓଡ଼ିଆ ଜାତି ନିଜକୁ ଗୌରବାନ୍ୱିତ ମନେ କରୁଥିଲା । ପ୍ରାଚୀନ କଳିଙ୍ଗର ସାଧବପୁଅମାନେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ, ସୁମାତ୍ରା, କାମ୍ବୋଡିଆ ଓ ସିଂହଳ ସମେତ ଏସିଆ ମହାଦେଶ ସହିତ ନୌବାଣିଜ୍ୟ କରିବା ସହିତ ସେମାନଙ୍କ ସହିତ ସାଂସ୍କୃତିକ ସଂପର୍କ ମଧ୍ୟ ସ୍ଥାପନ କରିଥିଲେ । କଳିଙ୍ଗର ସାଧବ ପୁଅମାନେ ହାତୀଦାନ୍ତରୁ ସୂକ୍ଷ୍ମ କାରୁକାର୍ଯ୍ୟ, ପାଟଲୁଗା, ହସ୍ତଶିଳ୍ପ ସାମଗ୍ରୀମାନ ପାଲଟଣା ବୋଇତରେ ନେଇ ଦରିଆପାରି ଦୂର ଦେଶରେ ବିକ୍ରୟ କରି ସେଠାରୁ ସୁନା, ରୂପା, ମଣି, ମାଣିକ୍ୟ ଆଣିବା ସହିତ ସେହି ବିଦେଶୀ ଭୂମିରେ ଉପନିବେଶମାନ ସ୍ଥାପନ କରିଥିଲେ । ଏହାଦ୍ୱାରା ଆମର ସଭ୍ୟତା, ସଂସ୍କୃତି ଓ ଆଧ୍ୟାତ୍ମିକ ଭାବଧାରାର ପ୍ରସାର ଘଟିଥିଲା ।

      ସମୟର କରାଳ ଚକ୍ରରେ ପ୍ରାଚୀନ କଳିଙ୍ଗର ସେ ସମୃଦ୍ଧ ନୌବାଣିଜ୍ୟ ପରମ୍ପରା କ୍ରମେ କ୍ରମେ ଲୋପ ପାଇଯାଇଛି । ପ୍ରଥମତଃ ଅପାରଗ ରାଜାମାନଙ୍କ ଦୁର୍ବଳ ଶାସନ ବ୍ୟବସ୍ଥା, ବାହ୍ୟ ଶତ୍ରୁମାନଙ୍କ ଆକ୍ରମଣ, ୟୁରୋପୀୟମାନଙ୍କ ଏକଚାଟିଆ ବାଣିଜ୍ୟ କଟକଣା, ଓଡ଼ିଆ ନାବକିମାନଙ୍କ ସୁରକ୍ଷା ପାଇଁ ରାଜାନୁଗ୍ରହର ଅଣହେଳା ସହିତ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷ ଓଡ଼ିଆମାନଙ୍କ ମନୋବଳ ଭାଙ୍ଗି ଦେଇଥିଲା । ଏତେ ଦୁଃଖ କଷ୍ଟ ଭିତରେ ମଧ୍ୟ ଉକ୍ରଳର ସାହସୀ ସାଧନପୁଅମାନେ ପାଲଟଣା ବୋଇତ ଧରି ସାତଦରିଆ ପାରିହୋଇ ବାଣିଜ୍ୟ ବ୍ୟବସାୟ ଚାଲୁ ରଖିଥିଲେ ଷୋଡଶ ଶତାବ୍ଦୀ ପର୍ଯ୍ୟନ୍ତ । ସେ ଯୁଗର ଓଡ଼ିଆ ପୁଅମାନଙ୍କର ଶକ୍ତି ଓ ସାମର୍ଥ୍ୟ କାଳର କରାଳ ଗର୍ଭରେ ଲୀନ ହୋଇଯାଇଥିଲେ ମଧ୍ୟ ସେହି ସ୍ମୃତିକୁ କେଉଁ ଆବହମାନ କାଳରୁ ଆମ ରାଜ୍ୟରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଅଛି । କାର୍ତ୍ତିକ ମାସର ପୂର୍ଣ୍ଣମୀ ତିଥିରେ ସାଧବପୁଅମାନେ ସେମାନଙ୍କ ବୋଇତ ବାହୀ ବାଣିଜ୍ୟ ପାଇଁ ବିଭିନ୍ନ ଦେଶକୁ ଯାଇଥାନ୍ତି । ସାଧବ ବୋହୂମାନେ ବୋଇତ ଗୁଡିକୁ ବୈଦିକ ରୀତିରେ ପୂଜାର୍ଚ୍ଚନା କରି ବନ୍ଦାପନା କରି ମେଲାଣି ଦେଇଥାନ୍ତି । ଏହି ଗୌରବଜ୍ଜ୍ୱଳ ପରମ୍ପରାକୁ ମନେ ରଖିବା ପାଇଁ ଆମେ ପରମ୍ପରା କ୍ରମେ ବିଭିନ୍ନ ଓଷାବ୍ରତ, ପର୍ବପର୍ବାଣି ଓ ମେଳା ମହୋତ୍ସବମାନ ପାଳନ କରି ଆସୁଛୁ । ତନ୍ମଧ୍ୟରୁ ବୋଇତ ବନ୍ଦାଣ ଉତ୍ସବ ଏକ ପବିତ୍ର ଓ ଧାର୍ମିକ ପରମ୍ପରାର ମୂକସାକ୍ଷୀ ।

     ଓଡ଼ିଆ ସାହିତ୍ୟରେ ମଧ୍ୟ ବୋଇତ ବନ୍ଦାଣ ଓ ନୌବାଣିଜ୍ୟର କଥା ଦେଖିବାକୁ ମିିଳିଥାଏ । ତଅପୋଇ କଥା, ଖୁଲଣା ସୁନ୍ଦରୀ କଥାରେ ଅତୀତ ନୌବାଣିଜ୍ୟର ଚିତ୍ର ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଅଛି । ଚୀନ ପରିବ୍ରାଜକ ଫାହିୟାନ ଉଲ୍ଲେଖ କରିଛନ୍ତି ଯେ କଳିଙ୍ଗର ବ୍ରାହ୍ମଣ ଓ ବଣିକମାନେ ଜାଭା ଦ୍ୱୀପକୁ ଆସିବା ସହିତ ସେମାନଙ୍କ ମଧ୍ୟରେ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ଗଢି ଉଠିଥିଲା । ଐତିହାସିକମାନଙ୍କ ମତରେ ସିଂହଳ ଓ ବ୍ରହ୍ମ ଦେଶର ରାଜବଂଶ ଥିଲେ ଓଡ଼ିଆ କ୍ଷତ୍ରିୟ କୁଳୋଦ୍ଭବ । ପ୍ରାମାଣିକ ଭାବେ କୁହାଯାଇପାରେ ଯେ ପ୍ରାଚୀନ ଉକ୍ରଳର ସମୃଦ୍ଧ ନୌବାଣିଜ୍ୟ ଦିନେ ଏହି ରାଜ୍ୟକୁ ପ୍ରାଚୁର୍ଯ୍ୟମୟ କରିଥିଲା । ଓଡ଼ିଆ ସାଧବମାନଙ୍କ ବାଲିଦ୍ୱୀପ ଯାତ୍ରାର ସ୍ମାରକୀକୁ ମନେ ପକାଇ କଟକର ମହାନଦୀ କୂଳରେ ବୋଇତ ବନ୍ଦାଣ ଓ ବାଲିଯାତ୍ରା କାହିଁ କେଉଁ କାଳରୁ ଆୟୋଜିତ ହୋଇ ଆସୁଅଛି । ଏହି ପ୍ରାଚୀନ ନୌବାଣିଜ୍ୟ ଆମର ଲୋକକାହାଣୀ, ଲୋକଗୀତ, କିମ୍ବଦନ୍ତୀ, ପର୍ବପର୍ବାଣି ଓ ଓଷାବ୍ରତ କଥାରେ ମଧୁର ସ୍ମୃତି ହୋଇ ସାଇତା ହୋଇ ରହିଛି  । ସେଥିପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ଲାବଣ୍ୟାବତୀ କାବ୍ୟରେ ଲେଖିଛନ୍ତି-

‘ବହିତ୍ର ଲାଗିଲା ଯାଇ ସିଂହଳ ଦ୍ୱୀପରେ 
ସାଧବ ଯୁବତୀମାନେ ଅତି ପ୍ରମୋଦରେ, ଗଲେ ବୋଇତ ବନ୍ଦାଇ
ଅର୍ଘଥାଳୀ କରେ ସର୍ବେ ହୁଳହୁଳି ଦେଇ”  ।

      ସର୍ବଶେଷରେ ଏତିକି କୁହାଯାଇ ପାରେ ଯେ କଳିଙ୍ଗର ହୃତ ଗୌରବର ମୂକସାକ୍ଷୀ ହେଉଛି ଆମର ବୋଇତ ବନ୍ଦାଣ ଓ ବାଲିଯାତ୍ରା ଉତ୍ସବ । ଓଡ଼ିଶାର ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ ଜୀବନରେ ଅଭିବୃଦ୍ଧି କେବଳ ଏହାର ନୌବାଣିଜ୍ୟ ଦ୍ୱାରା ହିଁ ସମ୍ଭବ ହୋଇଥିଲା, ଏଥିରେ ସନ୍ଦେହ ନାହିଁ । ତେଣୁ ବୋଇତ ବନ୍ଦାଣ ଉତ୍ସବ ଏକ ଜାତୀୟ ଉତ୍ସବରେ ପରିଣତ ହୋଇଅଛି ।

ମୋ-୯୭୭୮୬୧୦୧୫୫