ଶ୍ରମିକ ସଂଗଠନ ଚାପରେ ରେଳ କର୍ମଚାରୀଙ୍କ ବଦଳି ଆଦେଶ : ମିଛ ତଥ୍ୟ ଦେଉଛନ୍ତି ବରିଷ୍ଠ ମଣ୍ଡଳ ଯନ୍ତ୍ରୀ
ଭୁବନେଶ୍ୱର: ପୂର୍ବତଟ ରେଳପଥର ଭୁବନେଶ୍ୱରଠାରେ ଅବସ୍ଥିତ ରାଜଧାନୀ କୋଚିଂ ଡିପୋରେ ରେଳ କର୍ମଚାରୀଙ୍କ ଦୌରାତ୍ମ ଦିନକୁ ଦିନ ଚରମ ଶିଖରରେ ପହଞ୍ଚିଲାଣି । ଦଶନ୍ଧି ଦଶନ୍ଧି ଧରି ଗୋଟିଏ ସ୍ଥାନରେ ରହି ଏମାନେ ଧରାକୁ ସରା ମନେକରୁଥିବାର ଅଭିଯୋଗ ଅନେକ । ବାୟୋ ଟଏଲେଟ୍ ବିଭାଗରେ କାର୍ଯ୍ୟରତ ଅଶୋକ କୁମାର ସେଠୀଙ୍କୁ ଉଦାହରଣ ଭାବେ ନିଆଯାଇ ପାରେ । ଏକ ଦଶନ୍ଧିରୁ ଅଧିକ ସମୟ ହେଲାଣି ସେ ଏହି ବିଭାଗରେ ବରିଷ୍ଠ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଛନ୍ତି ।
ଠିକା ଶ୍ରମିକଙ୍କୁ ନାନାଦି ହଇରାଣ ହରକତ ଓ ମାନସିକ ନିର୍ଯାତନା ଦେବାରେ ସେ ସିଦ୍ଧହସ୍ତ । ସଂପୃକ୍ତ ଠିକାଦାର ବାଙ୍କା ବାଇଲୋ ସହିତ ସଲାସୁତରାରେ ସେ ଡିପୋରେ ଆତଙ୍କରାଜ ଚଳାଇଛନ୍ତି । ତାଙ୍କୁ ଏହି କାମରେ ସାଥ ଦେଉଛନ୍ତି ବିଭାଗୀୟ ଉଚ୍ଚ ଅଧିକାରୀ । ସବୁଠାରୁ ବଡ଼ କଥା ହେଲା ରେଳ ଶ୍ରମିକ ସଂଗଠନ ସହିତ ତାଙ୍କର ଉତ୍ତମ ସମ୍ପର୍କ ଥିବାରୁ ଯେତେ ଅଭିଯୋଗ କଲେ ମଧ୍ୟ ତାଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁ ନାହିଁ । ଡିପୋ ବାୟୋ ଟଏଲେଟ୍ ଅଫିସକୁ ସେ ମଦ ବାର୍ରେ ପରିଣତ କରିଛନ୍ତି । ଠିକା କର୍ମଚାରୀଙ୍କୁ ସେ ମଦ ଓ ଚାଖଣା ଆଣିବାକୁ ପଠାନ୍ତି । ରାତି ଡୁ୍ୟଟିରେ ସେ ଅଫିସରେ ଶୋଇ ଶୋଇ ସକାଳୁ ଗାଡି ଚେକ୍ କରିବାକୁ ଆସନ୍ତି । ଠିକା କର୍ମଚାରୀଙ୍କ ଠାରୁ ଠିକା ସଂସ୍ଥା ମାଧ୍ୟମରେ ଆର୍ଥିକ ଶୋଷଣ କରନ୍ତି । ତାଙ୍କର ଇଙ୍ଗିତରେ ଠିକାଦାର କର୍ମଚାରୀଙ୍କୁ ଧମକ, ଚମକ, ସସ୍ପେନସନ, ଟର୍ମିନେସନର ଭୟ ଦେଖାଇ ବିଭିନ୍ନ ଅସୁରକ୍ଷିତ କାମ କରାନ୍ତି । ତତ୍କାଳୀନ କୋଚିଂ ଡିପୋ ଅଧିକାରୀ ପ୍ରଖର ଗୁପ୍ତା ତାଙ୍କୁ ଧରିଥିଲେ । କିନ୍ତୁ ଶ୍ରମିକ ସଂଗଠନ ଚାପରେ ତାହା ଚାପି ହୋଇଗଲା । ଠିକା କର୍ମଚାରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଗତ ୨.୫ ବର୍ଷ ମଧ୍ୟରେ ଭୀମ ଆର୍ମି ପକ୍ଷରୁ ୮ଥର ପୂର୍ବତଟ ଜୋନର ମୁଖ୍ୟ କାର୍ଯ୍ୟାଳୟ ରେଳ ସଦନ ଓ ଖୋର୍ଦ୍ଧା ରୋଡ ଡିଆର୍ଏମ୍ ଅଫିସ ସମ୍ମୁଖରେ ଧାରଣା ଓ ଅନଶନ କରାଯାଇଛି । ଫଳରେ ଦୁଇ ବର୍ଷ ମଧ୍ୟରେ ୩ ଟି କୋଚିଂ ଡିପୋ ଅଧିକାରୀଙ୍କ ବଦଳି ହୋଇ ସାରିଲାଣି । ଜଣେ ସଚ୍ଚୋଟ ଓ ଦକ୍ଷ କୋଚିଂ ଡିପୋ ଅଧିକାରୀ ପ୍ରଖର ଗୁପ୍ତାଙ୍କୁ ଖୁବ୍ କମ ଦିନରେ ରେଳ ଶ୍ରମିକ ସଂଗଠନ ଚାପରେ ବଦଳି କରାଗଲା । ଅବଶ୍ୟ ସେ ବଦଳିବା ପୂର୍ବରୂ ୪୧ ଜଣ ଟେକ୍ନିସିଆନଙ୍କୁ ଅଫିସ ଅର୍ଡର ନଂ-୮୧ ତା ୧୪.୧୨.୨୪ରେ ବିଭିନ୍ନ ବିଭାଗକୁ ବଦଳି କରିଥିଲେ । ଶ୍ରମିକ ସଂଗଠନ ଚାପରେ ଏହି ବଦଳି ଆଦେଶ ଆଜି ପର୍ଯ୍ୟନ୍ତ ଶୀତଳ ଭଣ୍ଡାରରେ ପଡି ରହିଛି । ଶ୍ରମିକ ସଂଗଠନ ଶ୍ରମିକଙ୍କ ସ୍ୱାର୍ଥପାଇଁ କାମ କରୁଛନ୍ତି ନା ନିଜ ନିଜର ବ୍ୟକ୍ତିଗତ ଫାଇଦା ପାଇଁ କାମ କରୁଛନ୍ତି ତାହା ଜଣାପଡୁ ନାହିଁ । ଅଶୋକ ସେଠୀଙ୍କ ବିରୋଧରେ ପୂର୍ବରୁ ରେଳ ମନ୍ତ୍ରାଳୟରେ ଅଭିଯୋଗ ହୋଇଥିଲେ ମଧ୍ୟ ଫଳ ଶୂନ । ପୁନଶ୍ଚ ଏକ ଅଭିଯୋଗ ୩୩୪୫୨ ତା୧୧.୧୨.୨୪ରିଖର ଉତରରେ ଖୋର୍ଦ୍ଧା ରୋଡ୍ ବରିଷ୍ଠ ମଣ୍ଡଳ ଯାନ୍ତ୍ରୀକ ଯନ୍ତ୍ରୀ ଲିଙ୍ଗରାଜ ତ୍ରିପାଠୀ ଚିଠି ନଂ ୩୧୭୩ ତା ୩୦.୧୨.୨୪ରିଖରେ ଅଶୋକ ସେଠୀଙ୍କୁ ଅଣ୍ଡର ଗିଅରକୁ ବଦଳି କରାଯାଇଥିବା ଦର୍ଶାଇଛନ୍ତି । ପ୍ରକୃତରେ ଏବେ ବି ଅଶୋକ ସେଠୀ ବାୟୋ ଟଏଲେଟ୍ରେ କାମ କରୁଛନ୍ତି । ବାକି ୪୦ ଜଣ ମଧ୍ୟ ପୂର୍ବ ଭଳି ସେମାନଙ୍କ ସ୍ଥାନରେ କାର୍ଯ୍ୟରତ । ତୁରନ୍ତ ବଦଳି ଆଦେଶକୁ କାର୍ଯ୍ୟକାରୀ କରିବାକୁ ଭୀମ ଆର୍ମି ଭାରତ ଏକତା ମିଶନ, ଓଡିଶାର ରାଜ୍ୟ ସଚିବ ଭୈରବ ବେହେରା ମନ୍ତ୍ରାଳୟରେ ଦାବି କରିଛନ୍ତି । ନଚେତ ଆଗାମୀ ଫେବୃଆରୀରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରାଯିବ ।